ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ ଲରମ୍ଭା ପଞ୍ଚାୟତ କୁତୁର୍ଲା ଗାଁରେ ଦୁଇଟି ପାନୀୟ ଜଳ ଯୋଗାଣ ପ୍ରକଳ୍ପ ରହିଛି। ତଥାପି ଗ୍ରାମବାସୀ ‌ପାଣି ମୁନ୍ଦିଏ ପାଇଁ ହନ୍ତସନ୍ତ ହେଉଥିବା ପ୍ରକାଶ କରିଛନ୍ତି। ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, ତିନି ୱାର୍ଡ ବିଶିଷ୍ଟ ଏହି ଗାଁରେ ୫ ବର୍ଷ ପୂର୍ବରୁ ଗାଁ ନିକଟରେ ଥିବା ସୁକତେଲ ନଦୀରେ ଏକ ପାନୀୟ ଜଳ ଯୋଗାଣ ପ୍ରକଳ୍ପ କରାଯାଇଥିଲା। ସେଠାରୁ କିଛି ବର୍ଷ ପାଣି ମିଳୁଥିଲା। ଗ୍ରୀଷ୍ମ ଋତୁରେ ଗାଁକୁ ପାଣି ଯୋଗାଣ ହୋଇପାରୁ ନଥିଲା। ଏହାକୁ ନେଇ ଗ୍ରାମବାସୀ ଅଭିଯୋଗ କରିଥିଲେ।

Advertisment

ଅଭିଯୋଗକୁ ଭିତ୍ତି କରି ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ପୁରୁଣା ପ୍ରକଳ୍ପକୁ ବନ୍ଦ କରିବା ନିଷ୍ପତ୍ତି ନେଇ ମେଗା ଜଳ ଯୋଗାଣ ପ୍ରକଳ୍ପ ଆରମ୍ଭ କଲା। ୧ କୋଟି ୩୪ ଲକ୍ଷ ୮୨ ହଜାର ଟଙ୍କାରେ ପ୍ରକଳ୍ପ ନିର୍ମାଣ କରାଗଲା। କାମ ସରିବାର ଇତିମଧ୍ୟରେ ୫ ମାସ ବିତି ଗଲାଣି। ଲୋକେ ପିଇବା ପାଣି ଯୋଗାଇବାକୁ ଦାବି କରିବାରୁ ତରବରିଆ ଭାବେ ପରୀକ୍ଷଣ ସଦୃଶ ଦିନଟିଏ ପାଣି ଦିଆଗଲା। ପରେ ଟ୍ରାନ୍ସଫରମରକୁ ଠିକାଦାର ନେଇ ଯିବାରୁ ଆଉ ପିଇବା ପାଣି ଯୋଗାଣ ହେଉ ନାହିଁ। ଏନେଇ ଗ୍ରାମବାସୀ ଅଭିଯୋଗ କଲେ ବି କେହି ଶୁଣୁ ନଥିବା ଗ୍ରାମବାସୀ କହିଛନ୍ତି।

publive-image

ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହେଲାଣି। ଗାଁରେ ପିଇବା ପାଣି ବ୍ୟବସ୍ଥା ନଥିବାରୁ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପିଇବା ପାଣି ପାଇଁ ପ୍ରାୟ ୨ କିମି ଦୂର ଚାଲି ଚାଲି ସୁକତେଲ ନଦୀକୁ ଯାଇ ବାଲିଚୁଆ ଖୋଳି ପାଣି ସଂଗ୍ରହ କରୁଛନ୍ତି। ଦିନକୁ ୩ ଥର ଗରା ବାଲଟି ଆଦି ଧରି ମହିଳାମାନେ ଖରାରେ ପାଣି ଆଣୁଛନ୍ତି। କିଛି ଦିନ ହେଲା ନଦୀରେ ବି ପାଣି ନଥିବା ଓ ଜଳସ୍ତର ହ୍ରାସ ପାଇଥିବାରୁ ବାଲିଚୁଆରୁ ପାଣି ଆଣିବା ସମୟରେ ଆହୁରି ଅସୁବିଧା ହେଉଥିବା ମହିଳାମାନେ ଅଭିଯୋଗ କରିଛନ୍ତି। ଅପରପକ୍ଷରେ ଏହି ଗାଁଟି ରାଜ୍ୟସଭା ସାଂସଦ ନିରଞ୍ଜନ ବିଶିଙ୍କ ମୂଳ ଗାଁ ହୋଇଥିବାରୁ ଗ୍ରାମବାସୀ ସିଧାସଲଖ ତାଙ୍କୁ ଏନେଇ ଅଭିଯୋଗ କରିଥିବା ଓ ଏହାକୁ ତୁରନ୍ତ କାର୍ଯ୍ୟକ୍ଷମ କରି ଗାଁକୁ ଯଥା ଶୀଘ୍ର ପିଇବା ପାଣି ଯୋଗାଇ ଦେବା ନେଇ ଦାବି କରିଥିବା ଜଣାପଡ଼ିଛି। ତୁରନ୍ତ ଏହି ଗାଁରେ ମେଗା ଜଳ ଯୋଗାଣ ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରିବାକୁ ସେମାନେ ଦାବି କରିଛନ୍ତି।