ଆନନ୍ଦପୁର : ରଜରେ ଯୁବକଙ୍କ ମଧ୍ୟରେ ସାମାନ୍ୟ ଗଣ୍ଡଗୋଳକୁ ନେଇ ଦୁଇଗ୍ରାମର ଲୋକେ ମୁହାଁମୁହିଁ ହୋଇଛନ୍ତି। ରବିବାର ପୂର୍ବାହ୍ନରେ ଏହାକୁ କେନ୍ଦ୍ରକରି କେନ୍ଦୁଝର ଓ ଯାଜପୁର ଜିଲ୍ଲାର ଦୁଇ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ଏହି ସମୟରେ ପୁଲିସ୍ ପହଞ୍ଚି ଯିବାରୁ ଏକ ବଡ ଧରଣର ଅଘଟଣ ଟଳି ଯାଇଛି।

Advertisment

ସୂଚନା ଅନୁସାରେ ରଜସଂକ୍ରାନ୍ତି ଦିନ ଯାଜପୁର ଜିଲ୍ଲା ଟମକା ଥାନା ଆମ୍ପୋର ଓ ଘସିପୁରା ଥାନା ଦରଡ଼ିପାଳର ଯୁବକଙ୍କ ମଧ୍ୟରେ ଗଣ୍ଡ‌ଗୋଳ ହୋଇଥିଲା। ସେହିଦିନଠାରୁ ଉଭୟ ଗ୍ରାମର ଯୁବକଙ୍କ ମଧ୍ୟରେ ଛକାପଞ୍ଝା ଲାଗି ରହିଥିଲା। ଗତକାଲି ଆମ୍ପୋର ଗ୍ରାମର ଯୁବକମାନେ ଦରଡ଼ିପାଳ ଯୁବକଙ୍କ ଚାରିଟି ବାଇକ୍ ଭାଙ୍ଗି ଦେଇଥିବା ମଧ୍ୟ କୁହାଯାଉଛି। ଏହାପରେ ଉଭୟ ଗ୍ରାମ ମଧ୍ୟରେ ତିକ୍ତତା ବଢିଥିଲା। ରବିବାର ପୂର୍ବାହ୍ନ ୧୦ଟାବେଳେ ଦୁଇଗ୍ରାମର ଯୁବକ ଠେଙ୍ଗାବାଡ଼ି ଓ ଅନ୍ୟାନ୍ୟ ମାରଣାସ୍ତ୍ର ଧରି ମୁହାଁମୁହିଁ ହେବାକୁ ପ୍ରସ୍ତୁତ ହେଉଥିବାବେଳେ ଘସିପୁରା ଥାନା ଅଧିକାରୀ ବିକ୍ରମ କୁମାର ଭୂୟାଁ ଓ ଟମକା ଥାନା ପୁଲିସ୍ ଫୋର୍ସ ସହିତ ପହଞ୍ଚି ଉଭୟ ଗ୍ରାମର ଯୁବକଙ୍କୁ ଅଟକାଇଥିଲେ। ଗ୍ରାମର ଯୁବକଙ୍କୁ ବୁଝାଶୁଝା କରିବାପରେ ଏକ ବଡ ଧରଣର ଅଘଟଣ ଟଳି ଯାଇଥିଲା। ଉଭୟ ଥାନା ପୁଲିସ୍ ପକ୍ଷରୁ ଗ୍ରାମରେ ଫୋର୍ସ ମୁତୟନ କରାଯାଇଥିବାବେଳେ ପରିସ୍ଥିତି ଉପରେ ନଜର ରଖାଯାଇଛି।