୨ବର୍ଷ ପରେ ପଦାକୁ ଆସିଲା ତଥ୍ୟ : କୁସୁମା ପାଇଁ ଖର୍ଚ୍ଚ ହୋଇଛି ୧୨.୯୦ କୋଟି

ସର୍ବସାଧାରଣ ଶୌଚାଳୟ ସ୍କିମ୍‌ରୁ ଯାଇଛି ୨୧ଲକ୍ଷ ଖର୍ଚ୍ଚ

ଯାଜପୁର/ ସଦର : ଯାଜପୁର ସହରର କୁସୁମା ପୋଖରୀ ପୁନଃଉଦ୍ଧାରକୁ ନେଇ ଚାରିଆଡେ ଚର୍ଚ୍ଚା। ଏହାକୁ ଦୃଷ୍ଟାନ୍ତ ସ୍ବରୂପ ନେଇ ଜିଲ୍ଲାରେ କେଉଁଠି ଦ୍ବିତୀୟ କୁସୁମା ହେବ ବୋଲି ୨ବର୍ଷ ହେଲା ଚର୍ଚ୍ଚା ହେଉଛି। କୁସୁମା ପାଇଁ କେତେ ଟଙ୍କା ଖର୍ଚ୍ଚ ହୋଇଛି? ଏହି ଅର୍ଥ କେଉଁ କେଉଁ ବିଭାଗରୁ ଆସିଛି, ସେ ସଂପର୍କରେ ଜିଲ୍ଲାବାସୀ ଅନ୍ଧାରରେ ଥିଲେ। ତେବେ ସୂଚନା ଅଧିକାରରେ ମିଳିଥିବା ତଥ୍ୟରୁ କୁସୁମା ପ୍ରକଳ୍ପ ପାଇଁ ୧୨କୋଟି ୯୦ଲକ୍ଷ ୨୬ ହଜାର ଟଙ୍କା ଖର୍ଚ୍ଚ ହୋଇଥିବା ଜଣାପଡ଼ିଛି।

ଯାଜପୁର ଜିଲ୍ଲାର ସୁକିନ୍ଦା ବ୍ଲକ୍‌ର ଅପପୁଷ୍ଟି ଅଞ୍ଚଳ ନଗଡ଼ାକୁ ନେଇ ଯେତେବେଳେ ସାରାଦେଶରେ ଆଲୋଡ଼ନ ସୃ୍ଷ୍ଟି ହୋଇଥିଲା, ସେହି ସମୟରେ ଯାଜପୁର ସହରର ୨୭ଏକର ପରିମିତ ଏକ ପରିତ୍ୟକ୍ତ ପୋଖରୀ କୁସୁମାର ପୁନଃଉଦ୍ଧାର କରାଯାଇଥିଲା। ୨୦୧୮ରେ ଏହି ପର୍ଯ୍ୟଟନସ୍ଥଳୀ କୁସୁମାକୁ ମୁଖ୍ୟମନ୍ତ୍ରୀ ଉଦ୍ଘା‌ଟନ କରିଥିବାବେଳେ ଏବେ କରୋନା ପାଇଁ ତାଲା ପଡିଛି। କୁସୁମା ପ୍ରକଳ୍ପରେ କୋଟି କୋଟି ଟଙ୍କା ବ୍ୟୟର ହିସାବ ନମିଳିବା ଘଟଣାକୁ ନେଇ ଆଲୋଚନ ଓ ସମାଲୋଚନା ଲାଗିରହିଛି। ତାହାର ସଠିକ୍ ହିସାବ କାହାରି ନିକଟରେ ନାହିଁ ବୋଲି ବାରମ୍ବାର ଅଭିଯୋଗ ହୋଇଆସିଛି। ନିକଟରେ ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ ଆରଟିଆଇ ମାଧ୍ୟମରେ ଯାଜପୁର ପୌର ସଂସ୍ଥାରୁ ପାଇଥିବା ତଥ୍ୟ ମୁତାବକ ଏହି ପ୍ରକଳ୍ପ ପାଇଁ ୧୨କୋଟି ୯୦ଲକ୍ଷ ୨୬ ହଜାର ଟଙ୍କା ବ୍ୟୟ ହୋଇଛି। ଏହି ପ୍ରକଳ୍ପରେ ଗୃହ ଓ ନଗର ଉନ୍ନୟନ ବିଭାଗ ଭିନ୍ନ ଭିନ୍ନ ଯୋଜନାରୁ କୋଟି କୋଟି ଟଙ୍କା ବ୍ୟୟ କରିଛନ୍ତି। ଏପରିକି ସର୍ବସାଧାରଣ ଶୌଚାଳୟ (ପବ୍ଲିକ୍ ଟଏଲେଟ୍) ସ୍କିମ୍ ରୁ ୨୧ଲକ୍ଷ ୮୫ହଜାର ଟଙ୍କା ମଧ୍ୟ କୁସୁମା ସୌନ୍ଦର୍ଯ୍ୟୀକରଣରେ ବ୍ୟୟ ହୋଇଛି।

ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ୪କୋଟି ୮୫ଲକ୍ଷ ୩୭ହଜାର ଟଙ୍କା, ଇଡକୋ ୪କୋଟି ୯୯ଲକ୍ଷ ୬୧ହଜାର ଟଙ୍କା, ୧୪ତମ ଅର୍ଥ କମିଶନ ଅନୁଦାନରୁ ୧କୋଟି ୧ଲକ୍ଷ ୭୨ହଜାର ଟଙ୍କା, ପର୍ଯ୍ୟଟନ ବିଭାଗ ପକ୍ଷରୁ ୧କୋଟି ୫୦ଲକ୍ଷ ଟଙ୍କା, ନଗର ଉନ୍ନୟନ ବିଭାଗ ପକ୍ଷରୁ ଟ୍ରାନସଫର୍ମର ପାଇଁ ୩୧ଲକ୍ଷ ୭୧ହଜାର ଟଙ୍କା ବ୍ୟୟ ହୋଇଥିବା ‌ଯାଜପୁର ପୌର ନିର୍ବାହୀ ଅଧିକାରୀ ଆରଟିଆଇ ତଥ୍ୟ ଦେଇଛନ୍ତି। ଏହାବାଦ ପୂର୍ତ୍ତ ବିଭାଗ ଓ ଜଳସେଚନ ବିଭାଗ ସମେତ ଅନ୍ୟ ବିଭାଗଗୁଡ଼ିକରୁ କୋଟି କୋଟି ଟଙ୍କା ବ୍ୟୟ ହୋଇଥିବାର ଅଭିଯୋଗ ହେଉଛି। ତେବେ ଏ ସବୁ ଖର୍ଚ୍ଚ ଏବେ ବି ଲୋକଲୋଚନକୁ ଆସିପାରିନି।

ସମ୍ବନ୍ଧିତ ଖବର