କୃତକର୍ମ ପାଇଁ ଜଣଙ୍କର ଗଲା ଚାକିରି, ଅନ୍ୟ ଜଣଙ୍କୁ ପ୍ରଶଂସାରେ ପୋତିଲେ ଓଡ଼ିଶା ଡିଜିପି

ରାଜ୍ୟର ୨ ମହିଳା ଆଇଆଇସିଙ୍କ ମଧ୍ୟରେ ପାର୍ଥକ୍ୟ ଜାଣନ୍ତୁ ଏହି ରିପୋର୍ଟରୁ

ଭୁବନେଶ୍ୱର(ମହେନ୍ଦ୍ର ସାହୁ): କଥାରେ ଅଛି, ଚାକିରି କରିବ ପୁଲିସି, ମାଛ ଖାଇବ ଇଲିସି । ପୁଲିସ ଚାକିରି କରି କିଛି ବ୍ୟକ୍ତି ସମାଜରେ ସୁନାମ ଅର୍ଜନ କରୁଥିବା ବେଳେ କିଛି ଲୋକ ଖାକିରେ କଳଙ୍କ ଲଗାଉଥିବା ଦୃଷ୍ଟିଗୋଚର ହେଉଛି । ପୁଲିସ ବିଭାଗରେ କାର୍ଯ୍ୟରତ କନଷ୍ଟେବଳ ଠାରୁ ଆରମ୍ଭ କରି ବଡ଼ ବଡ଼ ଅଧିକାରୀଙ୍କ ପର୍ଯ୍ୟନ୍ତ ଅନେକେ ବିଗତ ଦିନରେ ନିଜର ଖରାପ କାର୍ଯ୍ୟ ପାଇଁ ଚାକିରିରୁ ନିଲମ୍ବିତ ହୋଇଛନ୍ତି । କିନ୍ତୁ ସମାଜରେ ଏଭଳି ପୁଲିସ ଅଧିକାରୀ ଓ କର୍ମଚାରୀ ବି ଅଛନ୍ତି, ଯେଉଁମାନେ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି । ଏହି ରିପୋର୍ଟରେ ଆମେ ଓଡ଼ିଶାର ୨ ଜଣ ମହିଳା ଥାନା ଅଧିକାରୀ (କେନ୍ଦୁଝର ଜିଲ୍ଲାର ପାଟଣା ଥାନାରୁ ନିଲମ୍ବିତ ଆଇଆଇସି ସନ୍ଧ୍ୟାରାଣୀ ଜେନା ଓ ଝାରସୁଗୁଡ଼ା ଟାଉନ ଥାନା ଆଇଆଇସି ସାବିତ୍ରୀ ବଳ)ଙ୍କ ସଂପର୍କରେ କିଛି କଥା ଉଲ୍ଲେଖ କରିବାକୁ ଉଦ୍ୟମ କରିଛୁ ।

 

ଆଇଆଇସି ସନ୍ଧ୍ୟାରାଣୀ ଜେନାଙ୍କୁ ଓଡ଼ିଶା ପୁଲିସ ମହାନିର୍ଦ୍ଦେଶକ ଅଭୟ ଗତକାଲି (୨୦୨୦ ମେ’ ୨୩)ରେ ଚାକିରିରୁ ନିଲମ୍ବିତ କରାଯାଇଥିବା ନେଇ ଘୋଷଣା କରିଛନ୍ତି । ଏହା ପୂର୍ବରୁ ସନ୍ଧ୍ୟାରାଣୀଙ୍କ ଦରମାରୁ ଗୋଟିଏ ମାସ ୧୦ ହଜାର ଟଙ୍କା କାଟିବା ପାଇଁ କେନ୍ଦୁଝର ଏସ୍‌ପିଙ୍କୁ ନିର୍ଦ୍ଦେଶ ହୋଇଥିଲା । ସନ୍ଧ୍ୟାରାଣୀଙ୍କ ବିରୋଧରେ ରାଜ୍ୟ ପୁଲିସ ବିଭାଗ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯିବାର ଏକ ବଡ଼ କାରଣ ଥିଲା । ନିଲମ୍ବିତ ଆଇଆଇସି ସନ୍ଧ୍ୟାରାଣୀ ଜେନା ଜମିବାଡ଼ି ମାମଲାର ସମାଧାନ ଆଳ ଦେଖାଇ ବିଗତ ୨ ମାସ ତଳେ ପାଟଣା ଥାନା ଅନ୍ତର୍ଗତ ତାଳସରୁଆ ଗ୍ରାମର ଚିତ୍ତରଂଜନ ମହାନ୍ତ ଓରଫ ରାଜୁ (୨୧) ନାମରେ ଜଣେ ଯୁବକଙ୍କୁ ଡାକି ନିସ୍ତୁକ ମାଡ଼ ମାରିଥିଲେ । ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଚାରିଆଡେ ଚର୍ଚ୍ଚା ହୋଇଥିଲା । ଯେଉଁମାନେ ଏହି ଭିଡିଓ ଦେଖିଛନ୍ତି, ସେମାନେ ନିଶ୍ଚିତ ଭାବରେ ସନ୍ଧ୍ୟାରାଣୀଙ୍କର ଏହି ବର୍ବର ମାନସିକତାକୁ ଘୃଣା କରିଥିବେ ନିଶ୍ଚୟ। ଏଥି ସହିତ ଲୋକଙ୍କ ମନରୁ ପୁଲିସ ପ୍ରତି ଏକ ଭିନ୍ନ ଚିନ୍ତାଧାରା ମଧ୍ୟ ଆସିଥିବ ।

ତେବେ, ସନ୍ଧ୍ୟାରାଣୀଙ୍କର କର୍ତ୍ତବ୍ୟ ଉପରେ ସମସ୍ତେ ପ୍ରଶ୍ନ ଉଠାଉ ଥିବା ବେଳେ ଝାରସୁଗୁଡ଼ା ଟାଉନ ଥାନା ଆଇଆଇସି ସାବିତ୍ରୀ ବଳଙ୍କୁ ଏବେ ଚାରିଆଡୁ ଲୋକେ ପ୍ରଶଂସା କରୁଛନ୍ତି । ଶ୍ରୀମତୀ ବଳ ଆଜି ନିଜର ପିସିଆର ଭ୍ୟାନ ଭିତରେ ଧାଇ ସାଜି ବିହାର ରାଜ୍ୟର ଜଣେ ମହିଳାଙ୍କର ପ୍ରସବ କରାଇ ପାରିଛନ୍ତି । ସମ୍ଭବତଃ ଏହି ପୂଣ୍ୟକାମ କରିବା ବହୁତ କମ ଲୋକଙ୍କର ଭାଗ୍ୟରେ ଘଟିଥାଏ ।

 

ମହିଳାଙ୍କ କଷ୍ଟ ‌ଦେଖି ସହ୍ୟ କରି ପାରିନଥିଲି, ମୁଁ ଜଣେ ମହିଳା ଭାବରେ ଜଣେ ମହିଳାଙ୍କ କଷ୍ଟକୁ ନିଜେ ଅନୁଭବ କରିଥିଲି। ତେଣୁ ଯନ୍ତ୍ରଣାରେ ଛଟପଟ ହେଉଥିବା ମହିଳାଙ୍କୁ କିଭଳି ଡାକ୍ତରଖାନାକୁ ପହଞ୍ଚାଇବି ତାକୁ ନେଇ ବ୍ୟସ୍ତ ହୋଇ ପଡ଼ିଥି‌ଲି। ତେବେ ଆଉ କେହି ମହିଳା ନଥିବା ବେଳେ ମୁଁ ଏକୁଟିଆ ଏହି ମହିଳାଙ୍କୁ ସହାୟତା କରିବାକୁ ଆଗେଇ ଆସିଥିଲି, ସେ ଯାହା ହେଉ ମହିଳା ଓ ତାଙ୍କୁ ଶିଶୁ କନ୍ୟା ସୁସ୍ଥ ହେବା ମୋତେ ବହୁତ ଆନନ୍ଦ ଦେଇଛି।
-ସାବିତ୍ରୀ ବଳ, ଆଇଆଇସି, ଝାରସୁଗୁଡ଼ା ଟାଉନଥାନା

ତେଲେଙ୍ଗାନାର ହାଇଦ୍ରାବାଦ ଠାରୁ ଦାନାପୁର ଅଭିମୁଖେ ଯାଉଥିବା ଶ୍ରମିକ ସ୍ୱତନ୍ତ୍ର ଟ୍ରେନ (୦୭୦୮୫) ରେ ମହିଳା ଜଣଙ୍କର ପ୍ରସବ ଜନିତ ଯନ୍ତ୍ରଣା ଆରମ୍ଭ ହୋଇଥିଲା । ଏହାପରେ ମହିଳାଙ୍କୁ ଝାରସୁଗୁଡ଼ା ଷ୍ଟେସନରେ ଓହ୍ଲାଇ ଦିଆଯାଇଥିଲା । ଏହି ସମୟରେ ଆଇଆଇସି ସାବିତ୍ରୀ ବଳଙ୍କ ନେତୃତ୍ୱରେ ପିସିଆର ଭ୍ୟାନ ରେଳ ଷ୍ଟେସନରେ ଆସି ପହଞ୍ଚିଥିଲା । ତେବେ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ନିଆଯାଉଥିବା ବେଳେ ମହିଳା ଜଣକ ପିସିଆର ଭ୍ୟାନରେ ହିଁ ଜଣେ ଶିଶୁକନ୍ୟାକୁ ଜନ୍ମ କରିଥିଲେ । ଶିଶୁ କନ୍ୟା ଜନ୍ମ କରିଥିବା ମହିଳା ହେଲେ କାଇମୁରଭାବୁଆନ ଜିଲ୍ଲାର ଦୁର୍ଗାବତୀ ଥାନା ଅନ୍ତର୍ଗତ କ୍ରିଷ୍ନାପୁର ଗ୍ରାମର ବାଳକୃଷ୍ଣ ପ୍ରସାଦଙ୍କ ସ୍ତ୍ରୀ ପାୟଲ କୁମାରୀ । ଉଭୟ ମା’ ଓ ଶିଶୁଙ୍କୁ ଝାରସୁଗଡ଼ର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେମାନଙ୍କର ସ୍ୱାସ୍ଥ୍ୟବସ୍ଥା ସୁସ୍ଥ ଅଛି । ମହିଳା ଜଣକ ସନ୍ତାନ ଜନ୍ମ କରିବାରେ ଝାରସୁଗୁଡ଼ା ଆଇଆଇସି ସାବିତ୍ରୀ ବଳଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିବାରୁ ଡିଜିପି ଅଭୟ ଟୁଇଟ ଜରିଆରେ ତାଙ୍କର ପ୍ରଶଂସା କରିଛନ୍ତି ।

ସମ୍ବନ୍ଧିତ ଖବର