ବୈପାରିଗୁଡା: ମାମାଲି ପୂଜାରୀ, ବୟସ ମାତ୍ର ଦୁଇ ବର୍ଷ। କଅଁଳ ବୟସରେ ଦୁରାରୋଗ୍ୟ ବ୍ୟାଧିର ଆକ୍ରାନ୍ତ। ଅର୍ଥାଭାବ ହେତୁ ଝିଅର ଚିକିତ୍ସା କରାଇ ପାରୁନଥିବା ମାଆ ନବୀନା ପୂଜାରୀ ଅସହାୟ ଭରା କଣ୍ଠରେ ପ୍ରକାଶ କରିଛନ୍ତି। କୋରାପୁଟ ଏସ୍ଏଲ୍ଏନ୍ ମେଡିକାଲ କଲେଜରୁ ନିଜ ଗାଁ ଗଦରିପଦରକୁ ଫେରୁଥିବା ବେଳେ ମାଲକାନଗିରି ଜିଲ୍ଲା ବୈପାରିଗୁଡା ଠାରେ ଦେଖା ହୋଇଥିଲା ନବୀନାଙ୍କ ସହିତ। କୋଳରେ ତାଙ୍କର ଦୁଇ ବର୍ଷର ଅସୁସ୍ଥ ଝିଅ ମାମାଲି।

Advertisment

ଝିଅ ସଂପର୍କରେ ପଚାରିବାରୁ ନବୀନା କହିଛନ୍ତି ଯେ, କିଛି ମାସ ହେଲା ମାମାଲିର ସ୍ବାସ୍ଥ୍ୟରେ ଅବନ୍ନତି ଘଟିବା ଦେଖି ଜୟପୁର ଜିଲ୍ଲା ହସପିଟାଲକୁ ଚିକିତ୍ସା ପାଇଁ ନେଇଥିଲୁ। ସେଠାରେ ସ୍ବାସ୍ଥ୍ୟ ପରୀକ୍ଷା ପରେ କିଡ୍‌ନି ରୋଗରେ ଆକ୍ରାନ୍ତ ହୋଇଥିବା ଜଣାପଡିଥିଲା। ଔଷଧ ଦେବାପରେ ସେମାନେ ନିୟମିତ ଔଷଧ ଖାଇବାକୁ ଦେଲେ। ଧିରେଧିରେ ମାମାଲି ସୁସ୍ଥ ହେବାକୁ ଲାଗିଲା। କିନ୍ତୁ କିଛି ଦିନ ପରେ ପୁଣି ସେ ଅସୁସ୍ଥ ହୋଇପଡ଼ିଲା।

ତେବେ ପ୍ରଥମ ଥର ମାମାଲିର ସାରା ଦେହ ଅସ୍ବାଭାବିକ ଭାବେ ଫୁଲି ଯାଇଥିଲା। ବର୍ତ୍ତମାନ କେବଳ ମୁହଁ ଟି ଫୁଲୁଛି। କୋରାପୁଟରୁ ଔଷଧ ଆଣି ଫେରୁଛୁ। ସେମାନଙ୍କ ଗାଁ ଦଣ୍ଡାବାଡି ପଞ୍ଚାୟତର ଗଦରିପଦର। ମାମାଲିର ବାପା ଖଗପତି ପୂଜାରୀ ଜଣେ ସାଧାରଣ ଗାଡ଼ି ହେଲପର୍। ଡ୍ୟୁଟିକୁ ଗଲେ ଯାହା ଦରମା ମିଳେ। ଯାହାବି ମିଳେ ସେତିକିରେ ପରିବାର ଚଳାଇବା କଷ୍ଟକର। ଝିଅକୁ ବାହାରକୁ କୈାଣସି ବଡ଼ ଡ଼ାକ୍ତରଖାନାକୁ ନେଇ ଚିକିତ୍ସା କରାଇବା ପାଇଁ ଆର୍ଥିକ ସମ୍ବଳ ନାହିଁ ବୋଲି ନବୀନା ନିଜ ଅସହାୟତା ପ୍ରକାଶ କରିଥିଲେ। ସ୍ବାସ୍ଥ୍ୟ ବିଭାଗ ଏବଂ ପ୍ରଶାସନ ମାମାଲି ପ୍ରତି ସୁଦୃଷ୍ଟି ଦେବା ସହ ସହଯୋଗ ପ୍ରଦାନ କରିଥିଲେ ନିଷ୍ପାପ ଶିଶୁଟିର ଜୀବନ ବଞ୍ଚିଯାଇପାରନ୍ତା।