ଡାଆଣୀ ସନ୍ଦେହରେ ଟ୍ରିପଲ୍‌ ମର୍ଡର ମାମଲା : ଦୁଇ ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡ

ରାଇରଙ୍ଗପୁର : ମୟୂରଭଞ୍ଜ ଜିଲ୍ଲା ବାଦାମପାହାଡ଼ ଥାନା ଝିପାବନ୍ଧ ଗ୍ରାମର ବହୁଚର୍ଚ୍ଚିତ ଟ୍ରିପଲ୍‌ ମର୍ଡର ମାମଲାର ରାୟ ଆଜି ପ୍ରକାଶ ପାଇଛି। ୨୦୧୭ ମସିହାରେ ଡାଆଣୀ ସନ୍ଦେହରେ ସଂଘଟିତ ଏହି ଲୋମଟାଙ୍କୁରା ହତ୍ୟା ଘଟଣାରେ ଦୁଇ ଅଭିଯୁକ୍ତ ଅର୍ଜୁନ ସିଙ୍କୁ ଓ ଗୁରୁଚରଣ କାରୁଆଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ଅନୁପ ରଞ୍ଜନ ପଟ୍ଟନାୟକ। ଜେଲ ଦଣ୍ଡ ସହ ଉଭୟଙ୍କୁ ୧୦ ହଜାର ଟଙ୍କା ଜରିମାନା ମଧ୍ୟ କରାଯାଇଛି। ଜରିମାନା ଅନାଦେୟ ଅତିରିକ୍ତ ୬ ମାସ କାରାଦଣ୍ଡ ଭୋଗିବାକୁ ରାୟରେ ଉଲ୍ଲେଖ ରହିଛି।

୨୦୧୭ ମସିହା ଜୁଲାଇ ୧୮ ତାରିଖରେ ଝିପାବନ୍ଧ ଗ୍ରାମର ମଧୁସୂଦନ ସିଙ୍କୁଙ୍କ ପତ୍ନୀ ରିଙ୍କି ସିଙ୍କୁ (୩୫) ତାଙ୍କର ଦୁଇ ପୁଅ ଜଗନ୍ନାଥ (୧୦) ଓ ଯଶୋବନ୍ତ (୩)ଙ୍କୁ ନେଇ ବାପଘର ରାଇପଡ଼ାକୁ ବାହରିଥିଲେ। ହେଲେ ବାପଘରେ ପହଞ୍ଚିଲେନି। ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ୨୧ ତାରିଖ ଦିନ ଝିପାବନ୍ଧ ଜଙ୍ଗଲ ଭିତରୁ ମା ଓ ଦୁଇ ପୁଅଙ୍କ ମୃତଦେହ ମିଳିଥିଲା। ସ୍ୱାମୀ ମଧୁସୂଦନଙ୍କ ଅଭିଯୋଗ ମୁତାବକ ସେହି ଗ୍ରାମର ଅର୍ଜୁନ ସିଙ୍କୁ ଓରଫ ବିଜୟ (୨୭) ଓ ଗୁରୁଚରଣ କାରୁଆ (୨୨) ତାଙ୍କ ପତ୍ନୀ ରିଙ୍କିଙ୍କୁ ଡାଆଣୀ ବୋଲି ସନ୍ଦେହ କରି ଆସୁଥିଲେ। ତେଣୁ ଦୁହେଁ ମିଶି ତାଙ୍କ ପତ୍ନୀ ଓ ଦୁଇ ଛୁଆଙ୍କୁ ହତ୍ୟା କରିଥିବା ନେଇ ସେ ବାଦାମପାହାଡ଼ ଥାନାରେ ଅଭିଯୋଗ କରିଥିଲେ। ଏ ନେଇ ପୁଲିସ କେସ୍‌ ନଂ ୨୨/୧୭ରେ ଏକ ମାମଲା ରୁଜୁ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଜିଆର୍‌ କେସ୍‌ ନଂ ୨୯୯/୧୭ ଓ ଏସଟି ନଂ ୩୦/୧୮ କ୍ରମେ ଏହି ମାମଲା ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ଙ୍କ କୋର୍ଟରେ ବିଚାରାଧୀନ ଥିଲା। ଅତିରିକ୍ତ ପିପି ପଙ୍କଜ ଦାସ ମାମଲା ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର