ସମ୍ବଲପୁର: ଅସୁସ୍ଥ ହାତୀ ଦେଖିବାକୁ ଯାଉଥିବା ବେଳେ ଅଘଟଣ, ୪୦୭ ଓଲଟି ୨ ମହିଳା ମୃତ, ୨ ଗୁରୁତର

ସମ୍ବଲପୁର: ଅସୁସ୍ଥ ହାତୀକୁ ଦେଖିବା ପାଇଁ ୪୦୭ରେ କିଛି ଲୋକ ଶନିବାର ଅପରାହ୍ନରେ ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଛନ୍ତି। ମିଳିଥିବା ସୂଚନା ଅନୁସାରେ ଏହି ଘଟଣାରେ ସମ୍ବଲପୁର ଜିଲ୍ଲାର ଯୁଯୁମୁରା ଥାନା ଅନ୍ତର୍ଗତ ଡଙ୍ଗରପଡ଼ା ଅଂଚଳର ୨ ଜଣ ମହିଳାଙ୍କ ମୃତ୍ୟୁ ହୋଇଛି। ମୃତକ ମହିଳା ୨ଜଣ ହେଲେ ଜୟମତି ମିର୍ଦ୍ଧା ଓ ଶୋଭା ମିର୍ଦ୍ଧା।

ନୂଆମୁଣ୍ଡା ଗାଁର ଲୋକମାନେ ଜଙ୍ଗଲରେ ଅସୁସ୍ଥ ହୋଇ ପଡ଼ିଥିବା ଏକ ହାତୀ ଦେଖିବା ପାଇଁ ବାହାରିଥିଲେ। ଅଧ ବାଟରେ ୪୦୭ (ଓଆର ୧୫ବି ୫୨୫୧) ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ କିଛି ଲୋକ ଆହତ ହୋଇଛନ୍ତି। ୨ଜଣ ଗୁରୁତର ଆହତଙ୍କୁ ବୁର୍ଲା ବଡ଼ମେଡିକାଲ ସ୍ଥାନାନ୍ତର କରାଯାଇଛି।

ଯୁଯୁମୁରା ବ୍ଳକର ହିରୋ ନାମକ ଗାଁ ନିକଟରେ କିଛି ଦିନ ହେବ ଏକ ହାତୀ ଅସୁସ୍ଥ ହୋଇ ପଡ଼ିଛି। ଏହି ହାତୀକୁ ଦେଖିବା ପାଇଁ ପ୍ରାୟ ୨୦ କିଲୋମିଟର ଦୂରରୁ ଲୋକମାନେ ଏକାଠି ହେଉଛନ୍ତି। ନୂଆମୁଣ୍ଡା ଗାଁର ପ୍ରାୟ ୪୦ ଜଣ ଲୋକ ଆଜି ଅପରାହ୍ନରେ ଅସୁସ୍ଥ ହାତୀକୁ ଦେଖିବାକୁ ଯାଉଥିବା ବେଳେ ଟସରକଟା ଓ ହିରୋ ମଝିରେ ୪୦୭ ଓଲଟି ପଡ଼ିଥିଲା। ଘଟଣାସ୍ଥଳରେ ୨ଜଣଙ୍କ ମୃତ୍ୟୁ ଓ ଅନେକ ଲୋକ ଆହତ ହେବା ପରେ ପୁଲିସ ଏବଂ ଆମ୍ବୁଲାନସ୍‌କୁ ସ୍ଥାନୀୟ ଲୋକେ ସୂଚନା ଦେଇଥିଲେ। ରିପୋର୍ଟ ଲେଖାଯିବା ବେଳକୁ ସମ୍ବଲପୁର ସଦର ହସ୍ପିଟାଲରେ ୩୫ ଜଣଙ୍କ ନାଁ ପଂଜିକରଣ କରାଯାଇଛି। ସାମାନ୍ୟ ଅସୁସ୍ଥ ବ୍ୟକ୍ତିଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡ଼ି ଦିଆଯିବ।

ସମ୍ବନ୍ଧିତ ଖବର