ରାୟଗଡ଼ା: ରାୟଗଡା ସଦର ମହକୁମାର ଏକ ଜାଗାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଟଣାଅଟରା ଦେଖିବାକୁ ମିଳିଥିଲା। ଥାନାରେ ଦୁଇ ଗୋଷ୍ଠୀ ପହଞ୍ଚି ନିଜ ନିଜର ଦାବି ଉପସ୍ଥାପନା କରିଥିଲେ। ଘଟଣା ଅନୁଯାୟୀ ଟ୍ରକ ୟୁନିଅନ ନିକଟରେ ରହିଥିବା ବୈଶ ମହାସଂଘର ଏକ ଜାଗାକୁ ନିଜର ଜାଗା କହି ମଙ୍ଗଳବାର ରାତିରେ ସେମାନଙ୍କର ପାଚେରୀ ଭାଙ୍ଗି ସେହି ଜାଗାରେ ଟ୍ରକଗୁଡିକ ରଖାଯାଇଥିଲା। ଏନେଇ ବୈଶ ମହାସଂଘ ପକ୍ଷରୁ ଗତକାଲି ରାତିରେ ଏସପିଙ୍କୁ ଭେଟି ଅଭିଯୋଗ କରାଯାଇଥିଲା। ବୁଧବାର ପୁଣି ରାୟଗଡା ଥାନାରେ ପହଞ୍ଚି ବୈଶ ମହାସଂଘ ଜାଗାର ସମସ୍ତ କାଗଜ ପତ୍ର ଦେଖାଇଥିଲେ।

Advertisment

ଗତ ୧୯୮୪ ମସିହାରେ ଏହି ଜାଗାକୁ ଲରି ଆସୋସିଏସନ ନାମରେ ଥିଲା। ପରେ ୨୦୦୫ ମସିହାରେ ଲରି ଆସୋସିଏସନ ଏହି ଜାଗାକୁ ଲିଜ ଆକାରରେ ବୈଶ ମହାସଂଘକୁ ପ୍ରଦାନ କରିଥିଲେ। ତେବେ ବୈଶ ମହାସଂଘ ଏହି ସ୍ଥାନରେ ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟକ୍ରମ କରିଆସୁଥିଲେ। ତେବେ ଗତ କିଛି ଦିନ ହେଲା ଏହି ଜାଗାକୁ ଟ୍ରକ ୟୁନିଅନ ମାଡି ବସିଥିବା ସେମାନେ ଅଭିଯୋଗ କରିଥିଲେ। ଅନ୍ୟଦିଗରେ ଟ୍ରକ ୟୁନିଅନର କର୍ମକର୍ତ୍ତାମାନେ ମଧ୍ୟ ଥାନାରେ ପହଞ୍ଚି ଏହି ଜାଗା ଆମର ବୋଲି ଦାବି କରିଥିଲେ।

ତେବେ ଥାନା ଆଇଆଇସି କମଳକାନ୍ତ କଅଁର ଦୁଇ ଗୋଷ୍ଠୀଙ୍କୁ ବୁଝାସୁଝା କରି ପଠାଇ ଦେଇଥିଲେ। ଏହା ସିଭିଲ କେଶ ହୋଇଥିବାରୁ ଏନେଇ ତହସିଲଦାରଙ୍କ ନିକଟରେ ଅଭିଯୋଗ କରିବା ପାଇଁ କୁହାଯାଇଛି। ତେବେ ଦୁଇ ଗୋଷ୍ଠୀ ମଧ୍ୟରେ ଆପୋଷ ବୁଝାମଣା ହେବାର ଆଶା ରହିଥିବା କୁହାଯାଇଛି। ବୈଶ ମହାସଂଘର କିଛି ଜାଗାକୁ ଟ୍ରକ ୟୁନିଅନର କର୍ମକର୍ତ୍ତା ମାଗୁଥିବା ଜଣାପଡିଛି। ତେବେ ଏନେଇ ଦୁଇ ଗୋଷ୍ଠୀ କୋର୍ଟରେ ହାଜର ହେବେ ବୋଲି କୁହାଯାଇଛି।