ସୁନ୍ଦରଗଡ଼: ଏକ ୩ ବର୍ଷର ନିଷ୍ପାପ ଶିଶୁ କନ୍ୟାକୁ ଅତି ନିର୍ମମ ଭାନବେ ତଣ୍ଟିଚିପ ହତ୍ୟା କରିଥିବା ଦୁଇ ମହିଳାଙ୍କୁ ଶୁକ୍ରବାର ସୁନ୍ଦରଗଡ଼ ଏଡିଜେ କୋର୍ଟ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା ଆଦେଶ କରିଛନ୍ତି। ଜରିମାନା ଅନାଦାୟ ହେଲେ ୬ ମାସ କାରାଦଣ୍ଡ ବୃଦ୍ଧି ପାଇଁ ଆଦେଶ ହୋଇଛି। ଦୁଇ ହତ୍ୟାକାରୀ ହେଲେ ସୁନ୍ଦରଗଡ଼ ଜିଲ୍ଲା ଧରୁଆଡିହି ଥାନା କୁଲଟା ନିକଟ ଘୁମୁଡ଼ା ଗାଁର ସନ୍ଧ୍ୟା ନାଗ ଓ ନବୀନା ସା। ଲୋମହର୍ଷକ ହତ୍ୟାକାଣ୍ଡଟି ଘଟିଥିଲା ୧୯.୧୦.୨୦୧୯ ସନ୍ଧ୍ୟାରେ।

Advertisment

ଘଟଣାର ଦୁଇ ଆସାମୀ ସନ୍ଧ୍ୟା ଓ ନବୀନାଙ୍କୁ ଗାଁ ଲୋକେ ଡାହାଣୀ ସନ୍ଦେହ କରି ଆସୁଥିଲେ। ଏପରିକି ଏଥିପାଇଁ ସେମାନଙ୍କୁ ଗାଁ ବୈଠକରେ ଚେତାବନୀ ମଧ୍ୟ ଦିଆଯାଇଥିଲା। ହତ୍ୟାର ଶିକାର କୁନି ଶିଶୁଙ୍କ ଅଜା ଥିଲେ ଗାଁ ମୁଖିଆ। ତାଙ୍କ ନେତୃତ୍ବରେ ଗାଁରେ ସେମାନଙ୍କୁ ଡାହାଣୀ ଆଖ୍ୟା ଦିଆଯାଇଥିବାରୁ ସେମାନେ ରାଗ ରଖି ଏହି କାଣ୍ଡ ଭିଆଇଥିଲେ। ଘଟଣା ଦିନ ଗାଁ ମୁଖିଆ ବା ଅଭିଯୋଗକାରୀଙ୍କ ୩ ବର୍ଷର ନାତୁଣୀ ଅପରାହ୍ନ ୨ଟାଶରେ ଅଙ୍ଗନବାଡ଼ି କେନ୍ଦ୍ରରୁ ଫେରି ମା’ ହାତରୁ ଗଣ୍ଡେ ଖାଇ ଦାଣ୍ଡକୁ ଖେଳିବାକୁ ଯାଇଥିଲା। ଏହାକୁ ସୁଯୋଗ ମଣି ଶିଶୁ କନ୍ୟାକୁ ଉଠାଇ ନେଇଥିଲେ ଦୁଇ ମହିଳା। ସନ୍ଧ୍ୟା ନାଗଙ୍କ ଘର ଭିତରେ ମାଡ଼ ମାରି ଦରମରା କରିବା ପରେ ଘରେ ଥିବା ଏକ ଟିଣ ବାକ୍ସରେ ଲୁଚାଇ ରଖିଥିଲେ।

ରାତି ହେବା ପରେ ବି ଶିଶୁ ନମିଳିବାରୁ ବ୍ୟତିବ୍ୟସ୍ତ ପରିବାର ସହ ଗାଁ ଲୋକେ ବହୁ ଖୋଜାଖୋଜି କରିଥିଲେ। ଏହା ପରେ ସନ୍ଧ୍ୟା ଓ ନବୀନାଙ୍କୁ ସନ୍ଦେହ କରି ତାଙ୍କ ଘରେ ପଶି ପଶିଥିଲେ। ସନ୍ଧ୍ୟା ନାଗଙ୍କ ଘରେ ବାକ୍ସରୁ ଅଚେତ ଅବସ୍ଥାରେ ଶିଶୁଟିକୁ ପାଇଥିଲେ। ଗାଁ ଶାକର୍ମୀ ଶିଶୁଟିକୁ ଧରିଥିବା ବେଳେ ସେଠାରେ ଉପସ୍ଥିତ ଅନ୍ୟ ଅଭିଯୁକ୍ତ ନବୀନା ଛଡ଼ାଇ ନେଇ ତଣ୍ଟି ଚିପି ଦେଇଥିଲେ। ଫଳରେ ଘଟଣାସ୍ଥଳରେ ଶିଶୁର ପ୍ରାଣବାୟୁ ଉଡ଼ି ଯାଇଥିଲା। ଗାଁ ଲୋକେ ଦୁଇ ମହିଳାଙ୍କୁ ନିସ୍ତୁକ ମାଡ଼ ମାରି ଅଟକ ରଖିଥିଲେ। ପରେ ଖବର ପାଇ ଧରୁଆଡିହି ପୁଲିସ ଆସି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରି ମହିଳାଙ୍କୁ ଥାନାକୁ ନେଇ ଯାଇଥିଲେ। ପରେ ମୃତ ଶିଶୁର ଅଜାଙ୍କ ଏତଲା ଆଧାରରେ ପୁଲିସ ୩୦୨, ୨୦୧ ଓ ୩୪ ଦଫାରେ ମାମଲା ରୁଜୁ କରି ଦୁଇ ମହିଳାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ତତ୍କାଳୀନ ଥାନା ଅଧିକାରୀ ମଞ୍ଜରୀ ନାୟକଙ୍କ ଦାଖଲ କରିଥିବା ଚୂଡ଼ାନ୍ତ ତଦନ୍ତ ରିପୋର୍ଟ, ୨୪ ଜଣଙ୍କ ସାକ୍ଷ୍ୟ ପ୍ରମାଣ ଓ ସରକାରୀ ଓକିଲଙ୍କ ଆକଟ୍ୟ ଯୁକ୍ତିଭିତ୍ତିରେ ଏଡିଜେ ରାଜେଶ ଦାସ ଦଣ୍ଡାଦେଶ କରିଥିଲେ। ସରକାରୀ ଓକିଲ ପ୍ରଶାନ୍ତ କୁମାର ପଟେଲ ମାମଲା ପରିଚାଳନା କରିଥିଲେ।