ମାଟି ଅତଡା ଧସି ଦୁଇ ମହିଳା ଗୁରୁତର

ଲମତାପୁଟ : କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଅନ୍ତର୍ଗତ ବାଇରପଡା ପାହଡରେ ନାଲି ମାଟି ଖନନ ସମୟରେ ଅଘଟଣ ଘଟିଛି। ଗୁତାଲପଡା ଗ୍ରାମର ଦୁଇ ଜଣ ମହିଳାଙ୍କ ଉପରେ ମାଟି ଅତଡା ଧସି ଯିବାରୁ ଗୁରୁତର ଆହତ ହୋଇଛନ୍ତି। ଦୁହିଁଙ୍କୁ ଉଦ୍ଧାର କରିବା ପରେ ସ୍ଥାନୀୟ ଆଶା କିରଣ ହସପିଟାଲରେ ଭର୍ତି କରାଯାଇଥିବା ଜଣାଯାଇଛି। ଆହତ ମହିଳା ଦ୍ୱୟ ଝିମିରି ଶିଶା ଓ ସିନା ଶିଶା ବୋଲି ସୂଚନା ମିଳିଛି। ମାଟି ତଳେ ଚାପି ହୋଇ ଉଭୟଙ୍କ ଅଣ୍ଟା ଭାଙ୍ଗି ଯାଇଛି। ତେଣୁ ଡାକ୍ତର ବିଶାଖାପାଟଣା ସ୍ଥାନାନ୍ତର କରିବାକୁ ପରାମର୍ଶ ଦେଇଛନ୍ତି।

ସୂଚନାଯୋଗ୍ୟ, ଆଗକୁ ଆଦିବାସୀଙ୍କ ବଡ ପର୍ବ ଚଇତି ପର୍ବ ପାଳନ ହେବାକୁ ଯାଉଛି। ତେଣୁ ଆଦିବାସୀମାନେ ଏବେଠାରୁ ପ୍ରସ୍ତୁତି ଆରମ୍ଭ କଲେଣି। ମହିଳାମାନେ ଘରକୁ ନାଲିମାଟିରେ କାନ୍ଥ ଓ ଗୋବରରେ ଚଟାଣକୁ ଲିବିପା ଆରମ୍ଭ କରିଛନ୍ତି। ସେଥିପାଇଁ ଆଜି ସକାଳୁ ଗୁତାଲପଡା ଗ୍ରାମର ପ୍ରାୟ ୨୧ଜଣ ମହିଳା ବାଇରପଡା ଗ୍ରାମ ନିକଟସ୍ଥ ପାହାଡକୁ ନାଲିମାଟି ସଂଗ୍ରହ କରିବାକୁ ଯାଇଥିଲେ। ମାଟି ଖୋଲିବା ସମୟରେ ହଠାତ୍‌ ଗୋଟିଏ ବଡ ଅତଡା ଧଡି ଯାଇଥିଲା। ଯାହାଫଳରେ ଦୁଇ ମହିଳା ଝିମିରି ଓ ସିନାଙ୍କ ମାଟିରେ ଚାପି ହୋଇ ରହି ଯାଇଥିଲେ। ସାଥିରେ ଯାଇଥିବା ଅନ୍ୟ ମହିଳାମାନେ ସେମାନଙ୍କୁ ଉଦ୍ଧାର କରି ଲମତାପୁଟ ସ୍ଥିତ ଆଶା କିରଣ ହସ୍ପିଟାଲକୁ ନେଇଥିଲେ।

ସମ୍ବନ୍ଧିତ ଖବର