କୋରାପୁଟ: କେଡ଼ିଙ୍ଗାମାଳି ବକ୍ସାଇଟ୍ ଡମ୍ଫକୁ ନେଇ ଦୁଇ ଗାଁ ଲୋକଙ୍କ ଜୋରଦାର ବିରୋଧ। ବେଦାନ୍ତ ଓ ମୈତ୍ରୀ ବିରୋଧରେ ସ୍ୱର ଉଠାଇଛନ୍ତି ଓଡ଼ିଆପେଣ୍ଠ ପଞ୍ଚାୟତର ସିଙ୍ଗାରାମ ଓ ଭାଲୁ ଯୋଡ଼ି ଗ୍ରାମବାସୀ। ଗାଁ ଲୋକଙ୍କୁ ସମର୍ଥନ ଜଣାଇଛନ୍ତି ସ୍ଥାନୀୟ ବିଧାୟକ ପବିତ୍ର ସାଉନ୍ତା। ମୈତ୍ରୀ କମ୍ପାନିକୁ ତାଗିଦ୍ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ବେଦାନ୍ତ କମ୍ପାନି ସିଙ୍ଗାରାମ ଗାଁ ଠାରୁ ମାତ୍ର ଶହେ ମିଟର ଦୂରରେ କୋଡ଼ିଙ୍ଗାମାଳିର ବକ୍ଟାଇଟ୍‌ ଡମ୍ପିଂ କରୁଛି। ଏହାଦ୍ଵାରା ପରିବେଶ ଦୂଷିତ ହେବାରେ ଲାଗିଛି। ଦିନରାତି ବକ୍ସାଇଟ୍ ଗୁଣ୍ଡ ଉଡୁଛି। ଏଥିସହ ଜଳବାୟୁ ଦୂଷିତ ହେଉଛି। ଲୋକେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି।

Advertisment

ଏ ସମ୍ପର୍କରେ ଗ୍ରାମବାସୀ ବିରୋଧ କରୁଥିବା ଜାଣିବା ପରେ ଗତ କାଲି ସଂଧ୍ୟାରେ ସ୍ଥାନୀୟ ବିଧାୟକ ଶ୍ରୀ ସାଉନ୍ତା ଗାଁରେ ପହଞ୍ଚିଥିଲେ। ଲୋକଙ୍କ ସହ ଆଲୋଚନା କରିଥିଲେ। ଆଲୋଚନା ବେଳେ ଗ୍ରାମବାସୀ ଅଭିଯୋଗ କରିଥିଲେ ଯେ, ଖଣି ଖନନ ପୂର୍ବରୁ ସେମାନଙ୍କ ଗାଁରେ କୌଣସି ପଲ୍ଲୀସଭା କରାଯାଇନଥିଲା। କମ୍ପାନି କର୍ତ୍ତୃପକ୍ଷ ମନଇଚ୍ଛା କାମ କରୁଛନ୍ତି। ଏହାପରେ ମୈତ୍ରୀ କମ୍ପାନି ମୁଖ୍ୟଙ୍କ ସହିତ ଫୋନ୍‌ରେ ଯୋଗାଯୋଗ କରିଥିଲେ ଶ୍ରୀ ସାଉନ୍ତା। ତାଗିଦ୍ କରିବା ସହ ଜମି ମାଲିକଙ୍କ ସହ ହୋଇଥିବା ଚୁକ୍ତିନାମା ପ୍ରମାଣପତ୍ର ଦେଖାଇବାକୁ କହିଥିଲେ। କମ୍ପାନି କର୍ତ୍ତୃପକ୍ଷ କୌଣସି କାଗଜପତ୍ର ନଦେଇ ଓଲଟି ଯୁକ୍ତିତର୍କ କରିଥିଲେ। ଏଥିରେ ରାଗିଯାଇ ବିଧାୟକ ଶ୍ରୀ ସାଉନ୍ତା କମ୍ପାନି କାମରେ ଲାଗିଥିବା ଠିକାଦାରମାନଙ୍କ ଗାଡ଼ି ହଟାଇବାକୁ କହିଥିଲେ। ଯେ ପର୍ଯ୍ୟନ୍ତ କାଗଜପତ୍ର ଠିକ୍ ହୋଇନାହିଁ, ସେ ପର୍ଯ୍ୟନ୍ତ କାର୍ଯ୍ୟ ବନ୍ଦ ରହିବ ବୋଲି ଧମକ ଦେଇଥିଲେ। ବିଧାୟକ ଶ୍ରୀ ସାଉନ୍ତା କହିଛନ୍ତି, କୋଡିଙ୍ଗାମାଳିରେ ଚାଲିଥିବା କାର୍ଯ୍ୟ ସମ୍ପର୍କରେ ତାଙ୍କୁ କିଛି ଅବଗତ କରଯାଇନାହିଁ।

publive-image

ଏମିତିକି ତହସିଲଦାର କିମ୍ବା ଅନ୍ୟ କୌଣସି ପ୍ରଶାସନିକ ଅଧିକାରୀ ମଧ୍ୟ ଏ ସମ୍ପର୍କରେ ଜାଣିନାହାନ୍ତି। ଖଣି ଖନନ ପୂର୍ବରୁ ଅଞ୍ଚଳବାସୀଙ୍କ ସହିତ ଆଲୋଚନା କରି ପଲ୍ଲୀସଭା ଓ ଗ୍ରାମସଭା ହେବା ଦରକାର। ଏମିତିକି ଲୋକଙ୍କ କ'ଣ ଦାବି ରହିଛି ଏବଂ କେତେ ଲୋକ ଏହାଦ୍ୱାରା ପ୍ରଭାବିତ ହେଉଛନ୍ତି ତାହାର ବିବରଣୀ ରହିବା ଉଚିତ। ଏଠାକାର ଜଙ୍ଗଲ, ଜମି ଓ ଜଳବାୟୁ କେତେ ପ୍ରଦୂଷିତ ହେଉଛି ତାହାକୁ ନେଇ ଆଲୋଚନା ଏବଂ ପର୍ଯ୍ୟାଲୋଚନା ହେବାପରେ ସୁଯୋଗ ଦିଆଯିବ ଅବା ନାହିଁ, ତାହା ସ୍ଥିର କରା‌ଯିବ। ଏହି ପ୍ରସଙ୍ଗ ସେ ବିଧାନସଭାରେ ଉଠାଇବେ। ରାଜ୍ୟ ସରକାର ବିହୀତ ପଦକ୍ଷେପ ନନେଲେ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବେ। ଲୋକଙ୍କ ହକ୍ ପାଇଁ ଲଢେଇ ଜୋରଦାର  ହେବ। ଗ୍ରାମବାସୀଙ୍କ ବିରୋଧ ସମୟରେ ଉଭୟ ଗାଁର ଶତାଧିକ ଲୋକ ଉପସ୍ଥିତ ଥିଲେ। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପୁଲିସ୍ ମୁତୟନ କରାଯାଇଥିଲା। କଂଗ୍ରେସର ଲକ୍ଷ୍ମୀପୁର ଜିଲ୍ଲା ପରିଷଦ ଜୋନ୍-୨ ସଭ୍ୟା ପିଙ୍କି ହିମିରିକା, ଯୁବ କଂଗ୍ରେସ ସଭାପତି ମଣ୍ଟି ଖରା, ଧର୍ମେନ୍ଦ୍ର ବାଘ ଏବଂ ଅନ୍ୟ କେତେକ କର୍ମୀ ଉପସ୍ଥିତ ଥିଲେ। ଖୋଦ୍ ଲକ୍ଷ୍ମୀପୁର ତହସିଲଦାର ନୈବେଦ୍ୟ ଭୋଇ ସେଠାରେ ଉପସ୍ଥିତ ଥିଲେ ମଧ୍ୟ ଏ ବିଷୟରେ ସେ କିଛି ଜାଣି ନଥିବା କହିଛନ୍ତି।