କାଳିଆପାଣି: କଟକ ବନଖଣ୍ଡ ସୁକିନ୍ଦା ଓ ଟମକା ବନାଞ୍ଚଳରେ ୧୧ ଦିନ ଧରି ୨ ଗୋଠଛଡ଼ା ଦନ୍ତା ବିଭିନ୍ନ ଗାଁଗଣ୍ଡାରେ ବେଧଡ଼କ ବୁଲୁଛନ୍ତି। ଚଲାପଥ ବଦଳାଇ ପୋଷାହାତୀ ଭଳି ଗାଁ ଦାଣ୍ଡରେ ଚାଲୁଛନ୍ତି। ଗତକାଲି ରାତିରେ ଦନ୍ତା ଦ୍ବୟ ଟମକା ବନାଞ୍ଚଳରୁ କେନ୍ଦୁଝରଜିଲ୍ଲା ଆନନ୍ଦପୁର ବନ୍ୟପ୍ରାଣୀ ବନଖଣ୍ଡର ବ୍ରାହ୍ମଣୀପାଳ ବନାଞ୍ଚଳ ହୋଇ ଦେଓଗାଁ ବନାଞ୍ଚଳରେ ପଶିଥିଲେ। ୮ ଘଣ୍ଟା ପରେ ପୁଣି ଦନ୍ତାଦ୍ବୟ କଟକ ବନଖଣ୍ଡ ଫେରି ସୋମବାର ରାତି କୁମ୍ଭନାଗରା ଗାଁରେ ରହିଛନ୍ତି।
ସୋମବାର ସକାଳ ୨ ଦନ୍ତା ଦେଓଗାଁ ବନାଞ୍ଚଳ ଦରଡ଼ିପାଳ ଓ ରେକୁଟିଆ ଗାଁ ଦାଣ୍ଡରେ ବୁଲୁଥିବା ଦେଖାଯାଇଥିଲା। ଏହାପରେ ଦେଓଗାଁ ଶନିତୋଟା ପାଖରେ ଯାଜପୁର-କେନ୍ଦୁଝର ଜିଲ୍ଲା ସୀମାନ୍ତ ସେତୁ ତଳେ କୁଶଭଦ୍ରା(କୁଶେଇ) ନଦୀରେ ଦନ୍ତା ଦ୍ବୟ ଘଣ୍ଟାଏ ଧରି ଜଳକ୍ରୀଡ଼ା କରିଥିଲେ। ନଦୀରୁ ଉଠି ପାର୍ଶ୍ବସ୍ଥ ଟମକା ରେଞ୍ଜ୍ କୁମ୍ଭନାଗରା ଗାଁର ଭାଗିରଥୀ ବାରିକ, ଚିତ୍ତରଞ୍ଜନ ପଲେଇ, ଭୀମସେନ ଜେନା ଓ ଲକ୍ଷ୍ମୀଧର ବେହେରାଙ୍କ ଧାନଜମିରେ ଧାନଗଛ ଖାଉଥିବା ଦେଖାଯାଇଥିଲା।
ବହୁ ଜମିରେ ଦଳାଚକଟା କରିଥିବା ଅଭିଯୋଗ ହୋଇଛି। ମଧ୍ୟାହ୍ନରୁ ଭାଗିରଥୀ ବାରିକଙ୍କ ବାଡ଼ିପଛ ଠାକୁରାଣୀଶାଳ ବଣରେ ଥିବା ବରଗଛରୁ ଡାଳ ଖାଇ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଶୋଇଥିଲେ। ଏଠାରୁ ଗଉଡ଼ବାହାଳି ଗାଁକୁ ଯାଇ ପୁଣି ଫେରି ରାତିରେ ସେହି ଠାକୁରାଣୀଶାଳ ବରଗଛ ପାଖରେ ହାତୀଦ୍ବୟ ରହିଛନ୍ତି। ବନ ବିଭାଗ ବାଣ ଫୁଟାଇ ଓ ବାଜା ବଜାଇ ତଡ଼ିବା ଉଦ୍ୟମ କରୁଥିଲେ ହେଁ ଏହା ଦନ୍ତା ଦ୍ବୟକୁ ବିଚଳିତ କଲାଭଳି ଜଣାପୁନାହିଁ। ବରଂ ନିର୍ଭୟରେ ବୁଲାବୁଲି କରିବା, ମନଭରି ଖାଇବା, ବିଶ୍ରାମ ପରେ ହାତୀ ଦ୍ବୟ ସ୍ଥାନ ପରିବର୍ତ୍ତନ କରୁଥିବା ଦେଖାଯାଉଛି।
ଗତ ୭ ତାରିଖରୁ ଡୁବୁରି ଓ ଟମକା ସେକ୍ସନର ବିଭିନ୍ନ ଗ୍ରାମ୍ୟ ଜଙ୍ଗଲରେ ୨ ଦିନ ସେମାନେ ସାଥୀହୋଇ ବୁଲିଥିଲେ। ଢେଙ୍କାନାଳ ବନଖଣ୍ଡ କପିଳାସ ଅଭୟାରଣ୍ୟର ବାହୁବଳୀ ଦନ୍ତା ଓ ଭୁବନ ବନାଞ୍ଚଳରୁ ଆସିଥିବା ଅନ୍ୟ ଏକ ଦନ୍ତା ହାତୀ ଏଭଳି ବୁଲୁଥିବା ଦେଖାଯାଉଛି। ସୁକିନ୍ଦା ବନାଞ୍ଚଳର ସଂସାଇଲୋ ଗ୍ରାମ୍ୟ ଜଙ୍ଗଲ ଅତିକ୍ରମ କରି ୨ ହାତୀ ଡୁବୁରି ବନାଞ୍ଚଳର ଡୁବିଖାଲ, ଶ୍ରୀରାମପୁର, ସାହାପୁର ଓ ଶଗଡ଼ଗୁଳା ଜଙ୍ଗଲରେ ରହିଥିଲେ। ଗତକାଲି ଟମକା ସେକ୍ସନର କମଳାବାହାଳି, ବେଣାପାଟିଆ, ତାରି, ଦୁର୍ଗାପୁର, ଫୁଲଝର, ଟମକା, ପାଣୁବାହାଳି, ସମରପିଟା ଓ ଜନିନ୍ଦାପାଳରେ ବୁଲିଥିଲେ।
Jajpur