ଲାଞ୍ଜିଗଡ଼: ଲାଞ୍ଜିଗଡ଼ ବ୍ଳକ ଲାଞ୍ଜିଗଡ଼ ଥାନା ଅନ୍ତର୍ଗତ ବେଦାନ୍ତ ଆଲୁମିନା ଅଧୀନରେ କାମ କରୁଥିବା ସହଯୋଗୀ କମ୍ପାନି ଏଲଏନଟିର ଦୁଇଜଣ ଶ୍ରମିକ ମୁକେଶ କୁଣ୍ଡୁ(୩୫) ଓ ଅଭିଷେକ ଜେନା( ୩୩)ଙ୍କର ଗତ ରାତିରେ ବକ୍ସାଇଟ ହାଇୱା ଚାପାରେ ମୃତ୍ୟୁ ଘଟିଛି।
ମିଳିଥିବା ସୂଚନା ଅନୁସାରେ ଶ୍ରମିକ ଦୁଇ ଜଣ ଝାରଖଣ୍ଡ ରାଜ୍ୟର ବୋକାରୁ ଅଞ୍ଚଳର ହୋଇଥିବା ବେଳେ ସେମାନେ ଲାଞ୍ଜିଗଡ଼ ବେଦାନ୍ତ ଆଲୁମିନା କମ୍ପାନି ଅଧୀନରେ ଥିବା ଏଲଏନଟି କମ୍ପାନିରେ ଶ୍ରମିକ ଭାବେ କାମ କରୁଥିଲେ। ଗତ ରାତି ପ୍ରାୟ ସାଢ଼େ ୧୨ଟା ସମୟରେ ନିଜ କାମ ସାଇଟରୁ ଯାଇ ପାଣି ନେଇ ଫେରୁଥିବା ସମୟରେ ଏକ ଓଏସଏଲ କମ୍ପାନିରେ ଭଡାରେ ଲାଗିଥିବା ମୁନିଗୁଡା ଅଞ୍ଚଳର ବକ୍ସାଇଟ ଲୋଡ୍ ଥିବା ହାଇୱା(ଓଡି-୧୮ ଏ- ୬୬୫୧) ସେହି ରାସ୍ତା ଦେଇ ଆସୁଥିଲା। ସେତେବେଳେ ଏକ ବୁଲାଣିରେ ଖାଲରେ ପଡ଼ି ଗାଡ଼ିଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା।
ଏହାଫଳରେ ଦୁଇ ଜଣ ଶ୍ରମିକଙ୍କ ଉପରେ ବକ୍ସାଇଟ ପଡ଼ିବା ଯୋଗୁଁ ଏହାର ଚାପାରେ ୨ ଜଣଙ୍କ ମୃତ୍ୟୁ ଘଟିଥିଲା। ଏହାପରେ ଏଲଏନଟି କମ୍ପାନିର କର୍ମଚାରୀମାନେ ଦୁଇ ଶ୍ରମିକଙ୍କୁ ନେଇ ଲାଞ୍ଜିଗଡ଼ ଡାକ୍ତରଖାନାକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବର୍ତ୍ତମାନ ଶବ ବ୍ୟବଚ୍ଛେଦ ପାଇଁ ବ୍ୟବଚ୍ଛେଦ ଗୃହରେ ରଖାଯାଇଥିବା ସୂଚନା ମିଳିଛି।