ଦୁଇଚକିଆ ଗାଡ଼ି ଚଳାଚଳ ପ୍ରସଂଗ : ହାଇକୋର୍ଟଙ୍କ ସାନି ନିର୍ଦ୍ଦେଶ: କଟକଣା ଉଠିନାହିଁ

କେବଳ ବରିଷ୍ଠ ନାଗରିକ ଓ ଭିନ୍ନକ୍ଷମଙ୍କ ପାଇଁ ଅଣ୍ଡରଟେକିଂ ବ୍ୟବସ୍ଥା

କଟକ : ଲକ୍‌ଡାଉନବେଳେ ତିନି ଥର ଅଣ୍ଡରଟେକିଂ ରଖି ଗାଡି ଛାଡିବା ନିୟମ କେବଳ ବରିଷ୍ଠ ନାଗରିକ ଓ ଭିନ୍ନକ୍ଷମଙ୍କ କ୍ଷେତ୍ରରେ ଲାଗୁ ହେବ ବୋଲି ଆଜି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ଗାଡି ଚଳାଚଳ ଉପରୁ ସଂପୂର୍ଣ୍ଣ ଭାବେ କଟକଣା ଉଠିଯାଇଛି ବୋଲି ଗ୍ରହଣ କରାଯିବା ଉଚିତ ନୁହେଁ ବୋଲି ଆଜି ହାଇକୋର୍ଟଙ୍କ ପକ୍ଷରୁ ପ୍ରକାଶିତ ସାନି ଆଦେଶରେ ସ୍ପଷ୍ଟ କରାଯାଇଛି।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ଏପ୍ରିଲ ୯ ତାରିଖରେ ହାଇକୋର୍ଟ ଏ ସଂପର୍କିତ ଜନସ୍ବାର୍ଥ ମାମଲାର ଶୁଣାଣି କରି ଲୋକଙ୍କ ସମସ୍ୟାର ସମାଧାନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ ଯେ, ଲୋକମାନେ ଯେପରି ଅତ୍ୟାବଶ୍ୟକ ସାମଗ୍ରୀ ପାଇପାର‌ିବେ ସେଥିପାଇଁ ସରକାର ସବିଶେଷ ଯୋଜନା ଆଣିବେ। ଫଳରେ ଦୁଇ ଚକିଆ ଯାନ ବ୍ୟବହାର ଦରକାର ପଡିବ ନାହିଁ। କିନ୍ତୁ ଲକ୍‌ଡାଉନ ବେଳେ ଜବତ କରାଯାଇଥିବା ଗାଡିଗୁଡିକୁ ତୁରନ୍ତ ଛାଡିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ସଂପୃକ୍ତ ବ୍ୟକ୍ତିଙ୍କ ନିକଟରୁ ଅଣ୍ଡରଟେକିଂ ରଖି ଗାଡି ଛଡାଯିବ ଏବଂ ଯେଉଁ ବ୍ୟକ୍ତିଙ୍କ ନିକଟରୁ ଗାଡି ଜବତ କରାଯାଇଥିଲା ସେ ଏଭଳି ଭାବେ ଆଉ ଗାଡି ବ୍ୟବହାର କରିବେ ନାହିଁ ବୋଲି ଅଣ୍ଡରଟେକିଂ ‌ଦେବେ। ଏଥିସହିତ ଯଦି କୌଣସି ଲୋକ ଗାଡି ଚଳାଇବା ବେଳେ ଧରା ପଡନ୍ତି, ତେବେ ତାଙ୍କ ଠାରୁ ପ୍ରଥମ ତିନି ଥର କୌଣସି ଜରିମାନା ଆଦାୟ ହେବ ନାହିଁ। କେବଳ ଅଣ୍ଡରଟେକିଂ ରଖି ଛଡାଯିବ ବୋଲି ହାଇକୋର୍ଟ ରାୟ ଦେଇଥିଲେ। ଯେତେବେଳ ପର୍ଯ୍ୟନ୍ତ ଚାଲିବା ଦୂରତାରେ ଅତ୍ୟାବଶ୍ୟକ ସାମଗ୍ରୀ ଉପଲବ୍ଧ ସଂପର୍କିତ ଉପଯୁକ୍ତ ନିୟମାବଳୀ ଓ ବ୍ୟବସ୍ଥା ସରକାର ନ କରିଛନ୍ତି ସେ ପର୍ଯ୍ୟନ୍ତ ଏଭଳି ବ୍ୟବସ୍ଥା ବଳବତ୍ତର ରହିବ ବୋଲି ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଉଲ୍ଲେଖ କରାଯାଇଥିଲା।

ଆଜି ସରକାରଙ୍କ ପକ୍ଷରୁ ଏହି ନିର୍ଦ୍ଦେଶନାମାର ସ୍ପଷ୍ଟୀକରଣ (କ୍ଲାରିଫିକେସନ୍) ଲୋଡା ବୋଲି ଦର୍ଶାଯାଇଥିଲା। ସରକାରଙ୍କ ପକ୍ଷରୁ ଆଡଭୋକେଟ ଜେନେରାଲ ଓ ଅତିରିକ୍ତ ସରକାରୀ ଓକିଲ ଏ ନେଇ ମେମୋ ଦାଖଲ କରି ହାଇକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ ସଞ୍ଜୁ ପଣ୍ଡା ଓ ଜଷ୍ଟିସ ବିଶ୍ବନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠରେ ମାମଲାର ଶୁଣାଣି ସମୟରେ ଭୁବନେଶ୍ବର ଓ କଟକ ପୌର ନିଗମ ଅନ୍ତର୍ଗତ ଆବାସିକ ଅଞ୍ଚଳରେ ଚାଲିବା ଦୂରତାରେ ସଉଦାପତ୍ର, କ୍ଷୀର, ପନିପରିବା ଉପଲବ୍ଧ କରାଇବା ପାଇଁ ଯଥେଷ୍ଟ ସଂଖ୍ୟକ ଭେଣ୍ଡିଂ ‌ଜୋନ୍ ପ୍ରତିଷ୍ଠା କରାଯାଇଛି ବୋଲି ସରକାରଙ୍କ ପକ୍ଷରୁ ଦର୍ଶାଯାଇଥିଲା। ଏଭଳି ପରିସ୍ଥିତିରେ ମୋଟରସାଇକେଲ ଚାଳକଙ୍କ ପାଇଁ ତିନି ଥର ଅଣ୍ଡରଟେକିଂ ରଖିବା ପ୍ରସଂଗରେ ଏପ୍ରିଲ ୯ ତାରିଖରେ ପ୍ରଦାନ କରାଯାଇଥିବା ନିର୍ଦ୍ଦେଶ ଅତ୍ୟାବଶ୍ୟକ ସାମଗ୍ରୀ ଆଣିବାକୁ ଯାଉଥିବା ବରିଷ୍ଠ ନାଗରିକ ଓ ଭିନ୍ନକ୍ଷମଙ୍କ ପାଇଁ ଲାଗୁ ବୋଲି ଖଣ୍ଡପୀଠ ପ୍ରଦାନ କରିଥିବା ସାନି ନିର୍ଦ୍ଦେଶରେ ସ୍ପଷ୍ଟ କରାଯାଇଛି। ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀ ସେମାନଙ୍କ ପରିଚୟପତ୍ର ଓ ପ୍ରମାଣପତ୍ର ଦେଖାଇଲେ ସେମାନଙ୍କ ପାଇଁ ମଧ୍ୟ ପୁଲିସ କର୍ତ୍ତୃପକ୍ଷ କୋହଳ ବ୍ୟବସ୍ଥାର ସୁବିଧା ପ୍ରଦାନ କରିବେ ବୋଲି ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ପ୍ରକାଶିତ ରାୟରେ ସ୍ପଷ୍ଟ କରାଯାଇଛି ଯେ ଏପ୍ରିଲ ୯ ତାରିଖର ନିର୍ଦ୍ଦେଶ ଆଧାରରେ କଟକଣା ସଂପୂର୍ଣ୍ଣ ଉଠିଯାଇଛି ବୋଲି ଗ୍ରହଣ କରାଯିବ ନାହିଁ। ଆଜି ହାଇକୋର୍ଟଙ୍କ ସାନି ନିର୍ଦ୍ଦେଶ ପରେ ଲକ୍‌ଡାଉନ ସମୟରେ ଗାଡି ଚଳାଚଳ ଉପରେ ପୂର୍ବଭଳି କଟକଣା ବଳବତ୍ତର ରହିବ ବୋଲି ସ୍ପଷ୍ଟ ହୋଇଛି।

ମାମଲାର ବିବରଣୀରୁ ପ୍ରକାଶ ଯେ, ଏପ୍ରିଲ ୯ ତାରିଖ ଦିନ ଏ ସଂପର୍କିତ ଜନସ୍ବାର୍ଥ ମାମଲାର ଶୁଣାଣି ସମୟରେ ଲକ୍‌ଡାଉନ ବେଳେ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗରେ ବହୁ ଗାଡି ପୁଲିସ ଜବତ କରିଥିବା ପ୍ରସଂଗରେ ଖଣ୍ଡପୀଠଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଏଥି ସହିତ ଲୋକମାନେ ଘର ନିକଟରେ ଅତ୍ୟାବଶ୍ୟକ ପଦାର୍ଥ ନ ପାଇ ହଇରାଣ ହେଉଛନ୍ତି ବୋଲି ଦର୍ଶାଯାଇଥିଲା। କରୋନା ସଂକ୍ରମଣ ଆଶଙ୍କାରେ ସାରା ଦେଶରେ ଲକ୍‌ଡାଉନ ଘୋଷଣା କରାଯାଇଥିବା ବେଳେ ରାଜ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀ ଲୋକମାନଙ୍କ ଘର ନିକଟରେ ଚାଲିବା ଦୂରତାରେ ମିଳିବା ପାଇଁ ବ୍ୟବସ୍ଥା କରିବା ପର୍ଯ୍ୟନ୍ତ ଦୁଇ ଚକିଆ ଯାନବାହାନ ଚଳାଚଳ ଉପରେ ସଂପୂର୍ଣ୍ଣ ଭାବେ କଟକଣା ଜାରି କରାଯାଇ ପାରିବ ନାହିଁ ବୋଲି ଖଣ୍ଡପୀଠ ନିର୍ଦ୍ଦେଶ ଦେଇଥିଲେ।

ସମ୍ବନ୍ଧିତ ଖବର