ଧର୍ମଶାଳା : ଯାଜପୁର ଜିଲ୍ଲାରେ ଜାତୀୟ ରାଜପଥ-୧୬ରେ ପୁଣି ଘଟିଛି ଭୟଙ୍କର ଦୁର୍ଘଟଣା। ଧର୍ମଶାଳା ଥାନା ଜାରକା ନିକଟ ଦେଉଳି ଗାଁ ସାମ୍ନା ଜାତୀୟ ରାଜପଥ ଗଳିପୋଲ ଉପରେ ମଙ୍ଗଳବାର ରାତିରେ ଧକ୍କା ପରେ ଦୁଇଟି ଟ୍ରକ୍ ଜଳିଯାଇଛି। ଏଥିରେ ଦୁଇ ଡ୍ରାଇଭର ଜୀବନ୍ତଦଗ୍ଧ ହୋଇଯାଇଛନ୍ତି। ଜଣେ ଖଲାସୀ ଗୁରୁତର ହୋଇଛନ୍ତି। ମୃତକଦ୍ବୟ ହେଲେ ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ବାଉଁଶନଟି ଗ୍ରାମର ଟ୍ରେଲର ଚାଳକ ପୀତବାସ ଭୋଳ ଓ ଟ୍ରକ୍ ଚାଳକ ମଉଲଭୋରା ଗାଁର ମାନସ ସ୍ବାଇଁ ବୋଲି ଜଣାପଡ଼ିଛି। ଆହତ ଖଲାସୀଙ୍କ ପରିଚୟ ଜଣାପଡିନାହିଁ। ତାଙ୍କୁ କଟକ ବଡ଼ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
କଟକ ଆଡ଼ୁ ପାଣିକୋଇଲି ଅଭିମୁଖେ ଯାଉଥିବା ଲୁହାଛଡ଼ ବୋଝେଇ ଟ୍ରକ୍ (ଓଡି ୦୯କେ ୦୨୩୮) ଖରାପ ହେବାରୁ ରାସ୍ତା ପାର୍ଶ୍ବରେ ଅଟକିଥିଲା। ଚାଳକ ଓହ୍ଲାଇ ପଛ ଟାୟାର ଖୋଲୁଥିଲେ। ଏହି ସମୟରେ ଦ୍ରୁତଗତିରେ ଆସୁଥିବା ଲୁହାଛଡ଼ ବୋଝେଇ ଟ୍ରେଲର (ଓଆର୍୧୪ୱାଇ–୪୬୧୭) ଭାରସାମ୍ୟ ହରାଇ ସାମ୍ନା ଟ୍ରକ୍ ପଛରେ ଧକ୍କା ଦେଇ ଜଳିଯାଇଥିଲା। ଦୁଇ ଗାଡ଼ି ମଝିରେ ଚାପିହୋଇ ସାମ୍ନା ଟ୍ରକ୍ ଚାଳକଙ୍କ ମୃତ୍ୟୁ ହୋଇଥିଲା। ସେହିପରି ଟ୍ରେଲର ଚାଳକ ଚାପି ହୋଇରହିବାରୁ ସେ ମଧ୍ୟ ଜଳିଯାଇଥିଲେ। ଦୁର୍ଘଟଣା ସମୟର ପ୍ରଚଣ୍ତ ଶବ୍ଦ ଶୁଣି ନିକଟସ୍ଥ ଲୋକମାନେ ଆସି ପହଞ୍ଚିଥିଲେ। ସେତେବେଳକୁ ଦୁଇଟି ଗାଡ଼ି ହୁତୁ ହୁତୁ ହୋଇ ଜଳୁଥିଲା। ଚିତ୍କାର ଶୁଣି ଲୋକମାନେ ଟ୍ରେଲର ଖଲାସୀଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲେ। ଚାଳକଦ୍ବୟଙ୍କୁ ଉଦ୍ଧାର କରିପାରି ନଥିଲେ। ଦେଉଳି ଗ୍ରାମର ସଞ୍ଜୟ କୁମାର ମିଶ୍ର ପୁଲିସ୍ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ସେମାନେ ପହଞ୍ଚିଲା ବେଳକୁ ଉଭୟ ଚାଳକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇ ସାରିଥିଲା। ପୁଲିସ୍ ୨ ମୃତଦେହ ଓ ଦୁର୍ଘଟଣାଗ୍ରସ୍ତ ଗାଡ଼ି ଦୁଇଟିକୁ ଜବତ କରି ଘଟଣାର ତଦନ୍ତ କରୁଛି।
ସୂଚନାଯୋଗ୍ୟ ଯେ ଗତ ଫେବ୍ରୁଆରି ୨୫ତାରିଖରେ ନେଉଳପୁର ନିକଟ ସେଣ୍ଟ୍ରାଲ ବ୍ୟାଙ୍କ୍ ସାମ୍ନା ୧୬ନମ୍ବର ଜାତୀୟ ରାଜପଥ ପାର୍ଶ୍ବରେ ପୂର୍ବରୁ ଦୁର୍ଘଟଣାଗ୍ରସ୍ତ ହୋଇ ପଡ଼ିଥିବା ଅଧାପୋଡ଼ା ଟ୍ରକ୍ ପଛରେ ଏକ ଆଇଚର ଟ୍ରକ ପିଟି ହେବାରୁ ବଙ୍ଗୀୟ କୁକୁଡ଼ା ବ୍ୟବସାୟୀଙ୍କ ସମେତ ୭ଜଣଙ୍କ ମୃତ୍ୟୁ ହୋଇଥିଲା। ରାଜପଥ ପାର୍ଶ୍ବରେ ଘଣ୍ଟାଘଣ୍ଟା ଧରି ଟ୍ରକ୍ ଅଟକି ରହୁଥିବାରୁ ଟ୍ରାଫିକ୍ ଭିଡ଼ହୋଇ ବାରମ୍ବାର ଦୁର୍ଘଟଣା ହେଉଛି। ଏଥିପ୍ରତି ରାଜପଥ କର୍ତ୍ତୃପକ୍ଷ ତଥା ସ୍ଥାନୀୟ ପୁଲିସ୍ ଦୃଷ୍ଟି ଦେଉନଥିବାରୁ ଦୁର୍ଘଟଣା ବଢ଼ିବା ସହ ଧନଜୀବନ ହାନି ହେଉଛି।