ରତ୍ନ ପଥର ଖନନ ବେଳେ ଦୁଇ ଶ୍ରମିକ ମୃତ୍ୟୁ ମାମଲା, ମଉଜ କରୁଥିଲେ ବନ କର୍ମଚାରୀ!

ମୁଖ୍ୟ ଅଭିଯୁକ୍ତ ରାଜୁ ସାହୁ ପାଖରେ ପହଞ୍ଚି ପାରୁନି ପୁଲିସ

ଟିଟିଲାଗଡ଼: ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ନିକଟ ଗୁଲମି ଗ୍ରାମ ନିକଟ ତିଖାଲି ସଂରକ୍ଷିତ ଜଙ୍ଗଲରେ ରତ୍ନପଥର ଖନନ ବେଳେ ଦୁଇ ଶ୍ରମିକଙ୍କ ମୃତ୍ୟୁ ଘଟଣାର ମୁଖ୍ୟ ଅଭିଯୁକ୍ତ ରାଜୁ ସାହୁ ଏବେ ବି ଫେରାର୍‌। ପୁଲିସ ୧୨୭/୨୨ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ହେଲେ ତା’ ପାଖରେ ପହଞ୍ଚି ପାରୁ ନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଅନ୍ୟପକ୍ଷରେ ବନ ବିଭାଗର କିଛି ଅଧିକାରୀ ଓ କର୍ମଚାରୀ ଅଭିଯୁକ୍ତ ଦ୍ବାରା ବିଭିନ୍ନ ସମୟରେ ଆପ୍ୟାୟିତ ହୋଇଥିବା ମଧ୍ୟ ଆଲୋଚନା ହେଉଛି।

ଅଭିଯୋଗ ଅନୁସାରେ, ଗୁଲମି ଗାଁର ଭାଲୁଡୁଙ୍ଗୁରି ପାହାଡ଼‌ରେ ରତ୍ନ ପଥର ଗଚ୍ଛିତ ଥିବାରୁ ଏହା ଉପରେ ମାଫିଆଙ୍କ ନଜର ପଡ଼ିଥିଲା। ଆଖପାଖ ଗୁଲମି, କୁଟୁରାକେନ୍ଦ, ସାତବହନୀ, ନୂଆପଡ଼ା, ଯଏଁତରା, କର୍ଲା ଆଦି ଗାଁର ଶ୍ରମିକଙ୍କୁ ନେଇ ଏମାନେ ଖଣି ଖନନ କାମ କରୁଥିଲେ। ସଂରକ୍ଷିତ ଜଙ୍ଗଲକୁ ସୁରକ୍ଷା ଦେବା ପାଇଁ ଗୁଲମି ଗାଁରେ ବନବିଭାଗର ଏକ କାର୍ଯ୍ୟାଳୟ ରହିଛି। ସେହିପରି ଯଏଁତରା ଗ୍ରାମରେ ମଧ୍ୟ ଫରେଷ୍ଟରଙ୍କ କାର୍ଯ୍ୟାଳୟ ଅଛି। ଗୁଲମି ଗାଁରେ ଥିବା ବନ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ରହିଛି ରାଜୁ ସାହୁର ଘର। ଖଣି ମାଫିଆ, ରତ୍ନପଥର ଚୋରା ବେପାରୀ ଭାବେ ଅଂଚଳରେ ପରିଚିତ ଥିବା ବେଳେ ବନବିଭାଗ କର୍ମଚାରୀମାନେ କେମିତି ଜାଣିପାରି ନଥିଲେ ତାହାକୁ ନେଇ ଏବେ ପ୍ରଶ୍ନ ଉଠିଛି। ରାଜୁର ଘରକୁ ଅନେକ ସମୟରେ ବନବିଭାଗର କିଛି ଅଧିକାରୀ ଓ କର୍ମଚାରୀ ଯାଇ ବୈଠକ କରୁଥିଲେ।

ବିଭିନ୍ନ ସମୟରେ ବଣଭୋଜିଗୁଡ଼ିକରେ ମଧ୍ୟ ଯୋଗ ଦେଉଥିଲେ ବୋଲି ଆଲୋଚନା ହେଉଛି। ଗତ ୩୦ ବର୍ଷ ଧରି ଜଙ୍ଗଲରେ ଗାତ ଖୋଳି ରତ୍ନ ପଥର ଲୁଟ୍‌ ହେଉଥିଲେ ମଧ୍ୟ ବନ ବିଭାଗର ନିରବତାକୁ ନେଇ ପ୍ରଶ୍ନ ଉଠିଛି। ଗତ ଶୁକ୍ରବାର ଦୁର୍ଘଟଣାରେ ଦୁଇଜଣ ଶ୍ରମିକଙ୍କ ମୃତ୍ୟୁ ପରେ ରତ୍ନ ପଥର ଖଣି ଖନନ ରହସ୍ୟ ପଦାକୁ ଆସିଥିଲା। ଘଟଣାର କିଛି ସମୟ ପରେ ରାଜୁର ଗୁଲମି ଗାଁସ୍ଥିତ ବାସଭାବନରେ ତାଲା ଝୁଲୁଥିବା ଦେଖିବାକୁ ମିଳିଥିଲା। ପରିବାର ସହ ସେ କୁଆଡ଼େ ଚାଲିଯାଇଥିବା ଚର୍ଚ୍ଚା ହେଉଛି। ଟିଟିଲାଗଡ଼ ଓ କଳାହାଣ୍ତି ଅଞ୍ଚଳରେ ରାଜୁର ଅନେକ ସହଯୋଗୀ ମଧ୍ୟ ରହିଛନ୍ତି। ହେଲେ ପୁଲିସ ଏ ପର୍ଯ୍ୟନ୍ତ ସେମାନଙ୍କ ପାଖରେ ମଧ୍ୟ ପହଞ୍ଚି ପାରି ନଥିବାରୁ ସନ୍ଦେହ ସୃଷ୍ଟି ହେଉଛି।

ସମ୍ବନ୍ଧିତ ଖବର