ଛେଣ୍ଡିପଦା:  ଜିନ୍ଦଲ ପ୍ଲାଣ୍ଟରୁ ଏକ ଟ୍ରକ୍‌ରେ ଛଡ଼ନେଇ ରାଉରକେଲା ଯିବାବେଳେ ଜରପଡ଼ା ଥାନା ଅଞ୍ଚଳରେ ଚୋରାରେ ତାହା ବିକ୍ରି କରାଯାଇଥିଲା। ଏହି ଘଟଣାରେ ପୁଲିସ ୨ଟି ଗାଡ଼ି ଜବତ କରିବା ସହ ୪ ଜଣଙ୍କୁ ଗିରଫ କରିଛି।  ପୁଲିସ ସୂତ୍ରରୁ ପ୍ରକାଶ, ଗତକାଲି ରାତି ପ୍ରାୟ ୯ ଟାବେଳେ ଏକ ଟ୍ରକ୍‌ (ଓଡ଼ି-୦୫-ଏଏସ-୫୨୯୮) ଜିନ୍ଦଲ ପ୍ଲାଣ୍ଟରୁ ଛଡ଼ ନେଇ ରାଉରକେଲା ଯାଉଥିଲା।  ଟ୍ରକ୍‌ ଚାଳକ ଢେଙ୍କାନାଳ ସଦର ଥାନା ଇନ୍ଦିପୁର ଖୁଣ୍ଟଝରି ଗାଁର କୁଞ୍ଜବିହାରୀ ବେହେରା(୩୬) ଓ ଖଲାସୀ ସେହି ଥାନା ଗୋବିନ୍ଦପ୍ରସାଦ ଗାଁର କମଳାକାନ୍ତ ଜେନା(୧୯) ଉକ୍ତ ଟ୍ରକ୍ ନେଉଥିଲେ।

Advertisment

୫୫ ନମ୍ବର ଜାତୀୟ ରାଜପଥରେ ଜରପଡ଼ା ଥାନା ତୁବେ ନିକଟରେ ଯୋଜନାବଦ୍ଧ ଭାବେ ଟ୍ରକ୍‌ ଛିଡ଼ାକରି ଚୋରାରେ ଛଡ଼ ବିକ୍ରି କରିଥିଲେ। ପୁଲିସ  ଉକ୍ତ ଟ୍ରକ ଜବତ କରିବା ସହିତ ଚାଳକ କୁଞ୍ଜବିହାରୀ ଓ ଖଲାସୀ କମଳାକାନ୍ତଙ୍କୁ ଗିରଫ କରିଥିଲେ। ଚୋରି ରଡ଼ ନେଇ ଏକ ପିକ୍‌ଅପ୍‌ ଭ୍ୟାନ୍‌  (ଓଡ଼ି୦୫ଏଏଫ୍‌-୯୨୧୮) ଯିବାବେଳେ ତାହାକୁ ବନ୍ତଳା ନିକଟରେ ଜବତ କରାଯାଇଥିଲା। ଏଥିସହ ଭ୍ୟାନ୍‌ ଚାଳକ ରାସୋଳ ଥାନା ଗଣ୍ଡାନାଳୀ ଗାଁର ଶଶିକାନ୍ତ ସାହୁ(୧୯) ଓ ଖଲାସୀ ରାଜେନ୍ଦ୍ର ସ୍ୱାଇଁ(୨୨)ଙ୍କୁ ଗିରଫ କରାଯାଇଥିଲା। ପୁଲିସ ଏ ସଂପର୍କରେ ମାମଲା ରୁଜୁ କରିବା ସହ ଆଜି ଦୁଇ ଚାଳକ ଓ ଦୁଇ ଖଲାସୀଙ୍କୁ କୋର୍ଟ ଚାଲାଣ କରିଛି।