ରାଉରକେଲା: ପ୍ରାୟ ଅଧିକାଂଶ ଟ୍ରେନ୍ ରହଣି ଦାବିରେ ସ୍ଥାନୀୟ ଲୋକ ଗଡପୋଷ ଷ୍ଟେସନ ରେଳଲାଇନରେ ଧାରଣା ହାୱଡା-ମୁମ୍ବାଇ ମାର୍ଗରେ ପ୍ରାୟ ୧୨ ଘଣ୍ଟା ଟ୍ରେନ୍ ଚଳାଚଳ ଠପ୍ ହୋଇଯାଇଥିଲା। ସକାଳ ୬ଟାରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ ହାୱଡା-ମୁମ୍ବାଇ ରେଳଲାଇନର ଉଉଭ ଅଫ୍ ଓ ଡାଉନ୍ ଲାଇନ୍ରେ ଝାରସୁଗୁଡା, ବାମଡା, ରାଉରକେଲା, ବିଶ୍ରା, ମୋନହରପୁର, ଚକ୍ରଧରପୁର ଓ ଜାମସେଦ୍ପୁର ଆଦି ଷ୍ଟେସନରେ ସଂଧ୍ୟା ପର୍ଯ୍ୟନ୍ତ ଏକ୍ସପ୍ରେସ୍ ଓ ପାସେଞ୍ଜର ଟ୍ରେନ୍ଗୁଡ଼ିକ ଅଟକି ରହିଥିଲା।
ରାଉରକେଲା ଦେଇ ଯାତାୟତ କରୁଥିବା ରାଉରକେଲା-ପୁରୀ- ରାଉରକେଲା ସ୍ବତନ୍ତ୍ର ଟ୍ରେନ୍କୁ ଉଭୟ ପୁରୀ ଓ ରାଉରକେଲା ପଟୁ ବାତିଲ କରାଯାଇଥିଲା। ସେମିତି ଝାରସୁଗୁଡା-ରାଉରକେଲା-ଝାରସୁଗୁଡା ପାସେଞ୍ଜର ଟ୍ରେନ୍ ଉଭୟ ରାଉରକେଲା ଓ ଝାରସୁଗୁଡା ଷ୍ଟେସନରୁ ବାତିଲ ହୋଇଥିଲା। ଅନୁରୂପ ଭାବେ ୧୪ଟି ଟ୍ରେନ୍ ବିଭିନ୍ନ ଷ୍ଟେସନରେ ୭/୮ ଘଣ୍ଟା ଅଟକି ରହିବା ପରେ ଗନ୍ତବ୍ୟସ୍ଥଳ ଅଭିମୁଖେ ବାହାରିଥିଲା।
ଟ୍ରେନ୍ଗୁଡ଼ିକ ମଧ୍ୟରେ ଅହମ୍ମଦାବାଦ- ହାୱଡା ସ୍ବତନ୍ତ୍ର, ବାଙ୍ଗାଲୁରୁ -ହଟିଆ ସ୍ବତନ୍ତ୍ର, ଟିଟିଲାଗଡ-ହାୱଡା ସ୍ବତନ୍ତ୍ର, ଏଲ୍ଟିଟି- କାମାକ୍ଷା ସ୍ବତନ୍ତ୍ର, ମୁମ୍ବାଇ ସିଏସ୍ଏମ୍ଟି-ହାୱଡା ସ୍ବତନ୍ତ୍ର, ଯଶବନ୍ତପୁର-ହଟିଆ ସ୍ବତନ୍ତ୍ର, ଦୁର୍ଗ-ରାଜେନ୍ଦ୍ରନଗର ସ୍ବତନ୍ତ୍ର, ସମ୍ବଲପୁର- ମଣ୍ଡୁଆଡିହି ସ୍ବତନ୍ତ୍ର। ସେହିପରି ହାୱଡା- ଅହମ୍ମଦାବାଦ ସ୍ବତନ୍ତ୍ର, ପୁରୀ-ଯୋଗ ନଗରୀ ଋଷିକେଶ ସ୍ବତନ୍ତ୍ର, ରାଜେନ୍ଦ୍ରନଗର-ଦୁର୍ଗ ସ୍ବତନ୍ତ୍ର, ହାୱଡା- ମୁମ୍ବାଇ ସିଏସ୍ଏମ୍ଟି ସ୍ବତନ୍ତ୍ର, ହାୱଡା- ଟିଟିଲାଗଡ ସ୍ବତନ୍ତ୍ର। ଏସବୁ ଟ୍ରେନ୍ଗୁଡ଼ିକ ଘଣ୍ଟା ଘଣ୍ଟା ଅଟକି ରହିଥିବାରୁ ଯାତ୍ରୀମାନଙ୍କୁ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେବାକୁ ପଡିଥିଲା।