ଦୁଇ ମହିଳାଙ୍କ ମୁହଁରେ ଚୂନ କାଳି, ବେକରେ ଚପଲମାଳ

ମାଡ଼ ମାରି ଗାଁ ଦାଣ୍ଡରେ ଚଲାଇଲେ

ପର୍ଜଙ୍ଗ/ଢେଙ୍କାନାଳ: ଗାଁରେ ଥିବା ଏକ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ବିରୋଧରେ କଥା ହେବା ଦୁଇ ଯାଆଙ୍କ ପାଇଁ ବେଶ୍‌ ମହଙ୍ଗା ସାବ୍ୟସ୍ତ ହୋଇଛି। ଦଣ୍ଡ ସ୍ୱରୂପ ସେମାନଙ୍କ ମୁହଁରେ ଚୂନ ଓ କାଳି ବୋଳାଯାଇଛି। ବେକରେ ଚପଲ ମାଳ ପିନ୍ଧାଇ ଢୋଲ ପିଟି ଗାଁ ଦାଣ୍ଡରେ ବୁଲାଯାଇଛି। ଗାଁ ଦାଣ୍ଡରେ ଉଭୟଙ୍କୁ ମାଡ଼ ବି ମରାଯାଇଛି। ଏ ନେଇ ପୁଲିସ ନିକଟରେ ଅଭିଯୋଗ ହୋଇଥିଲେ ବି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ଡରି ସ୍ଥାନୀୟ ଫାଣ୍ଡି ପୁଲିସ ଗାଁକୁ ଯାଉନି। ଗତମାସ ୨୪ ତାରିଖରେ ଏହି ଘଟଣା ଘଟିଥିଲେ ବି ଦୁଇ ସପ୍ତାହ ପରେ ଏହି ଘଟଣାର ଭିଡିଓ ଆଜି ପଦାକୁ ଆସିଛି। ଏହାକୁ ନେଇ ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ଥାନା ଦଦରାଘାଟି ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି ହୋଇଛି। ଡାଆଣୀ ସନ୍ଦେହରେ ମୟୂରଭଂଜ ଜିଲ୍ଲାରେ ୫ ଜଣ ମହିଳାଙ୍କୁ ଗଛରେ ବାନ୍ଧି ମାଡ଼ ଘଟଣା ଲୋକଙ୍କ ମନରୁ ନ ଲିଭୁଣୁ ଏହି ଦୁଇ ମହିଳାଙ୍କ ଉପରେ ଏଭଳି ଅକଥନୀୟ ନିର୍ଯାତନା ଓ ସମଗ୍ର ଘଟଣାକ୍ରମରେ ପୁଲିସର ଭୂମିକାକୁ ନେଇ ଜିଲ୍ଲାବ୍ୟାପୀ ଚର୍ଚ୍ଚା ଚାଲିଛି।

ନିର୍ଯାତିତା ମହିଳାଦ୍ୱୟଙ୍କ ଅଭିଯୋଗ ଅନୁସାରେ, ଗତମାସ ୨୪ ତାରିଖରେ ସ୍ୱୟଂ ସହାୟକ ଗୋଷ୍ଠୀର ସମ୍ପାଦିକା ଓ କିଛି ସଦସ୍ୟାଙ୍କ ସହ ସେମାନଙ୍କର ପାଟିତୁଣ୍ଡ ହୋଇଥିଲା। କଥା ଦଦରାଘାଟି ଫାଣ୍ଡି ପର୍ଯ୍ୟନ୍ତ ଯାଇଥିଲା। ପୁଲିସ ସେଠାରେ ଉଭୟ ପକ୍ଷର ଆପୋସ ସମାଧାନ କରାଇଥିଲା। ଦୁଇ ଯାଆ ଭୁଲ୍‌ ମାଗି ଫାଣ୍ଡିରୁ ଆସିଥିଲେ। କିନ୍ତୁ ମହିଳା ଗୋଷ୍ଠୀ ସଦସ୍ୟାମାନେ ଫାଣ୍ଡିରୁ ଗାଁକୁ ଆସିବା ବାଟରେ ଉଭୟଙ୍କୁ ତାଗିଦ କରିଥିଲେ। ହଜାରେ ଟଙ୍କା ଲେଖାଏଁ ଜରିମାନା ଦେବାକୁ କହିଥିଲେ। କିନ୍ତୁ ମୂଲ ମଜୁରି କରି ପେଟ ପୋଷୁଥିବା ମହିଳାଦ୍ୱୟ ଏତେ ଟଙ୍କା ଦେବା ପାଇଁ ଅକ୍ଷମତା ପ୍ରକାଶ କରିବାରୁ ସେମାନଙ୍କୁ ମାଡ଼ ମରାଯାଇଥିଲା। ସେଠାରୁ ପିଟିପିଟି ଗାଁ ପର୍ଯ୍ୟନ୍ତ ଅଣାଯାଇଥିଲା। ଗାଁ ଦାଣ୍ଡରେ ସମସ୍ତଙ୍କ ଉପସ୍ଥିତିରେ ଦୁଇ ଯାଆଙ୍କ ମୁହଁରେ ଚୂନ ଓ କାଳି ବୋଳାଯାଇଥିଲା। ବେକରେ ଚପଲ ମାଳ ପିନ୍ଧାଇ ଢୋଲ ପିଟି ଗାଁ ସାରା ବୁଲାଯାଇଥିଲା। ଏ ସଂପର୍କରେ ଗତ ୩ ତାରିଖରେ ନିର୍ଯାତିତା ମହିଳାଦ୍ୱୟ ପର୍ଜଙ୍ଗ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏତଲା କ୍ରମେ ପୁଲିସ ସ୍ୱୟଂ ସହାୟକ ଗୋଷ୍ଠୀ ସମ୍ପାଦିକା ଓ ସଦସ୍ୟାଙ୍କ ସମେତ ୯ ଜଣଙ୍କ ନାମରେ ଦଫା ୩୪୧, ୩୨୩, ୩୫୪, ୫୦୪, ୫୦୯ରେ ମାମଲା ରୁଜୁ କରିଛି। କିନ୍ତୁ ସେମାନଙ୍କୁ ଗିରଫ କରୁନାହିଁ।

ସବୁ ଜାଣି ବି ପର୍ଜଙ୍ଗ ଥାନା ପୁଲିସ ଏଭଳି ସ୍ପର୍ଶକାତର ପ୍ରସଙ୍ଗରେ ଚୁପ୍‌ ବସିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ନିର୍ଯାତିତା ମହିଳାଦ୍ୱୟ ଏବେ ଲାଜ ଓ ଭୟରେ ଘରୁ ବାହାରି ପାରୁ ନ ଥିବା ବେଳେ ଆଜି ଲୁଚିଛପି ଥାନାକୁ ଆସି କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ ବୋଲି ପୁଲିସକୁ ପଚାରିଥିଲେ। ଏହି ସମୟରେ ଗଣମାଧ୍ୟମ ପ୍ରତିନିଧିମାନେ ଉଭୟଙ୍କୁ ପଚାରିବାରୁ ସବୁ କିଛି କଥା ପଦାକୁ ଆସିଛି। ତେବେ ପର୍ଜଙ୍ଗ ଥାନା ଆଇଆଇସି ଲିଙ୍ଗରାଜ ଲେଙ୍କା କହିଛନ୍ତି, ଗାଁରେ ଉତ୍ତେଜନା ଆଶଙ୍କାରେ ଆମେ କାହାରିକୁ ଗିରଫ କରିନାହୁଁ।

ଢେଙ୍କାନାଳ ଜିଲ୍ଲା ଏସ୍‌ପି ମଧ୍ୟ ଏଭଳି ଘଟଣା ଘଟିଥିବା କଥାକୁ ସ୍ୱୀକାର କରିଛନ୍ତି। କାର୍ଯ୍ୟାନୁଷ୍ଠାନ ନେଉ ନଥିବାରୁ ସ୍ଥାନୀୟ ପୁଲିସକୁ ତାଗିଦ କରାଯାଇଛି ଓ ଖୁବ୍‌ଶୀଘ୍ର ମହିଳା ପୁଲିସଙ୍କୁ ନେଇ ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ ବୋଲି ଏସ୍‌ପି କହିଛନ୍ତି।

ସମ୍ବନ୍ଧିତ ଖବର