ସୁନ୍ଦରଗଡ଼: ଦର୍ଲିପାଲି ଏନଟିପିସି ତାପଜ ବିଦ୍ୟୁତ ପ୍ରକଳ୍ପରୁ ବର୍ଜ୍ୟ ପାଉଁଶ (ଫ୍ଲାଏଆସ୍) ବାହାର ରାଜ୍ୟକୁ ବେଆଇନ ପରିବହନ ହେଉଥିବା ଅଭିଯୋଗ ରହିଥିଲା। ବିନା ରସିଦରେ ଅତି ଚତୁରତାର ସହ କ୍ଷମତାଠାରୁ ବହୁ ଅଧିକ ପାଉଁଶ ବୋଝେଇ କରି ଚାଲାଣ କରାଯାଉଥିଲା। ଏପରିକି ଏପରି ବେଆଇନ ପରିବହନର ପ୍ରଭାବ ଗାଁ ରାସ୍ତା ଉପରେ ପଡ଼ୁଥିବାରୁ ନିକଟରେ ଅଉଁଲାବାହାଲ ଗାଁ ଲୋକେ ଏହାକୁ ବିରୋଧ କରି ୫୦ରୁ ଅଧିକ ପାଉଁଶ ବୋଝେଇ ଟ୍ରକକୁ ଅଟକାଇଥିଲେ। କିନ୍ତୁ ଆଞ୍ଚଳିକ ପରିବହନ ବିଭାଗ ସେସବୁକୁ ବିନା ଯାଞ୍ଚରେ ଛାଡ଼ି ଦେଇଥିବା ଅଭିଯୋଗ ହୋଇଥିଲା। ଏ ସମ୍ପର୍କିତ ଖବର ‘ସମ୍ବାଦ’ ସମେତ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇ ଚର୍ଚ୍ଚାକୁ ଆସିବା ପରେ ବିଭାଗର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା।

Advertisment

ଘଟଣାକ୍ରମେ ଶନିବାର ଅପରାହ୍ନ ୩ଟାରେ ଉଜ୍ବଳପୁର ନିକଟରେ ପୁଣି ୨ଟି ପାଉଁଶ ବୋଝେଇ ଟ୍ରକକୁ ଧରିଥିଲେ ଏସଟିଓଏ କର୍ମକର୍ତ୍ତା। ଖବର ଯିବା ପରେ ମୋଟରଯାନ ନିରୀକ୍ଷକ ପହଞ୍ଚି ମସ୍ନିକାନୀ ୱେବ୍ରିଜକୁ ନେଇ ଯାଞ୍ଚ କରିଥିଲେ। ଗାଡ଼ିରେ କ୍ଷମତାଠାରୁ ଅଧିକ ବୋଝେଇ ହୋଇଥିବା ଓ ପରିବହନ ସମ୍ପର୍କିତ କୌଣସି ରସିଦ ନଥିବାରୁ ୧.୪୦ ଲକ୍ଷ ଜରିମାନା କରିଥିଲେ ଅଧିକାରୀ। ଏହା ପରେ ଏନଟିପିସିର ବେଆଇନ ପାଉଁଶ ପରିବହନର ସତ ସାମ୍ନାକୁ ଆସିଛି। ଉଲ୍ଲେଖଯୋଗ୍ୟ, ଦର୍ଲିପାଲି ଏନଟିପିସିକୁ ଏମସିଏଲରୁ କୋଇଲା ପରିବହନ ଓ ଦର୍ଲିପାଲିରୁ ଏନଟିପିସି ତାପଜ ବିଦ୍ୟୁତ ପ୍ରକଳ୍ପର ପାଉଁଶ ପରିବହନ ପାଇଁ ବିଜାଡିହି-ଅଉଁଲାବାହାଲ ଆରଡି ରାସ୍ତାକୁ କମ୍ପାନି ୩ ବର୍ଷ ହେଲା ବ୍ୟବହାର କରି ଆସୁଛି। ଦୈନିକ ଶହ ଶହ ଭାରୀଯାନ ଚଳାଚଳ କରୁଥିବାରୁ ରାସ୍ତା ଶୋଚନୀୟ ହୋଇପଡ଼ିଛି। ବିଶେଷ କରି ପରିବହନ ନିୟମର ଖୋଲା ଉଲ୍ଲଂଘନ କରି ଶହ ଶହ ଟନ୍ ପାଉଁଶ ରାଉରକେଲା ଓ ଲାଠିକଟା ସମେତ ଝାରଖଣ୍ଡର ଗୁମଲା ଅଞ୍ଚଳକୁ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।

୩୫ ଟନ୍ କ୍ଷମତା ବିଶିଷ୍ଟ ଭାରୀଯାନ (୧୨ ଚକିଆ ମଲ୍ଟିଏକ୍ସେଲ)ରେ ୫୦ ଟନ୍, ୪୨ ଟନ୍ କ୍ଷମତା ଥିବା ୧୪ ଚକିଆ ଗାଡ଼ିରେ ୬୦ ଟନ୍ ଓ ୪୭.୫ ଟନ୍ର ୧୬ ଚକିଆରେ ୬୫ରୁ ୭୦ ଟନ୍ ପାଉଁଶ ବୋଝେଇ କରି ଚାଲାଣ କରାଯାଉଛି। ବର୍ଜ୍ୟ ପାଉଁଶ ପରିବହନ ଯୋଗୁଁ ବ୍ୟାପକ ପ୍ରଦୂଷଣ ହେଉଛି। ଧୂଳିଧୂଆଁ ସାଙ୍ଗକୁ ଶଦ୍ଦ ପ୍ରଦୂଷଣ ଅଞ୍ଚଳବାସୀଙ୍କୁ ନାକେଦମ୍ କରିଦେଇଛି। ରାସ୍ତାକଡ଼ ଗ୍ରାମବାସୀମାନେ ପ୍ରଦୂଷଣଜନିତ ସମସ୍ୟା ସହ ଗମନାଗମନ କ୍ଷେତ୍ରରେ ସବୁବେଳେ ଭୟ ଓ ଆଶଙ୍କାରେ ରହୁଛନ୍ତି । ବର୍ଷ ବର୍ଷ ଧରି ନିୟମିତ ଭାବେ ଚାଲିଥିବା ଏ ବେଆଇନ ପରିବହନ ଉପରେ ପୁଲିସ ଓ ପରିବହନ ବିଭାଗର ନଜର ପଡ଼ୁଥିଲେ ମଧ୍ୟ ସେମାନେ ଏହାକୁ ନଜରଅନ୍ଦାଜ କରି ଦେଇଛନ୍ତି। ପରିବହନକାରୀ ସଂସ୍ଥା ଓ କମ୍ପାନିଠାରୁ ମୋଟା ଅଙ୍କର ଅର୍ଥ ନେଇ ଏପରି ବେଆଇନ ପରିବହନକୁ ବିଭାଗ ଆଖି ବୁଜି ପ୍ରୋତ୍ସାହିତ କରୁଥିବା ଅଭିଯୋଗ ହୋଇଥିଲା। ଏପଟେ କ୍ଷମତାଠାରୁ ଅଧିକ ପାଉଁଶ ଓ କୋଇଲା ବୋଝେଇ ଟ୍ରକ ପରିବହନ ଯୋଗୁ ରାସ୍ତାରେ ବଡ଼ ବଡ଼ ଖାଲ ହୋଇ ସାଧାରଣ ଭାବେ ଯାତାୟତ ଯୋଗ୍ୟ ରହି ନାହିଁ। ତାକୁ ଦୃଷ୍ଟିରେ ରଖି ଅଞ୍ଚଳବାସୀ ରାସ୍ତାର ଉନ୍ନତିକରଣ, ବେଗ ନିୟନ୍ତ୍ରଣ, ପ୍ରଦୂଷଣ ନିୟନ୍ତ୍ରଣ ଓ କ୍ଷମତାଠାରୁ ଅଧିକ ପରିବହନ ବନ୍ଦ ଦାବିରେ ଗତ ଅଗଷ୍ଟ ୧୮ ତାରିଖରେ ଅଉଁଲାବାହାଲଠାରେ ପୂର୍ବତନ ବିଧାୟକ ଯୋଗେଶ କୁମାର ସିଂଙ୍କ ନେତୃତ୍ବରେ ରାସ୍ତା ଅବରୋଧ କରିବା ସହ ପାଉଁଶ ବୋଝେଇ ଗାଡ଼ିଗୁଡ଼ିକୁ ଅଟକାଇଥିଲେ। ସେଦିନ ଅପରାହ୍ନରେ ଆଲୋଚନା ପରେ ଦାବି ମୁତାବକ ପ୍ରାଥମିକ ପଦକ୍ଷେପ ସ୍ବରପ କର୍ତ୍ତୃପକ୍ଷ ତୁରନ୍ତ ମରାମତି କରିଥିଲେ ମଧ୍ୟ ରାସ୍ତା ଯଥା ପୂର୍ବଂ ତଥା ପରଂ ହୋଇଯାଇଥିବାରୁ ଗାଁ ଲୋକେ ଅସନ୍ତୁଷ୍ଟ ଅଛନ୍ତି। ଏ ସମ୍ପର୍କରେ ପରିବହନ ଅଧିକାରୀ ସୁକାନ୍ତ କୁମାର ଦାଶଙ୍କୁ ପଚାରିବାରୁ ‘ଏନଟିପିସିକୁ ଚିଠି ଲେଖି ଠିକ ଭାବେ ପାଉଁଶ ଓଜନ, ଗାଡ଼ିକୁ ପଲିଥିନରେ ଆବଦ୍ଧ କରି ସମସ୍ତ ତଥ୍ୟ ଉଲ୍ଲେଖ ଥିବା ଚାଲାଣ ରସିଦ ଦେଇ ପଠାଇବାକୁ ତାଗିଦ କରାଯାଇଛି’ ବୋଲି କହିଥିଲେ।