ଦୁଇ ମହିଳା ଗୋଷ୍ଠୀ ଠେଙ୍ଗାରେ ମାରପିଟ, ବାଲି ଓ ଲୁଣ ଫିଙ୍ଗିଲେ

ଧଉଳି: କୌଶଲ୍ୟାଗଙ୍ଗ ଫାଣ୍ଡି ଅଧୀନ ପୁବାଶାସନ ମୌଜାରେ ଆଜି ପୂର୍ବାହ୍ନରେ ଜବି ଦଖଲକୁ କେନ୍ଦ୍ର କରି ତୁମୂଳକାଣ୍ଡ ଘଟିଛି। ଦୁଇ ମହିଳା ଗୋଷ୍ଠୀ ମଧ୍ୟରେ ଏନେଇ ଠେଙ୍ଗାରେ ଭୀଷଣ ମାରପିଟ ହୋଇଛି। ଉଭୟ ଗୋଷ୍ଠୀ ଠେଙ୍ଗାବାଡ଼ିରେ ପରସ୍ପରକୁ ବାଡ଼ାପିଟା କରିବାରୁ ଘଟଣସ୍ଥଳରେ ଉଭୟ ପକ୍ଷରୁ ୫ ଜଣ ଆହତ ହୋଇଥିବା ସୂଚନା ମିଳିଛି। ଆହତମାନଙ୍କୁ ସହଯୋଗୀମାନେ ଚିକିତ୍ସା ଲାଗି ନିକଟସ୍ଥ ହସ୍ପିଟାଲକୁ ନେଇଥିଲେ। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଘଟଣାସ୍ଥଳରେ ଏ ଉତ୍ତେଜନା ଦେଖାଦେଇଥିଲେ ହେଁ କୌଶଲ୍ୟାଗଙ୍ଗ ଫାଣ୍ଡି ପୁଲିସ ପହଞ୍ଚିନଥିଲା। ପୁଲିସ ନପହଞ୍ଚିବାକୁ ନେଇ ତୀବ୍ର ଅସନ୍ତୋଷ ଦେଖା ଦେଇଥିଲା।

ପିପିଲି ଥାନା ପୁଲିସ ପହଞ୍ଚି ଉଭୟ ପକ୍ଷଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ଏସଂପର୍କରେ ଉପୟ ଜମି ମାଲିକ ଏବଂ ଭାଗଚାଷୀ ପିପିଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଦୁଇ ପକ୍ଷରୁ ୫ ଜଣ ଲେଖାଏଁ ପ୍ରତିନିଧିଙ୍କୁ ଥାନାକୁ ନେଇ ପଚରାଉଚରା କରୁଛି। ରିପୋର୍ଟ ଲେଖା ହେବା ବେଳକୁ ଥାନାରେ କୌଣସି ମାମଲା ରୁଜୁ ହୋଇନଥିବା ଜଣାପଡ଼ିଛି। ସୂଚନା ଅନୁସାରେ ପୁବାଶାସନ ମୌଜା ଅଞ୍ଚଳରେ ଜମି ଭୋଗ ଦଖଲକୁ କେନ୍ଦ୍ର କରି ଜଣେ ବିଲଡର ଏବଂ ଭାଗଚାଷୀଙ୍କ ମଧ୍ୟରେ ଦୀର୍ଘବର୍ଷ ଧରି ଗଣ୍ଡଗୋଳ ଲାଗି ରହିଛି।

ପ୍ରଶାସନ ଏବଂ ବିଲ୍ଡର ଦୀର୍ଘ ୫୦ ବର୍ଷ ଧରି ଭୋଗ ଦଖଲରେ ଥିବା ଭାଗ ଚା‌ଷୀଙ୍କ  ଦାବି ପୂରଣ ଦିଗରେ କିଛି ବି ପଦକ୍ଷେପ ନେଉନଥିବା ଅଭିଯୋଗ ହେଉଛି। ଜମି ଦଖଲ ନେଇ ଆଜି ପୂବାହ୍ନରେ ସାମାଜିକ ନ୍ୟାୟ ଅଭିଯାନ ସଭାପତି ଜୟନ୍ତ ଭୋଇଙ୍କ ନେତୃତ୍ବରେ ଶତାଧିକ କର୍ମୀ ଜାତୀୟ ରାଜପଥରେ ରାଲିରେ ଯାଇ ଉକ୍ତି ବିବାଦୀୟ ଜମି ଦଖଲ କରିବାକୁ ଉଦ୍ୟମ କରିବାରୁ ଗଣ୍ଡଗୋଳ ଉପୁଜିଥିଲା। ପୂର୍ବରୁ ସେଠାରେ ଉପସ୍ଥିତ ବିଲଡର ସମର୍ଥିତ ମହିଳା ଗୋଷ୍ଠୀ ସେମାନଙ୍କୁ ବିରୋଧ କରିବାକୁ ଚେଷ୍ଟା କରିଥିଲେ। ଏନେଇ ଉଭୟ ଗୋଷ୍ଠୀ ମଧ୍ୟରେ ଠେଙ୍ଗାବାଡ଼ରେ ମାରପିଟ ହୋଇଥିଲା। ଏମିତିକି ଗୋଟିଏ ଗୋଷ୍ଠୀ ବାଲି ଓ ଲୁଣ ବପକ୍ଷ ଗୋଷ୍ଠୀଙ୍କ ଉପରକୁ ଫିଙ୍ଗି ଥିଲେ। ଏନେଇ ସେଠାରେ ତୀବ୍ର ଉତ୍ତେଜନା ଦେଖା ଦେଇଥିଲେ। ଗଣ୍ଡଗୋଳର ଘଣ୍ଟାଏ ସମୟ ପରେ ପିପିଲି ପୁଲିସ ପହଞ୍ଚି ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।

ସମ୍ବନ୍ଧିତ ଖବର