ମାଟି ଅତଡ଼ା ଖସି ୨ ମହିଳା ଶ୍ରମିକ ମୃତ

ଦିଗପହଣ୍ଡି: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଫାସିଗୁଡ଼ା ଗ୍ରାମରେ ରବିବାର ଅପରାହ୍‌ଣ ୫ଟାରେ ଏକ ଅଭାବନୀୟ ଘଟଣା ଘଟିଛି। ଡ୍ରେନେଜ୍ ବିଭାଗର ଚେକ୍‌ଡ୍ୟାମ୍ ପାଚେରି କାମ ଚାଲିଥିବା ବେଳେ ମାଟି ଅତଡ଼ା ଖସି ଯିବାରୁ ଭିତରେ ପୋତି ‌ହୋଇ ୨ ଜଣ ମହିଳା ଶ୍ରମିକଙ୍କ ମୃତ୍ୟୁ ହୋଇଛି। ସେମାନେ ହେଲେ, ଯମୁନା ନାଇକ (୨୦) ଓ ବର୍ଷା ନାଇକ (୧୯)। ଅନ୍ୟ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ଅବସ୍ଥା ସଂକଟାପନ୍ନ ଥିବାରୁ ସମସ୍ତଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି।

ସୂଚନା ଅନୁସାରେ, ବ୍ରହ୍ମପୁର ଡ୍ରେନେଜ୍ ବିଭାଗ ପକ୍ଷରୁ ୧.୧୬ କୋଟି ଟଙ୍କା ବ୍ୟୟ ଅଟକଳରେ ଚେକ୍‌ଡ୍ୟାମ୍ ନିର୍ମାଣ କାମ ଚାଲିଥିବା ବେଳେ ଏହା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିଲା। ରବିବାର ଅପରାହ୍‌ଣ ପାଚେରି ପାଇଁ ମାଟି ଖୋଳା ଚାଲିଥିବା ବେଳେ ଏଥିରେ କିଛି ମହିଳା ଶ୍ରମିକ ନିୟୋଜିତ ହୋଇଥିଲେ। ଅଚାନକ ଉପର ହୁଡ଼ାରୁ ଏକ ବିରାଟ ମାଟି ଅଡ଼ତା ଧସି ପଡ଼ିବାରୁ ସମସ୍ତେ ପୋତି ହୋଇଯାଇଥିଲେ। ସାନଖେମୁଣ୍ଡି ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ପ୍ରଥମେ ସତ୍ୟ, ଅଞ୍ଜଳି ଓ ସୂର୍ଯ୍ୟଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ୍ ଯୋଗେ ଦିଗପହଣ୍ଡି ଡାକ୍ତରଖାନାକୁ ପଠାଇଥିଲେ। ଗଭୀର ମାଟି ତ‌ଳୁ ଯମୁନା ଓ ବର୍ଷା ଉଦ୍ଧାର କରିଥିଲେ। ମାତ୍ର, ସେତେ‌ବେଳକୁ ଉଭୟଙ୍କ ମୃତ୍ୟୁ ହୋଇସାରିଥିଲା। ଶ୍ବାସରୁଦ୍ଧ ହୋଇ ସେମାନେ ପ୍ରାଣ ହରାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର