ଚଢ଼ଉ ବେଳେ ତହସିଲ୍‌ଦାରଙ୍କୁ ଆକ୍ରମଣ : ୨ଟି ଟ୍ରାକ୍ଟର, ଜେସିବି ମେସିନ ଜବତ, ଜଣେ ଗିରଫ

ବେଗୁନିଆ : ବେଆଇନ୍‌ ମୋରମ୍‌ ଖଣି ଉପରେ ଚଢ଼ଉ କରିବାକୁ ଯାଇଥିବା ଖୋର୍ଦ୍ଧା ଅନ୍ତର୍ଗତ ବୋଲଗଡ଼ ତହସିଲଦାର ଓ ତାଙ୍କ କର୍ମଚାରୀଙ୍କୁ ଖଣିମାଫିଆମାନେ ଆକ୍ରମଣ କରିଛନ୍ତି। ଏ ନେଇ ତହସିଲଦାରଙ୍କ ଅଭିଯୋଗକ୍ରମେ ବେଗୁନିଆ ପୁଲିସ ଚଢ଼ଉ କରି ୩ଟି ଗାଡ଼ି ଜବତ କରିବା ସହ ଏହି ଆକ୍ରମଣରେ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କ ମଧ୍ୟରୁ ଜଣକୁ ଗିରଫ କରିଛନ୍ତି। ଅନ୍ୟମାନେ ଫେରାର ହୋଇଯାଇତିବା ଥାନା ଅଧିକାରୀ ରଶ୍ମିରଞ୍ଜନ ସାହୁ ସୂଚନା ଦେଇଛନ୍ତି।

ବେଗୁନିଆ – ବୋଲଗଡ଼଼ ତହସିଲ ଅଞ୍ଚଳରେ ଖଣି ମାଫିଆମାନେ ବେଆଇନ ଭାବେ ମାଙ୍କଡ଼ା ପଥର ଏବଂ ମୋରମ ଚୋରାଚାଲାଣ କରୁଥିବା ନେଇ ବାରମ୍ବାର ଅଭିଯୋଗ ହେଉଛି। ଏହି କ୍ରମରେ ଆଜି ପୂର୍ବାହ୍‌ଣରେ ବୋଲଗଡ଼ ବ୍ଳକ୍‌ ଗୋପାଳପୁର ପଞ୍ଚାୟତର ନାରାୟଣୀପଡ଼ାରେ ବେଆଇନ ଭାବେ ମୋରମ ଖୋଳାଯାଇ ଚୋରାଚାଲାଣ ହେଉଥିବା ସୂଚନା ପାଇ ବୋଲଗଡ଼ ତହସିଲଦାର ଦାୟିତ୍ବରେ ଥିବା ବିଡିଓ ଧୋବେଇ ନାୟକ କର୍ମଚାରୀଙ୍କ ସହ ମୋରମ ଖଣି ଉପରେ ଚଢ଼ଉ କରିଥିଲେ । ଏହି ଚଢ଼ଉ ବେଳେ ମୋରମ ବୋଝେଇ ଦୁଇଟି ଟ୍ରାକ୍ଟର ଓ ଗୋଟିଏ ଜେସିବି ମେସିନକୁ ଜବତ କରିଥିଲେ। ତେବେ ଏହି ଚଢ଼ଉ ସୂଚନା ପାଇ ନାରାୟଣୀପଡ଼ାର କେତେକ ଅସାମାଜିକ ବ୍ୟକ୍ତି ଘଟଣାସ୍ଥଳରେ ପହଞ୍ଚି ତହସିଲଦାର ଓ ତହସିଲ କର୍ମଚାରୀଙ୍କୁ ଗାଳିଗୁଳଜ କରିବା ସହ ଆକ୍ରମଣ କରିଥିଲେ। ମୋରମ ମାଫିଆଙ୍କ କବଳରୁ ଅଳ୍ପକେ ତହସିଲଦାର ଓ ତାଙ୍କର କର୍ମଚାରୀ ବର୍ତ୍ତିଯାଇଛନ୍ତି। ଏନେଇ ତହସିଲଦାର ଶ୍ରୀ ନାୟକ ବେଗୁନିଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ବେଗୁନିଆ ପୁଲିସ ୨୨୧/୨୦୨୦ରେ ଏକ ମାମଲା ରୁଜୁ କରି ମୋରମ ଖଣିରେ ବ୍ୟବହୃତ ଦୁଇଟି ଟ୍ରାକ୍ଟର ଓ ଗୋଟିଏ ଜେସିବି ମେସିନକୁ ଜବତ କରିବା ସହ ଏହି ଘଟଣାରେ ନାରାୟଣୀପଡ଼ାର ଗୋପବନ୍ଧୁ ରଣସିଂହଙ୍କୁ ଗିରଫ କରିଛି। ଅନ୍ୟମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବେଗୁନିଆ ଥାନା ଅଧିକାରୀ ରଶ୍ମିରଞ୍ଜନ ସାହୁ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ବେଗୁନିଆ-ବୋଲଗଡ଼଼ ଅଞ୍ଚଳରେ ବେଆଇନ ମାଙ୍କଡ଼ାପଥର ଚୋରା କାରବାର ଦିନକୁଦିନ ବୃଦ୍ଧି ପାଇବାରେ ଲାଗିଛି। ଖଣି ମାଫିଆମାନଙ୍କ ସହିତ ତହସିଲ କାର୍ଯ୍ୟାଳୟର କେତେକ ଅସାଧୁ କର୍ମଚାରୀ ମିଶି ଏପରି ଖଣିଜ ପଦାର୍ଥ ଚୋରାକାରବାର ଚଳାଇଥିବା ସାଧାରଣରେ ଚର୍ଚ୍ଚା ହେଉଛି। । ତେବେ ନୂଆକରି ଯୋଗ ଦେଉଥିବା ଅଧିକାରୀମାନେ ଚଢ଼ଉ ପାଇଁ ଗଲାବେଳେ ମାଫିଆମାନଙ୍କ ଆକ୍ରମଣର ଶିକାର ହେଉଛନ୍ତି । ଜିଲ୍ଲା ପ୍ରଶାସନ ଏ ଦିଗ‌ରେ ପଦକ୍ଷେପ ନେବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର