ଥୁଆମୂଳ ରାମପୁରରେ ଦାଦନ ଦୁଃଖ : ହାଇଦ୍ରାବାଦରେ ୨ ଶ୍ରମିକଙ୍କ ମୃତ୍ୟୁ
ଲକ୍ଡାଉନ୍ରେ ଘରକୁ ଆସିଥିଲେ, କାମ ଅଭାବରୁ ପୁଣି ଯାଇଥିଲେ
ଥୁଆମୂଳ ରାମପୁର : କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଥୁଆମୂଳ ରାମପୁର ବ୍ଲକରେ ପୁଣି ଦାଦନ ଯନ୍ତ୍ରଣା ଦେଖିବାକୁ ମିଳିଛି। ହାଇଦ୍ରାବାଦରେ ଏକ କମ୍ପାନିରେ କାମ କରୁଥିବା ବେଳେ ଲୁହାଛଡ଼ ବୋଝେଇ ଟ୍ରକ୍ ଓଲଟି ପଡ଼ିବାରୁ ଘଟଣାସ୍ଥଳରେ ୨ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ସେଦୁହେଁ ହେଲେ ଥୁଆମୂଳ ରାମପୁର ବ୍ଲକ ଗୋପୀନାଥପୁର ପଞ୍ଚାୟତ ପେରଗୁନି ପଡ଼ାର ମନୋହର ମାଝୀ(୨୩ବର୍ଷ) ଓ ଉପେନ୍ଦ୍ର ମାଝୀ(୨୦ବର୍ଷ)। ଉଭୟଙ୍କ ଶବ ଗାଁରେ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ଶନିବାର ଗାଁ ମଶାଣିରେ ଉଭୟଙ୍କ ଶେଷକୃତ୍ୟ କରାଯାଇଥିଲା।
ପ୍ରକାଶ ଯେ, ଅବିବାହିତ ଥିବା ଉଭୟ ଆଦିବାସୀ ଯୁବକ ମନୋହର ଓ ଉପେନ୍ଦ୍ର ଗତ ବର୍ଷ ହାଇଦ୍ରାବାଦକୁ ଦାଦନ ଖଟିବାକୁ ଯାଇଥିଲେ। କରୋନା କାଳରେ ଲକ୍ଡାଉନ୍ ହେବାରୁ ଉଭୟେ ଘରକୁ ଫେରି ଆସିଥିଲେ। ଏଠାରେ ଜିଲ୍ଲା କିଂବା ବ୍ଲକ ପ୍ରଶାସନ ଏମାନଙ୍କୁ କାମ ଦେବାରେ ବିଫଳ ହୋଇଥିଲେ। ଅବିବାହିତ ହୋଇଥିଲେ ମଧ୍ୟ ପରିବାର ପ୍ରତିପୋଷଣ ଭାର ଯୋଗୁଁ ଉଭୟେ ଦୋଛକିରେ ପଡ଼ିଯାଇଥିଲେ। ଫଳରେ ବାଧ୍ୟ ହୋଇ ଲକ୍ଡାଉନ୍ କୋହଳ ହେବା ପରେ ପୁଣିଥରେ ଦାଦନ ଖଟିବାକୁ ହାଇଦ୍ରାବାଦ ଚାଲିଯାଇଥିଲେ। ଏଥର ବିଧିର ବିଧାନ ଥିଲା ଅଲଗା। ଉଭୟ ମନୋହର ଓ ଉପେନ୍ଦ୍ର ହାଇଦ୍ରାବାଦର କୁମ୍ପୁଲିରେ ଥିବା ଫେଆର୍ ଫିଲ୍ଡ ନାମକ ଏକ ଘରୋଇ କନଷ୍ଟ୍ରକସନ୍ କମ୍ପାନିରେ କାମ କରୁଥିଲେ। ଗତ ମଙ୍ଗଳବାର କାମ କରୁଥିବା ବେଳେ ଉଭୟଙ୍କ ଉପରେ ଏକ ଲୁହାଛଡ଼ ବୋଝେଇ ଟକ୍ ଓଲଟି ପଡ଼ିଥିଲା। ଫଳରେ ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ହୋଇଥିଲା। ଖବର ପାଇବା ପରିବାର ଲୋକେ ହାଇଦ୍ରାବାଦ ପହଞ୍ଚିଥିଲେ। ପରିବାର ଲୋକଙ୍କ ଉପସ୍ଥିତିରେ ଗୁରୁବାର ସେଠାକାର ଗାନ୍ଧୀ ହସ୍ପିଟାଲରେ ଶବ ବ୍ୟବଚ୍ଛେଦ କରାଯାଇଥିଲା। ଶୁକ୍ରବାର ବିଳମ୍ବିତ ରାତିରେ ଏକ ଅମ୍ବୁଲାନ୍ସ ଯୋଗେ ଗାଁକୁ ଶବ ଆସିଥିଲା। ଶନିବାର ସକାଳୁ ଉଭୟଙ୍କ ଶେଷକୃତ୍ୟ କରାଯାଇଥିଲା।