ସୁନ୍ଦରଗଡ଼: ଏକ ଲାଞ୍ଚ ମାମଲାରେ ସୁନ୍ଦରଗଡ଼ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ବଡ଼ଗାଁ ବ୍ଲକର ପୂର୍ବତନ ଶିକ୍ଷା ଉପ-ନିରୀକ୍ଷକ ମହେଶ୍ବର ତାଣ୍ଡିଆଙ୍କୁ ଦୋଷୀ ସାବ୍ୟସ୍ତ କରି ୨ ବର୍ଷ ଜେଲ୍ ଓ ୨ ହଜାର ଟଙ୍କା ଜରିମାନା ଆଦେଶ କରିଛନ୍ତି। ଜରିମାନା ଅନାଦାୟରେ ଦଣ୍ଡ ଆହୁରି ୩ ମାସ ବୃଦ୍ଧି କରିବାକୁ ରାୟରେ ଉଲ୍ଲେଖ ରହିଛି। ୨୦୧୦ ଜାନୁଆରି ୩ ତାରିଖରେ ବଡ଼ଗାଁର ମୃତ କପିଳ କୁମାର ପୃଷେଠଙ୍କ ପେନସନପତ୍ର ପ୍ରସ୍ତୁତି ପାଇଁ ପୁଅ ମୃତ୍ୟୁଞ୍ଜୟ ପୃଷେଠଙ୍କଠାରୁ ୧୫ ଶହ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ପଡ଼ିଥିଲେ। ଶ୍ରୀ ତାଣ୍ଡିଆ ଅଧୁନା ଲେଫ୍ରିପଡ଼ା ବ୍ଲକ୍ ବେନିଢିପା ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷକ ଭାବେ କାର୍ଯ୍ୟରତ। ରାଉରକେଲା ଭିଜିଲାନ୍ସର ପୂର୍ବତନ ନିରୀକ୍ଷକ ହରେକୃଷ୍ଣ ମାଝୀଙ୍କ ନେତୃତ୍ବରେ ଲାଞ୍ଚୁଆ ଶିକ୍ଷକଙ୍କୁ କାବୁ କରିଥିଲା ଭିଜିଲାନ୍ସ ଟିମ୍। ସୁନ୍ଦରଗଡ଼ ପୂର୍ବତନ ଭିଜିଲାନ୍ସ ନିରୀକ୍ଷକ ପରମେଶ୍ବର କିସାନ ମାମଲାର ତଦନ୍ତ କରି ରିପୋର୍ଟ ଦେଇଥିଲେ। ସ୍ବତନ୍ତ୍ର ଭିଜିଲାନ୍ସ ପିପି ଶ୍ୟାମସୁନ୍ଦର ମିଶ୍ର ମାମଲା ପରିଚାଳନା କରିଥିଲେ।
ପେନସନ୍ ପାଇଁ ୧୫ ଶହ ଲାଞ୍ଚ; ପୂର୍ବତନ ଶିକ୍ଷା ଉପନିରୀକ୍ଷକଙ୍କୁ ୨ ବର୍ଷ ଜେଲ୍
/sambad/media/post_attachments/wp-content/uploads/2023/06/f4d0c927-2b5a-46de-9361-960d669e0f09.jpg)