ରାୟଗଡ଼ା-ଟିଟିଲାଗଡ଼ ଲାଇନ୍‌ରେ ପୁଣି ଚାଲିଲା ଦୁଇ ଟ୍ରେନ୍‌

ଚନ୍ଦ୍ରଶେଖରପୁର : ଗତବର୍ଷ ଜୁଲାଇ ମାସରେ ପ୍ରବଳ ବର୍ଷା ଜନିତ ବନ୍ୟା କାରଣରୁ ଥେରୁବାଲି ଓ ସିଙ୍ଗାପୁର ରୋଡ଼ ଷ୍ଟେସନ ମଧ୍ୟରେ ଏକ ରେଳ ପୋଲ ସଂପୂର୍ଣ୍ଣ ଧୋଇଯିବା ଦ୍ୱାରା ରେଳ ଚଳାଚଳ ବ୍ୟାହତ ହୋଇଥିଲା। ସେହିପରି ସମ୍ବଲପୁର ରେଳ ମଣ୍ଡଳ ଅନ୍ତର୍ଗତ ଥେରୁବାଲି ଷ୍ଟେସନ ନିକଟରେ ମଧ୍ୟ ପ୍ରବଳ ବର୍ଷା ଜନିତ ବନ୍ୟା କାରଣରୁ ଟିଟିଲାଗଡ଼ ଓ ରାୟଗଡ଼ା ସେକ୍ସନ ମଧ୍ୟରେ ଟ୍ରେନ୍‌ ଚଳାଚଳ ବ୍ୟାହତ ହୋଇଥିଲା। ଆଜିଠାରୁ ଏହି ମାର୍ଗରେ ଆଉ ଦୁଇଟି ଟ୍ରେନ୍‌ ଚଳାଚଳ ଆରମ୍ଭ ହୋଇଥିବା ପୂର୍ବତଟ ରେଳ ପକ୍ଷରୁ ପ୍ରକାଶ। ରେଳ ବିଭାଗ ପକ୍ଷରୁ ଏହି ସ୍ଥାନରେ ଏକ ନୂତନ ରେଳ ପୋଲ ମାତ୍ର ୨୦୦ ଦିନ ମଧ୍ୟରେ ତିଆରି ହେବା ଦ୍ୱାରା ଏହା ସମ୍ଭବ ହୋଇଥିବା ପ୍ରକାଶ। ମୁନିଗୁଡ଼ା ପର୍ଯ୍ୟନ୍ତ ଚଳାଚଳ କରୁଥିବା ରାୟଗଡ଼ା-ସମ୍ବଲପୁର ଏକ୍ସପ୍ରେସ୍‌କୁ ଆଜିଠାରୁ ରାୟଗଡ଼ା ପର୍ଯ୍ୟନ୍ତ ଚଳାଚଳ କରିବାକୁ ନିଷ୍ପତି ନିଆଯାଇଛି। ସେହିପରି ସପ୍ତାହରେ ତିନିଦିନ ଚଳାଚଳ କଟକଣା ଥିବା ବିଶାଖାପାଟଣା-ଦୁର୍ଗ ପାସେଞ୍ଜର୍‌ ଆଜିଠାରୁ ପ୍ରତିଦିନ ଚଳାଚଳ କରିବାକୁ ନିଷ୍ପତି ନିଆଯାଇଥିବା ପୂର୍ବତଟ ରେଳ ପକ୍ଷରୁ ପ୍ରକାଶ। ଏହାବ୍ୟତୀତ ରାଉରକେଲା-କୋରାପୁଟ, ଦୁର୍ଗ-ଜଗଦଲପୁର ଏକ୍ସପ୍ରେସ୍‌ ଏବଂ ସମ୍ବଲପୁର-କୋରାପୁଟ ପାସେଞ୍ଜର୍‌କୁ ଚଳିତ ମାସ ୩୦ ତାରିଖ ପର୍ଯ୍ୟନ୍ତ ବାତିଲ୍‌ କରାଯାଇଥିବା ପ୍ରକାଶ।

ସମ୍ବନ୍ଧିତ ଖବର