ପଞ୍ଚାୟତ ନିର୍ବାଚନ: ଦାବି ପୂରଣ ନୋହିଲା, ଭୋଟ ବର୍ଜନ କରିବେ ୨ଟି ଗାଁର ଲୋକେ

ତେନ୍ତୁଳିଖୁଣ୍ଟି: ଚଳିତ ମାସ ୧୮ ତାରିଖ ଠାରୁ ଆରମ୍ଭ ହେବ ପଞ୍ଚାୟତ ନିର୍ବାଚନ ପାଇଁ ମତଦାନ। ଏହି ପରିପ୍ରେକ୍ଷୀରେ ରାଜନୀତି ଉଷ୍ମତା ବୃଦ୍ଧି ପାଇବାରେ ଲାଗିଛି। ବିଭିନ୍ନ ଦଳ ଭୋଟରଙ୍କୁ କେମିତି ଆକୃଷ୍ଟ କରିହେବ ସେନେଇଁ ରଣନୀତି କରିଛନ୍ତି। ତେବେ ନବରଂଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ସଦର ପଞ୍ଚାୟତ ଅନ୍ତର୍ଗତ ଲଦିପଦର ଓ ବରଡ଼ାଯୋଡି ଗ୍ରାମବାସୀ ଭୋଟ ବର୍ଜନ ପାଇଁ ନିଷ୍ପତ୍ତି ନେଇଛନ୍ତି। ଲଦିପଦର ଓ ବରଡ଼ାଯୋଡି ଗ୍ରାମବାସୀଙ୍କ କହିବା ଅନୁଯାୟୀ ଜଙ୍ଗଲ ଘେରା ମଧ୍ୟରେ ଏହି ଦୁଇ ଗ୍ରାମ ରହିଛି ।ବରଡ଼ାଯୋଡି ଗ୍ରାମରେ ୬୫ଟି ପରିବାର ରହୁଥିବା ବେଳେ ଲଦିପଦର ଗ୍ରାମରେ ୩୫ଟି ପରିବାର ବସବାସ କରନ୍ତି। ଏହି ଦୁଇ ଗ୍ରାମର ଭୋଟର ସଂଖ୍ୟା ୧୬୭ ଜଣ।

ଦୀର୍ଘ ବର୍ଷ ହେଲା ଏହି ଦୁଇ ଗ୍ରାମକୁ ପକ୍କା ସଡ଼କ ବ୍ୟବସ୍ଥା ହୋଇନଥିବାରୁ ଆମ୍ବୁଲାନ୍ସ ପହଞ୍ଚି ପାରୁନାହିଁ। ରାତି ଅଧିଆ କାହାର ଦେହ ଅସୁସ୍ଥ ହେଲେ ଡାକ୍ତରଖାନା ଯିବାକୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ସେହିପରି ପାନୀୟଜଳ ଏବଂ ବିଜୁଳି ବ୍ୟବସ୍ଥା ହୋଇନି। ଫଳରେ ସମ୍ପୃକ୍ତ ଦୁଇ ଗ୍ରାମବାସୀ ଝରଣା ପାଣି ଉପରେ ନିର୍ଭର କରି ଚଳୁଛନ୍ତି । ବାରମ୍ବାର ଦାବି ସତ୍ତ୍ବେ କୌଣସି ସୁଫଳ ମିଳୁନି।

ତେବେ ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନିମନ୍ତେ ଭୋଟ ବର୍ଜନ ପାଇଁ ସମ୍ପୃକ୍ତ ଦୁଇ ଗ୍ରାମବାସୀ ପ୍ରଶାସନକୁ ଚେତାବନୀ ଦେଇଛନ୍ତି। ଏନେଇ ପୂର୍ବରୁ ବିଡ଼ିଓଙ୍କ ଦୃଷ୍ଟି ଆକର୍ଷଣ କରିଥିବାବେଳେ ବର୍ତ୍ତମାନ ଦୁଇ ଗ୍ରାମବାସୀ ଭୋଟ ଦେବାକୁ ରୋକଠକ ମନା କରି ବିଭିନ୍ନ ସ୍ଥାନରେ ବ୍ୟାନର ଲଗାଯାଇଥିବା ଦେଖିବାକୁ ମିଳିଛି। ସମ୍ପୃକ୍ତ ଦୁଇ ଗ୍ରାମବାସୀ ବାସ୍ତବରେ ଭୋଟ ବର୍ଜନ କରିବେ ନା ଏହା ରାଜନୀତି ଗୋଟି ଚାଳନା କରାଯାଉଛି ତାହା ନିର୍ବାଚନ ତାରିଖ ଦିନହିଁ ଜଣାପଡିବ ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି।

ସମ୍ବନ୍ଧିତ ଖବର