ବିଜୟା ଦଶମୀରେ ବାଣପୁର ତେନ୍ତୁଳିଡିହ ଗ୍ରାମରେ ବିଦ୍ୟୁତ୍ ଆଘାତରେ ଦୁଇ ମହିଳା ମୃତ

ବାଣପୁର : ବିଜୟା ଦଶମୀରେ ବାଣପୁର ତେନ୍ତୁଳିଡିହ ଗ୍ରାମରେ ଘଟିଯାଇଛି ଏକ ବଡ଼ ଅଘଟଣ। ବିଦ୍ୟୁତ ସଂସ୍ପର୍ଶରେ ଆସି ବିଦ୍ୟୁତଲତାଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ ତାଙ୍କୁ ଉଦ୍ଧାର କରିବାକୁ ଯାଇ ପଡୋଶୀ ମମତା ମଧ୍ୟ ମୃତ୍ୟୁର ଶିକାର ହୋଇଛନ୍ତି। ବାଣପୁର ଥାନା ତେନ୍ତୁଳିଡିହ ଗ୍ରାମର ପଙ୍କଜ ମହାପାତ୍ରଙ୍କ ଘରକୁ ବିଦ୍ୟୁତ ସଂଯୋଗ ପାଇଁ ଯାଇଥିବା ତାରଟି ମଙ୍ଗଳବାରେ ଦାଣ୍ତରେ ଲାଗିଥିବା ଲୁହା ଗ୍ରୀଲ ନିକଟରେ ଛିଣ୍ତି ଯାଇଥିବାରୁ ଗ୍ରିଲରେ ବିଦ୍ୟୁତ ପ୍ରବାହିତ ହୋଇଯାଇଥିଲା। ପୂର୍ବାହ୍‌ଣ ପ୍ରାୟ ସାଢେ ଦଶଟାରେ ପଙ୍କଜଙ୍କ ପତ୍ନୀ ବିଦ୍ୟୁତଲତା (୬୩) ଗ୍ରିଲ କବାଟକୁ ଖୋଲିବାରୁ ସେ ବିଦ୍ୟୁତ ସଂସ୍ପର୍ଶରେ ଆସି ଗୁରୁତର ହୋଇପଡିଥିଲେ। ପଡିଶା ଘରର ପ୍ରକାଶ ମହାପାତ୍ରଙ୍କ ପତ୍ନୀ ମମତା (୩୨) ଏହି ସମୟରେ ନିଜ ଘର ବାରଣ୍ତାରେ ଠିଆ ହୋଇଥିଲେ। ତେବେ ହଠାତ୍ ବିଦ୍ୟୁତଲତାଙ୍କର କ’ଣ ହେଲା ବୋଲି ଚିନ୍ତାକରି ତାଙ୍କୁ ଉଦ୍ଧାର କରିବା ପାଇଁ, ମାଉସୀ କ’ଣ ହେଲା କି, ବୋଲି ପାଟିକରି ମମତା ଧାଇଁଯାଇ ବିଦ୍ୟୁତଲତାଙ୍କୁ ଧରିଦେବାରୁ ସେ ମଧ୍ୟ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ। ଫଳରେ ଉଭୟେ ଗୁରୁତର ହୋଇପଡିଥିଲେ। ଚିକିତ୍ସା ପାଇଁ ଉଭୟଙ୍କୁ ପରିବାର ଲୋକେ ବାଲୁଗାଁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ମାତ୍ର ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ପରିବାର ଲୋକେ ମୃତ ଦେହ ଦୁଇଟି ଗ୍ରାମକୁ ନେଇ ଗ୍ରାମ ଶ୍ମଶାନରେ ଅନ୍ତିମ ସଂସ୍କାର କରିଥିଲେ। ଜିଲା ରେଡକ୍ରସ ପାଣ୍ଠିରୁ ଉଭୟ ପରିବାରକୁ ୨୦ ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଛି।

ସମ୍ବନ୍ଧିତ ଖବର