ବଣାଇଗଡ଼ : ସେଇ ପାହାଡ଼ି ରାସ୍ତା ଉପରେ ୪ ଖଣ୍ଡ ଗ୍ରାମବାସୀ ନିର୍ଭର କରିଥାନ୍ତି। ଖରାଦିନେ ତ ଯଥାକଥା ଚଳିଯାଏ। କିନ୍ତୁ ଯମଯନ୍ତ୍ରଣା ମିଳେ ବର୍ଷାଋତୁରେ। ପାହାଡ଼ ପାଣିରେ ରାସ୍ତା ଧୋଇଯାଏ ତ ପଥରଖସି ବନ୍ଦ ହୋଇଯାଏ। ଫଳରେ ଲୋକେ ନାହିଁ ନଥିବା ଅସିବିଧାର ସମ୍ମୁଖୀନ ହୋଇଥାନ୍ତି। ଗାଁକୁ ସବୁଦିନିଆ ରାସ୍ତାଟିଏ ପାଇଁ ଗାଁଲୋକେ ବାରମ୍ବାର ପ୍ରଶାସନ ନିକଟରେ ଗୁହାରି କରି ଥକିଗଲେ। ତେଣୁ ଦୁଇ ଗାଁର ଲୋକେ ନିଜ ଉଦ୍ୟମରେ ରାସ୍ତା ମରାମତି କରିବେ ବୋଲି ନିଷ୍ପତ୍ତି ନେଇଥିଲେ। ସେଥିପାଇଁ ଦୁଇଗାଁର ଲୋକେ ମିଳିତ ହୋଇ ରାସ୍ତା ମରାମତି କରିବା ସହ ଅନ୍ୟମାନଙ୍କ ପାଇଁ ଉଦାହରଣଟିଏ ସୃଷ୍ଟି କରିଛନ୍ତି।

Advertisment

ବଣାଇ ଉପଖଣ୍ଡର ଗୁରୁଣ୍ଡିଆ ବ୍ଲକ୍‌ ସୋଲ ପଞ୍ଚାୟତର କଣ୍ଟାମୁଣ୍ଡା ଗାଁରାସ୍ତା ଅତି ଶୋଚନୀୟ ହୋଇପଡ଼ିଥିଲା। ଏହି ରାସ୍ତା ଉପରେ ୪ଟି ଗାଁ କୁଞ୍ଜର, କଣ୍ଟାମୁଣ୍ଡା, ସୋଲଗୁଡ଼ା ଓ କେଲୋର ସହସ୍ରାଧିକ ଲୋକ ନିର୍ଭର କରିଥାନ୍ତି। ଏହା ଏକ ସବୁଦିନିଆ ରାସ୍ତା ହୋଇ ନଥିବାରୁ ବର୍ଷାଦିନେ ଏହି ଗ୍ରାମବାସୀ ବହୁ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ପାହାଡ଼ପାଣିରେ ରାସ୍ତା ଧୋଇଯାଏ ତ ପାହାଡ଼ରୁ ବଡ଼ ବଡ଼ ପଥରଖସି ରାସ୍ତା ବନ୍ଦ ହୋଇଯାଏ। ରାସ୍ତାର ମରାମତି ତଥା ସବୁଦିନିଆ ରାସ୍ତାଟିଏ ତିଆରି ପାଇଁ ଗ୍ରାମବାସୀ ପଞ୍ଚାୟତଠାରୁ ବ୍ଲକ୍‌ ପର୍ଯ୍ୟନ୍ତ ବାରମ୍ବାର ଗୁହାରି କଲେ ବି ପ୍ରଶାସନ ନିଦାବିଷ୍ଣୁ ସାଜିଲା। ତେଣୁ ଗ୍ରାମବାସୀ ନିଜ ଉଦ୍ୟମରେ ରାସ୍ତା ମରାମତି କରିବେ ବୋଲି ସିଦ୍ଧାନ୍ତ କଲେ। ଏଥିପାଇଁ ଦୁଇ ଗାଁ କୁଞ୍ଜର ଓ କଣ୍ଟାମୁଣ୍ଡାର ୨ ଶହରୁ ଅଧିକ ବ୍ୟକ୍ତି ଆଗେଇ ଆସିଲେ। ରାସ୍ତାରୁ ପଥର ହଟାଇବା ସହ ପାହାଡ଼ ଉପରୁ ପଡ଼ିଥିବା ପଥର ଫଟାଇ ରାସ୍ତା ମରାମତି କରିଥିଲେ। ସାୟୁନ ବାରୁଆ, ଧର୍ମଦାସ ବାରୁଆ, ସାଚମଲ ସାଙ୍ଗା, ଦାଉଦ କୁଜୁର, ଜନା ବାରୁଆ, ବିଲତ୍ରସ ଖାଲଖୋ, ଡେଭିଡ୍‌ ଖାଲଖୋ, ଆବାତର ବାରୁଆ ପ୍ରମୁଖଙ୍କ ନେତୃତ୍ବରେ ଗ୍ରାମବାସୀ ବହୁସଂଖ୍ୟାରେ ପରସ୍ପର ହାତମିଳାଇ ରାସ୍ତାକାମ କରିଥିଲେ। ଏଥିପାଇଁ ସ୍ଥାନୀୟ ଅଞ୍ଚଳରେ ସେମାନଙ୍କୁ ପ୍ରଶଂସା କରାଯାଇଛି।