ରାଜନଗର : କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରରେ ଜଣେ ୧୭ ବର୍ଷୀୟା ଯୁବତୀ କରୋନା ପଜିଟିଭ ଚିହ୍ନଟ ହେବା ପରେ ରାଜନଗରର ୨ଟି ଗାଁ ୪୮ ଘଣ୍ଟା ପାଇଁ ସିଲ୍‌ କରାଯାଇଛି। ଡାକ୍ତରୀ ଟିମ୍‌ ଘରଘର ବୁଲି ସର୍ଭେ କରିଥିବାବେଳେ ୧୫ ଜଣଙ୍କ ସ୍ବାବ୍‌ ନମୁନା ସଂଗ୍ରହ କରାଯାଇଛି। ଏହା ପୂର୍ବରୁ ଆଳିରେ ଜଣେ ଚିହ୍ନଟ ହୋଇଥିବାବେଳେ ଜିଲ୍ଲାରେ କରୋନା ପଜିଟିଭଙ୍କ ସଂଖ୍ୟା ୨ରେ ପହଞ୍ଚିଛି।

Advertisment

ରାଜନଗରର କରୋନା ଆକ୍ରାନ୍ତ ଏହି ଯୁବତୀ ଜଣକ ଲକ୍‌ଡାଉନ୍‌ ପରେ କଲିକତାରୁ ତାଙ୍କ ବାପା ଓ ନିକଟବର୍ତ୍ତୀ ଗାଁର ଅନ୍ୟ ଜଣେ ବ୍ୟକ୍ତିଙ୍କ ସହିତ ଫେରିଥିଲେ। ଯୁବତୀଙ୍କ ସ୍ବାବ ରିପୋର୍ଟ ପଜିଟିଭ୍ ବାହାରିବା ପରେ ତାଙ୍କୁ ଗତକାଲିଠାରୁ କଟକର ସିଡିଏ ସେକ୍ଟର-୬ସ୍ଥିତ ଅଶ୍ବିନୀ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଗତକାଲି ରାତିରେ ଦୁଇଟି ଗାଁର ୯ ଜଣ ବ୍ୟକ୍ତି, ଜଣେ ଡାକ୍ତର ଓ ୫ଜଣ ସରକାରୀ କର୍ମଚାରୀଙ୍କ ସମେତ ମୋଟ ୧୫ଜଣଙ୍କ ସ୍ୱାବ୍‌ ନମୁନା ସଂଗ୍ରହ କରାଯାଇଛି। ଗାଁକୁ ସାନିଟାଇଜ କରାଯିବା ସହ ଡାକ୍ତରୀ ଦଳ ଘରକୁ ଘର ବୁଲି ସ୍ୱାସ୍ଥ୍ୟାବସ୍ଥା ସର୍ଭେ କରୁଛନ୍ତି।

ସେହିପରି ଗତକାଲି ରାତିରେ ଜିଲ୍ଲାପାଳ ସମର୍ଥ ବର୍ମା, ଏସପି ନିତି ଶେଖର, ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ମିଶ୍ର, ଏସଡିପିଓ ରଂଜନ କୁମାର ଦେ, ହେଡକ୍ୱାର୍ଟର ଡିଏସପି ସୁଶାନ୍ତ କୁମାର ସେନ, ରାଜନଗର ବିଡିଓ ମନ୍ଦରଧର ମହାଳିକ, ତହସିଲଦାର ଭୋଳାନାଥ ସେଠୀ, ଆଇଆଇସି ତପନ କୁମାର ନାୟକ, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଚିକିତ୍ସାଧିକାରୀ ଡା. ରଶ୍ମିରଂଜନ ମହାନ୍ତି, ଆଳି ଆଇଆଇସି ସଲିଳ କୁମାର ପ୍ରଧାନ, ଆଳି ବିଡିଓ ଦେବେନ୍ଦ୍ର ଶେଖର ଦାସ ଘଟଣାସ୍ଥଳରେ ପହଞ୍ଚି ଗାଁକୁ ସିଲ୍‌ କରିଥିଲେ। ଗାଁର ଏକମାତ୍ର ପ୍ରବେଶ ପଥ କଟକଣା ଅଢେଇକଣା ରାସ୍ତାର ସେତୁ ନିକଟରେ ଗାଁକୁ ସିଲ କରି ଦିଆଯାଇଛି।

ଏ ସଂପର୍କରେ ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି ଯେ, ସଂପୃକ୍ତ ଯୁବତୀଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବା ବେଳେ ପରିବାର ଲୋକ ଓ ତାଙ୍କ ସଂପର୍କରେ ଆସିଥିବା ଅନ୍ୟମାନଙ୍କୁ ହୋମ୍ କ୍ବାରାଣ୍ଟିନରେ ରଖାଯାଇଛି। ସେମାନଙ୍କ ସ୍ବାବ ପରୀକ୍ଷା ପାଇଁ ପଠାଯାଇଛି। ରିପୋର୍ଟ ଆସିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ। କିନ୍ତୁ ବର୍ତ୍ତମାନ ସଂପୂର୍ଣ୍ଣ ଗ୍ରାମର ବିଶୋଧନ କରାଯାଉଥିବ ବେଳେ ପ୍ରତ୍ୟେକ ଘରକୁ ଘର ଯାଇ ସ୍ବାସ୍ଥ୍ୟ ବିଭାଗର ଟିମ୍ ସମସ୍ତଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପ୍ରକ୍ରିୟା ଆରମ୍ଭ କରିଥିବା ଜିଲ୍ଲାପାଳ ଶ୍ରୀ ବର୍ମା କହିଛନ୍ତି।

ମିଳିଥିବା ସୂଚନା ଅନୁସାରେ, କରୋନା ପଜିଟିଭ ଚିହ୍ନଟ ହୋଇଥିବା ଯୁବତୀଙ୍କ ବାପା କଲିକତାରେ ରହି ଇଲେକ୍ଟ୍ରିକ୍‌ ମିସ୍ତ୍ରି ଭାବେ କାମ କରନ୍ତି। ଯୁବତୀ ଜଣକ ମାଟ୍ରିକ ପରୀକ୍ଷା ଦେବା ପରେ କଲିକତା ବୁଲି ଯାଇଥିଲେ। ଲକ୍‌ଡାଉନ୍‌ ଘୋଷଣା ହେବା ପରେ ଗତମାସ ୨୯ ତାରିଖ ଦିନ ସଂପୃକ୍ତ ଯୁବତୀଙ୍କ ସହିତ ତାଙ୍କ ବାପା ଓ ପାଖ ଗାଁର ଜଣେ ଯୁବକ ଆମ୍ବୁଲାନ୍ସ ଯୋଗେ କଲିକତାରୁ ଗାଁକୁ ଫେରିଥିଲେ। କିନ୍ତୁ ଘରକୁ ଆସି କ୍ବାରାଣ୍ଟିନରେ ରହିଥିଲେ।