ଦୁଇ ଟ୍ରକ ମୁହାଁମୁହିଁ: ୫ ଘଣ୍ଟା ରାସ୍ତା ଜାମ୍‌

କବାଟବନ୍ଧ: ଯାଜପୁର ଜିଲ୍ଲା କବାଟବନ୍ଧ ନିକଟ ବ୍ରାହ୍ମଣୀ ସେତୁ ଉପରେ ଆଜି ଅପରାହ୍‌ଣରେ ଦୁଇ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ଜଣେ ଚାଳକ ଗୁରୁତର ହୋଇଛନ୍ତି। ତାଙ୍କୁ ସ୍ଥାନୀୟ ଲୋକେ ଦାନଗଦୀ ଡାକ୍ତରଖାନା ପଠାଇଥିଲେ। ଦୁର୍ଘଟଣା ପରେ ଏହି ରାଜପଥରେ ୫ ଘଣ୍ଟା ଧରି ଟ୍ରାଫିକ ଜାମ୍‌ ହୋଇଥିଲା। ହଜାର ସଂଖ୍ୟାରେ ଗାଡ଼ି ଉଭୟ ପାର୍ଶ୍ବରେ ଅଟକି ରହିଥିଲା। ପ୍ରବଳ ଗରମ ଓ ଗୁଳୁଗୁଳିରେ ବସ୍‌ ଯାତ୍ରୀମାନେ କଲବଲ ହୋଇଯାଇଥିଲେ। କଳିଙ୍ଗନଗର ଓ ଜେନାପୁର ପୁଲିସ ଉଦ୍ୟମରେ ଗାଡ଼ି ଚଳାଚଳ ସ୍ବାଭାବିକ ହୋଇଥିଲା।

ଚେନ୍ନାଇରୁ କଳିଙ୍ଗନଗରର ଜିନ୍ଦଲ କାରଖାନାକୁ ଯାଉଥିବା ୨୨ ଚକିଆ ସ୍କ୍ରାପ୍ ବୋଝେଇ ଟ୍ରକ୍ (ଏଚ୍ଆର ୩୯ ଇ ୩୮୫୦) ବ୍ରାହ୍ମଣୀ ସେତୁ ଉପରେ ଡୁବୁରିରୁ ଚଣ୍ତିଖୋଲ ଆଡ଼େ ଯାଉଥିବା ଚାଉଳ ବୋଝେଇ ଆଇଚର ଗାଡ଼ି (ଓଡି ୦୫ ପି ୭୬୦୫) ସହ ଧକ୍କା ହୋଇଥିଲା। ଆଇଚର ଚାଳକ ଷ୍ଟିୟରିଂରେ ଚାପିହୋଇ ରହିଯାଇଥିଲେ। ଚଢ଼େଇଧରା ଅଗ୍ନିଶମ କର୍ମଚାରୀ ଆସି ତାଙ୍କୁ ଉଦ୍ଧାର କରିଥିଲେ। କଳିଙ୍ଗନଗର ପୁଲିସ ଉଭୟ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି।

ସମ୍ବନ୍ଧିତ ଖବର