୧୯ରେ ଓଡ଼ିଶା ଆସିବେ ଦୁଇ କେନ୍ଦ୍ରମନ୍ତ୍ରୀ, ଦେଶବ୍ୟାପୀ ଆରମ୍ଭ ହେବ ‘ଜନ ଆଶୀର୍ବାଦ ଯାତ୍ରା’

ଭୁବନେଶ୍ବର : ଆସନ୍ତା ୧୯ତାରିଖରୁ ବିଜେପି ପକ୍ଷରୁ ସାରା ଦେଶରେ ଜନ ଆଶୀର୍ବାଦ ଯାତ୍ରା ଆରମ୍ଭ ହେବ। ଏଥିରେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ନୂତନ ଭାବେ ଦାୟିତ୍ବ ଗ୍ରହଣ କରିଥିବା ମନ୍ତ୍ରୀମାନେ ଦେଶର ପ୍ରାୟ ୨୧୨ଟି ସଂସଦୀୟ କ୍ଷେତ୍ରକୁ ଯାଇ ଜନଆଶୀର୍ବାଦ ଲୋଡ଼ିବେ। ଏହି ଜନ ଆଶୀର୍ବାଦ ଯାତ୍ରା ୧୪୨ଦିନ ଯାଏଁ ଚାଲିବ। ଏହି ଜନଆଶୀର୍ବାଦ ଯାତ୍ରାରେ ଯୋଗଦେବା ପାଇଁ ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ବିନୀ ବୈଷ୍ଣବ ଆସନ୍ତା ୧୯ତାରିଖରେ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିବେ ବୋଲି ରାଜ୍ୟ ବିଜେପି ପକ୍ଷରୁ କୁହାଯାଇଛି। ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି ଯେ, ୧୯ତାରିଖ ସକାଳେ ଉଭୟ ମନ୍ତ୍ରୀ ଭୁବନେଶ୍ବରରେ ପହଞ୍ଚିବା‌ ପରେ ସିଧାସଳଖ ପୁରୀ ଗସ୍ତ କରି ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିବେ। ଏହାପରେ ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଯୋଗଦେବେ।

ଏହାପରେ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ୧୯ତାରିଖ ସଂଧ୍ୟାରେ ହିଁ ରେଳ ଯୋଗେ ରାୟଗଡ଼ା ଯିବେ। ୨୦ତାରିଖ ସକାଳୁ ସେ କୋରାପୁଟ ଗସ୍ତ କରି ସେଠାରେ ରାତ୍ରିଯାପନ କରିବେ। ୨୧ରେ ଜୟପୁର, ନବରଙ୍ଗପୁର ଦେଇ ଭବାନୀପାଟଣା ଗସ୍ତ କରିବେ। ୨୨ରେ କେସିଙ୍ଗା, ଟିଟିଲାଗଡ଼, କଣ୍ଟାବାଞ୍ଜୀ, ପାଟଣାଗଡ଼ ହୋଇ ବଲାଙ୍ଗୀର ଯିବେ। ଉକ୍ତ ସଂଧ୍ୟାରେ ଶ୍ରୀ ବୈଷ୍ଣବ ବଲାଙ୍ଗୀରରୁ ଭୁବନେଶ୍ବର ଫେରି ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ। ଏହି ଜନ ଆଶୀର୍ବାଦ ଯାତ୍ରାରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ ୭ଟି ଜିଲ୍ଲା, ୬ଟି ଲୋକସଭା ଅଞ୍ଚଳରେ ୧୧୫ଟି ସ୍ଥାନରେ ଅନୁଷ୍ଠିତ ହେବାକୁ ସଭା ଓ କାର୍ଯ୍ୟକ୍ରମରେ ଯୋଗଦେବେ। ସେହିପରି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ବର, ଖୋର୍ଦ୍ଧା, କଟକ, ଜିଲ୍ଲାର ବିଭିନ୍ନ ସ୍ଥାନ ଗସ୍ତ କରିବେ। ଅନ୍ୟତମ କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁ ଅସୁସ୍ଥ ଥିବାରୁ ତାଙ୍କ କାର୍ଯ୍ୟକ୍ରମ ସ୍ଥିର ହୋଇନି ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

ସମ୍ବନ୍ଧିତ ଖବର