ଯାଜପୁରରେ ୨ ବର୍ଷର ଶିଶୁ ପିହୁ ନିଖୋଜ, ୪ ମାସ ପରେ ବି ପତ୍ତା ମିଳୁନି

ବିଂଝାରପୁର : ପରୀ ମୃତ୍ୟୁ ଘଟଣାକୁ ନେଇ ସାରାରାଜ୍ୟରେ ଚର୍ଚ୍ଚା ଥମି ନ ଥିବାବେଳେ ଯାଜପୁର ଜିଲ୍ଲା ବିଂଝାରପୁର ଥାନା ଅଞ୍ଚଳରେ ଜଣେ ଶିଶୁ କନ୍ୟା ନିଖୋଜ ହେବା ଘଟଣା ସାମ୍‌ନାକୁ ଆସିଛି। ଏହି ଶିଶୁର ବୟସ ୨ ବର୍ଷ, ୪ ମାସ ହେବ ତା’ର ପତ୍ତା ମିଳୁନି। ଏ ନେଇ ପରିବାର ଲୋକ ଅଭିଯୋଗ କରିଥିଲେ ମଧ୍ୟ ପୁଲିସ୍‌ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନ ଥିବା ଶିଶୁଟିର ପରିବାର ଲୋକ ଅଭିଯୋଗ କରିଛନ୍ତି।

ରଥସାହି ଗ୍ରାମର ନିର୍ମଳ ନାୟକଙ୍କ ଝିଅ ମୋନାଲିସା ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ସାନକୃଷ୍ଣପୁର ପଞ୍ଚାୟତ ନଟିଆପାଳ ନାୟକସାହିର ଲକ୍ଷ୍ମମଣ ନାୟକଙ୍କୁ ବିବାହ କରିଛନ୍ତି। କୌଣସି କାରଣରୁ ମୋନାଲିସା ଦେଢ଼ବର୍ଷ ହେଲା ଦୁଇ ସନ୍ତାନଙ୍କୁ ନେଇ ବାପଘରେ ରହୁଛନ୍ତି। ଗତ ଅଗଷ୍ଟ ମାସ ୯ତାରିଖ ଅପରାହ୍‌ଣରେ ମୋନାଲିସାଙ୍କ ଝିଅ ଶୁଭଲକ୍ଷ୍ମୀ ନାୟକ(ପିହୁ) ଦାଣ୍ଡରେ ଖେଳୁଥିବା ବେଳେ ନିଖୋଜ ହୋଇଯାଇଥିଲା। ପରିବାର ଲୋକ ବହୁ ଖୋଜାଖୋଜି କରି ପାଇ ନଥିଲେ। କେହି ଦୁର୍ବୃତ୍ତ ଶିଶୁକନ୍ୟାକୁ ବାଇକ୍‌ ଯୋଗେ ଅପହରଣ କରିନେଇଥିବା କିଛି ଗ୍ରାମବାସୀ କହିଥିଲେ। ସେହିଦିନ ସନ୍ଧ୍ୟାରେ ମୋନାଲିସା ବିଂଝାରପୁର ଥାନାରେ ପହଞ୍ଚି ଝିଅ ‌ନିଖୋଜ ସଂକ୍ରାନ୍ତ ଅଭିଯୋଗ କରିଥିଲେ। ଇତିମଧ୍ୟରେ ୪ମାସ ବିତିଯାଇଛି। ହେଲେ ଶିଶୁକନ୍ୟା ପିହୁର କୌଣସି ପତ୍ତା ମିଳିନାହିଁ। ବାରମ୍ଵାର ଥାନାକୁ ଯାଇ ପୁଲିସର ନିଷ୍କ୍ରିୟତାକୁ ଦେଖି ମୋନାଲିସା ଅକ୍ଟୋବର ୧୨ ତାରିଖରେ ଯାଜପୁର ଏସପି ଚରଣସିଂ ମୀନାଙ୍କୁ ଭେଟି ଗୁହାରି କରିଥିଲେ। ତୁରନ୍ତ ଉଦ୍ଧାର କରିବାକୁ ଏସପି ଶ୍ରୀ ମୀନା ବିଂଝାରପୁର ପୁଲିସକୁ ନିର୍ଦେଶ ଦେଇଥିଲେ।

ଏହାପରେ ଅକ୍ଟୋବର ୧୩ ତାରିଖରେ ମୋନାଲିସା ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀସିଂ ରାଠୋରଙ୍କୁ ଭେଟି ଝିଅର ନିଖୋଜ ସଂପର୍କରେ ଜଣାଇଥିଲେ। ଜିଲ୍ଲାପାଳ ସେହିଦିନ ପତ୍ର ସଂଖ୍ୟା ୨୨୧୭ରେ ବିଂଝାରପୁର ଥାନାକୁ ଚିଠିକରି ଶିଶୁକନ୍ୟା ପିହୁକୁ ଉଦ୍ଧାର କରିବାକୁ ନିର୍ଦେଶ ଦେଇଥିଲେ। ଏହାପରେ ମଧ୍ୟ ବିଂଝାରପୁର ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ନ ନେଇ ଚୁପ୍ ବସିଛି ବୋଲି ମୋନାଲିସା ଅଭିଯୋଗ କରିଛନ୍ତି। ଥାନା ପକ୍ଷରୁ ସୂଚନା ଦିଆଯାଇଛି, ଆଇଆଇସି ନିରଂଜନ ଶବର ୩ଦିନ ମଧ୍ୟରେ ୨ଥର ରଥସାହି ଗାଁକୁ ଯାଇ ତଦନ୍ତ କରି ଫେରିଛନ୍ତି। ଏସ୍‌ପିଙ୍କ ନିର୍ଦେଶରେ ଠିକ୍‌ ବାଟରେ ତଦନ୍ତ ଚାଲିଛି। ଖୁବ୍‌ଶୀଘ୍ର ଆମକୁ ସଫଳତା ମିଳିବ ବୋଲି ଆଇଆଇସି ଶ୍ରୀ ଶବର କହିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟରେ ଶିଶୁ ନିଖୋଜ ହାର ଦିନକୁ ଦିନ ବଢ଼ିବାରେ ଲାଗିଛି। ଏନ୍‌ସିଆର୍‌ଟି ତଥ୍ୟ ଅନୁଯାୟୀ ଓଡ଼ିଶାର ଶିଶୁ ନିଖୋଜ ହାର ଦେଶରେ ତୃତୀୟ। ପ୍ରତିଦିନ ରାଜ୍ୟରେ ହାରାହାରି ୧୨ ରୁ ଅଧିକ ଶିଶୁ ନିଖୋଜ ହେଉଛନ୍ତି। ବାର୍ଷିକ ସଂଖ୍ୟା ୪ ହଜାର ଟପୁଛି। ଏଭଳି କଥା ଜାଣିବା ପରେ ଆଶଙ୍କିତ ହୋଇପଡ଼ିଛନ୍ତି ଝିଅର ମା’ ମୋନାଲିସା ନାୟକ।

ସମ୍ବନ୍ଧିତ ଖବର