କୁଜଙ୍ଗ : କୁଜଙ୍ଗ ଥାନା ଏକ୍ସପ୍ରେସ୍‌ କଲୋନିରେ ଜଣେ ନିଶାଶକ୍ତ ଯୁବକ ରକ୍ତମୁଖା ହୋଇ ଉନ୍ମତ୍ତ କାଣ୍ଡ କରିଛି। ବାଟରେ, ଘରେ ଯାହାଙ୍କୁ ପାଇଛି ତାଙ୍କୁ ହାଣିଛି। ତା କଟୁରି ଚୋଟରେ ଦୁଇ ଜଣ ମହିଳାଙ୍କ ଜୀବନ ଯାଇଥିବା ବେଳେ ୩ ଜଣ ଆହତ ହୋଇଛନ୍ତି। ମୃତ ମହିଳା ହେଲେ ସୁନୀତା ଭୋଳ(୪୨) ଓ ନିର୍ମଳା ମଲ୍ଲ(୫୩)। ଅଭିଯୁକ୍ତ ହେଲା କାଳିଆ ନାଥଶର୍ମା(୩୫)। ସ୍ଥାନୀୟ ଲୋକେ ତାକୁ କାବୁ କରି ପୁଲିସ ଜିମା ଦେଇଛନ୍ତି।

Advertisment

ରବିବାର ସକାଳ ପ୍ରାୟ ସାଢ଼େ ୭ଟା। ଏକ୍ସପ୍ରେସ୍‌ କଲୋନିରେ ରହୁଥିବା ଜଣେ ଶିକ୍ଷକ ଓ ଅନ୍ୟ ଜଣେ ଯୁବକଙ୍କ ନାଁ ନେଇ କାଳିଆ ଖୋଜି ବୁଲୁଥିଲା। ଏହି ସମୟରେ କଲୋନିର ବ୍ଳକ୍‌ ମିସନ୍‌ ଶକ୍ତି ଭବନ ନିକଟରେ ପ୍ରମୋଦ ଭୋଳଙ୍କ ଘରର ଗ୍ରିଲ୍‌ ଖୋଲା ଥିବା ଦେଖି ତାଙ୍କ ଘରକୁ ପଶିଯାଇଥିଲା। କେହି କିଛି ବୁଝିବା ଆଗରୁ ଅଚାନକ ତାଙ୍କ ପତ୍ନୀ ସୁନୀତା ଭୋଳ(୪୨)ଙ୍କ ମୁଣ୍ତକୁ କଟୁରିରେ ଚୋଟ ପକାଇଥିଲା। ଘଟଣାସ୍ଥଳରେ ହିଁ ସୁନୀତାଙ୍କର ମୃତ୍ୟୁ ଘଟିଥିଲା। ପରେ ସେ ଅଧିକ ଉଗ୍ର ହୋଇ ତାଙ୍କ ଦୁଇ ଝିଅଙ୍କୁ ମଧ୍ୟ ଆକ୍ରମଣ କରିବାକୁ ଗୋଡ଼ାଇଥିଲା। ଜୀବନ ବିକଳରେ ଦୁଇ ଝିଅ ଘରେ ପଶି କବାଟ ବନ୍ଦ କରି ଦେଇଥିଲେ। ଏହି ସମୟରେ ନିକଟରେ କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ଅମେଇପାଳ ଗାଁର ନିର୍ମଳା ମଲ୍ଲ(୫୩) ଫୁଲ ତୋଳୁଥିଲେ। ସେମାନଙ୍କ ଚିତ୍କାର ଶୁଣି ସେ ସେଠାକୁ ଦୌଡ଼ି ଯାଇଥିଲେ। ତାଙ୍କ ପଛେପଛେ ତାଙ୍କ ପୁଅ ରୀତେଶ ରୋଶନ ଓ ସ୍ବାମୀ ସହଦେବ ମଲ୍ଲ ମଧ୍ୟ ଆସିଥିଲେ। ନିର୍ମଳା କିଛି ବୁଝିବା ଆଗରୁ କାଳିଆ ଏକ ଷ୍ଟିଲ୍‌ ପାଇପ୍‌ରେ ତାଙ୍କ ମୁଣ୍ତରେ ଏକ ଶକ୍ତ ପାହାର ଦେବା ସହ କଟୁରିରେ ଆକ୍ରମଣ କରିଥିଲା। ସେ କଟୁରିରେ ତାଙ୍କ ମୁଣ୍ଡକୁ ଚୋଟ ପରେ ଚୋଟ ପକାଇ ଚାଲିବାରୁ ତାଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା। ନିର୍ମଳାଙ୍କ ପୁଅ ରୀତେଶ ତାଙ୍କ ମାଆଙ୍କୁ ବଞ୍ଚାଇବାକୁ ଉଦ୍ୟମ କରିବା ବେଳେ କାଳିଆ ତାଙ୍କୁ ମଧ୍ୟ ଆକ୍ରମଣ କରିଥିଲା। ରକ୍ତାକ୍ତ ହେବା ପରେ ବି ସାହସ ଜୁଟାଇ ବାପ-ପୁଅ କାଳିଆ ହାତରୁ କଟୁରି ଛଡ଼ାଇ ନେଇଥିଲେ। ମାତ୍ର ୪୫ ମିନିଟ୍ ସମୟ ଏସବୁ ଘଟି ଯାଇଥିଲା। ପରେ କିଛି ଯୁବକ ସାହସ ଜୁଟାଇ ତାକୁ ପଛପଟୁ ମାଡ଼ିବସି କାବୁ କରିନେବା ସହ ରଶିରେ ତାର ହାତ ଗୋଡ଼ ବାନ୍ଧି ସେଠାରେ ପକାଇ ଦେଇଥିଲେ।

ହତ୍ୟାକାଣ୍ତ ଘଟାଇଥିବା କାଳିଆ ଏକ୍ସପ୍ରେସ୍‌ କଲୋନିରେ ବଳପୂର୍ବକ ରହିଆସୁଥିଲା। ତାର ଖରାପ ସ୍ବଭାବ ପାଇଁ ପରିବାର ଓ ସ୍ଥାନୀୟ ଲୋକେ ବାରମ୍ବାର ପୁଲିସ ଦ୍ବାରସ୍ଥ ହୋଇଥିଲେ। ନିଜ ମାଙ୍କୁ ବି ହତ୍ୟା କରିବା ପାଇଁ ସେ ଉଦ୍ୟମ କରିଥିଲା। କାଳିଆ ପ୍ରବଳ ନିଶା ସେବନ କରି ଘରେ ଉତ୍ପାତ କରିଥାଏ। ଏହି କାରଣରୁ କିଛି ଦିନ ତଳେ ତା ପତ୍ନୀ ପିଲାମାନଙ୍କୁ ଧରି ବାପ ଘରକୁ ପଳାଇଛନ୍ତି। ଏଣୁ, କାଳିଆ ଅଧିକ ଉଗ୍ର ହୋଇ ଏମିତି କାଣ୍ତ ଘଟାଇଥିବା ଅନୁମାନ କରାଯାଉଛି। ପୁଲିସ ତା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ ଏମିତି ସ୍ଥିତି ଦେଖିବାକୁ ମିଳି ନଥାନ୍ତା ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।