ସୁନ୍ଦରଗଡ଼ : ଜୀବନ ସଂଘର୍ଷରୁ ଫୁରସତ ପାଉ ନଥିବା ନିପଟ ଜଙ୍ଗଲି ଗାଁର ଅପାଠୁଆ ଲୋକେ ବି ବୁଝିଲେଣି ଶିକ୍ଷାର ମହତ୍ତ୍ବ। ସେଥିପାଇଁ ତ ଗାଁରେ ଥିବା ପ୍ରାଥମିକ ବିଦ୍ୟାଳୟକୁ ବନ୍ଦ କରିଦେବା ପରେ ଲୋକେ ‘ସ୍କୁଲ ନାହିଁ ତ ଭୋଟ୍ ନାହିଁ’ର ଚେତାବନୀ ନେଇ ପହଞ୍ଚି ଯାଇଛନ୍ତି ପ୍ରଶାସନ ପାଖରେ। ସ୍କୁଲ ପାଇଁ ହେମଗିର ବ୍ଲକ୍ ବସ୍ତିଦାଘୋରା ଓ ସିଂଘାରିବାହାଲ ଗାଁର ଭୋଟ୍ ବର୍ଜନ ନିଷ୍ପତ୍ତି ଚର୍ଚ୍ଚାର ବିଷୟ ହୋଇଛି।

Advertisment

ଗାଁ ଲୋକଙ୍କ ଅଭିଯୋଗ ଅନୁସାରେ, ଗାଁରେ ଦ୍ବାର ମୁହଁରେ ଶିକ୍ଷା ନାମରେ ଶିକ୍ଷା ବିଭାଗ ପ୍ରାଥମିକ ବିଦ୍ୟାଳୟ ଖୋଲିଥିଲା। ଦିନ ମଜୁରି କରୁଥିବା ଚଳୁଥିବା ପରିବାରର ପିଲା ପାଠ ପଢ଼ିବାକୁ ସୁଯୋଗ ପାଇଲେ। ବହୁ ବର୍ଷ ଧରି ଏହା ଠିକଠାକ୍ ଚାଲିଥିବା ବେଳେ ଗତ ବର୍ଷ ପିଲା ସଂଖ୍ୟା କମ୍ ଦର୍ଶାଇ ତାକୁ ବନ୍ଦ କରିଦେଲା ବିଭାଗ। ପିଲାଙ୍କୁ ଅନ୍ୟ ଗାଁକୁ ଯିବାକୁ କୁହାଗଲା। କିନ୍ତୁ ଜଙ୍ଗଲ ରାସ୍ତାରେ ଅନ୍ୟ ଗାଁକୁ ଛୋଟ ପିଲାଙ୍କୁ ଛାଡ଼ିବା ସମ୍ଭବ ହେଲା ନାହିଁ। ଫଳରେ ଏବେ ପିଲାଙ୍କ ପାଠରେ ଏକ ପ୍ରକାର ଡୋରି ପଡ଼ିଛି।

ଏ ସମ୍ପର୍କରେ ଗ୍ରାମବାସୀ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଅନେକବାର ଭେଟି ସ୍କୁଲ ପୁଣି ଖୋଲିବାକୁ ଅନୁରୋଧ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇ ନାହିଁ। ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସମୟରେ ଭୋଟ ବର୍ଜନ କଲେ ହୁଏତ ସରକାର ସେମାନଙ୍କ ଦାବି ଶୁଣିବେ ଭାବି ଅସନ୍ତୁଷ୍ଟ ଗ୍ରାମବାସୀ ଆଜି ହେମଗିର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଭେଟି ଚରମପତ୍ର ପ୍ରଦାନ କରିଛନ୍ତି। ତୁରନ୍ତ ଏ ଦିଗରେ ପଦକ୍ଷେପ ନିଆ ନଗଲେ ଭୋଟ ବର୍ଜନ ନିଶ୍ଚିତ ବୋଲି ଗାଁ ଲୋକେ କହିଛନ୍ତି।