ପାତ୍ରପୁର : ଗଂଜାମ ଜିଲ୍ଲା ପାତ୍ରପୁର ବ୍ଳକ ଜରଡ଼ା ଥାନା ସାମନ୍ତରାପୁର ପଞ୍ଚାୟତ ଦାବାଡ଼ ଗାଁରେ ଆଜି ପୋଖରୀରେ ବୁଡ଼ି ଦୁଇ ଆଦିବାସୀ ଛାତ୍ରୀଙ୍କ ମୃତ୍ୟୁ ଘଟିଛି। ମୃତକ ମାନେ ହେଲେ ଜୁରିଆ ଶବରଙ୍କ ସାନ ଝିଅ ପିଙ୍କି ଶବର (୯) ଓ ମାଗାତା ଶବରଙ୍କ ସାନ ଝିଅ ସସ୍ମିତା ଶବର (୫)। କଇଁଫୁଲିଆ ପ୍ରାଥମିକ ବିଦ୍ୟାଳୟରେ ପିଙ୍କି ଚତୁର୍ଥ ଶ୍ରେଣୀ ଓ ସସ୍ମିତା ପ୍ରଥମ ଶ୍ରେଣୀ ଛାତ୍ରୀ ଭାବେ ଆଜି ପ୍ରବେଶ ଉତ୍ସବରେ ନାମ ଲେଖାଇଥିଲେ।

Advertisment

ମିଳିଥିବା ସୂଚନାନୁସାରେ, ଆଜି ସ୍କୁଲ୍‌ରୁ ସାଢେ ୧୦ଟାରେ ପିଙ୍କି ଓ ସସ୍ମିତା ଦାବାଡ଼ ଗାଁ ଘରକୁ ଫେରିଥିଲେ। ତଳସାହିସ୍ଥିତ ଘରୁ ସସ୍ମିତା ତା’ର ବଡ଼ଭଉଣୀ କ୍ଷୀରମଣି ସହ ଗାଧୋଇବାକୁ ପୋଖରୀକୁ ବାହାରିଥିଲା। ସେହିପରି ଉପରସାହିରୁ ପିଙ୍କି ବି ସେଠାରେ ପହଞ୍ଚିଥିଲା। କ୍ଷୀରମଣି ପୋଖରୀ ହୁଡ଼ାରେ ଲୁଗାପଟା ସଫା କରୁଥିବା ବେଳେ ପିଙ୍କି ଓ ସସ୍ମିତା ଗାଧୋଇବାକୁ ତଳକୁ ଓହ୍ଲାଇ ଥିଲେ। ଏହା ମଧ୍ୟରେ ପୋଖରୀରେ ବୁଡ଼ି ଯାଇଥିଲେ। କିଛି ସମୟ ପରେ ପୋଖରୀରେ ଉଭୟଙ୍କ ଦେଖା ନମିଳିବାରୁ କ୍ଷୀରମଣି ଚିତ୍କାର କରିଥିଲା। ଏହାପରେ ସ୍ଥାନୀୟ ଲୋକେ ପୋଖରୀ ଭିତରକୁ ଯାଇ ପିଙ୍କି ଓ ସସ୍ମିତାକୁ ମୃତାବସ୍ଥାରେ ଉଦ୍ଧାର କରିଥିଲେ।