୨ଜଣଙ୍କୁ ୨୦ ବର୍ଷ ଲେଖାଏଁ ଜେଲ୍‌

କେନ୍ଦୁଝର : ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲାର ବିଚାର କରି ଆଜି କେନ୍ଦୁଝର ଅତିରିକ୍ତ ଜିଲ୍ଲା ଦୌରାଜଜ୍ ତଥା ସ୍ବତନ୍ତ୍ର ବିଚାରପତି ସୁଶ୍ରୀ ଶୁଭଶ୍ରୀ ତ୍ରିପାଠୀ ଦୁଇ ଜଣ ଦୁଷ୍କର୍ମକାରୀଙ୍କୁ ୨୦ ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି। ମାମଲାର ବିବରଣୀରୁ ପ୍ରକାଶ ଯେ, ୨୦୧୭ ଏପ୍ରିଲ ୧୯ ତାରିଖରେ ଘଟଗାଁ ବ୍ଲକ୍‌ ଡଳଙ୍ଗପାଣି ଗ୍ରାମରେ ପାଲା ହେଉଥିଲା। ଗ୍ରାମର ବହୁ ଲୋକଙ୍କ ସହିତ ପୀଡ଼ିତା ନାବାଳିକା ମଧ୍ୟ ପାଲା ଦେଖିବାକୁ ଯାଇଥିଲେ । ରାତି ପାଖାପାଖି ଗୋଟାଏ ବେଳେ ପୀଡ଼ିତା ନାବାଳିକା ଓ ତାର ସାଙ୍ଗ ପରିସ୍ରା କରିବା ପାଇଁ ଯାଇଥିଲେ ।

ଏହିସମୟରେ ଗ୍ରାମର ବରାଳ ନାଏକ (୨୫), କେଦାର ନାଏକ (୨୯) ଏବଂ ଆଉ ଜ‌ଣେ ନାବାଳକ ମିଶି ତାଙ୍କୁ ଜଙ୍ଗଲ ମଧ୍ୟକୁ ଉଠାଇ ନେଇ ଗଣଦୁଷ୍କର୍ମ କରିଥିଲେ। ନାବାଳିକା ସେଠାରୁ ଆସି ଘଟଣା ସଂପର୍କରେ ତାଙ୍କ ପରିବାର ଲୋକଙ୍କୁ ଜଣାଇବା ପରେ ପରିବାର ଲୋକେ ଘଟଗାଁ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ବରାଳ ଓ କେଦାରକୁ ଜେଲକୁ ପଠାଇ ଦିଆଯାଇଥିବା ବେଳେ ନାବାଳକ ଅଭିଯୁକ୍ତକୁ ରାଉରକେଲା ବାଳାଶ୍ରମକୁ ପଠାଇ ଦିଆଯାଇଥିଲା। ଏହି ମାମଲା କୋର୍ଟ ୨୦ ଜଣ ସାକ୍ଷୀଙ୍କ ବୟାନ ଶୁଣିବା ପରେ ବରାଳ ଏବଂ କେଦାରକୁ ୨୦ ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡ ସହିତ ୫୦ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ଅନାଦେୟ ହେଲେ ଅଧିକ ୧ ବର୍ଷ ଜେଲ୍‌ଦଣ୍ଡ ଭୋଗିବାକୁ ପଡ଼ିବ। ଏଥିସହିତ ପୀଡ଼ିତାଙ୍କୁ ୫ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରିବାକୁ ରାୟ ଦେଇଛନ୍ତି। ଏହି ମାମଲାକୁ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପିପି ଗଣେଶ ପ୍ରସାଦ ମହାପାତ୍ର ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର