ନରସିଂହପୁର: କଟକ ଜିଲ୍ଲା କାନପୁର ଥାନା ଅନ୍ତର୍ଗତ ଋଷିପଡ଼ା-କାନପୁର ରାସ୍ତାରେ ଗଛରେ ବାଇକ୍‌ ପିଟିବାରୁ ଦୁଇ ଜଣ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତକମାନେ ହେଲେ ମୁନା ସାହୁ (୨୧) ଓ ରାକେଶ ପଣ୍ଡା (୧୯)।

Advertisment

ପ୍ରାପ୍ତ ସୂଚନା ମୁତାବକ କୌଣସି ବ୍ୟକ୍ତିଗତ କାର୍ଯ୍ୟରେ ବଡ଼ମ୍ବା ଥାନା ଅନ୍ତର୍ଗତ ବେଲିଆପାଳ ଗ୍ରାମର ରାମ ସାହୁଙ୍କ ପୁଅ ମୁନା ସାହୁ ଓ ଅନ୍ୟ ଜଣେ ରାକେଶ ପଣ୍ଡା ବାଇକ୍‌ରେ କାନପୁର ଅଭିମୁଖେ ଯାଉଥିଲେ। ଯିବା ବାଟରେ ଋଷିପଡ଼ା ରାସ୍ତାରେ ବାଇକଟି ଭାରସାମ୍ୟ ହରାଇ ରାସ୍ତାପାର୍ଶ୍ବ ଗଛରେ ପିଟି ହୋଇଯାଇଥିଲା। ଘଟଣାସ୍ଥଳରେ ବାଇକଟି ଭାଙ୍ଗିରୁଜି ଯାଇଥିବା ବେଳେ ଦୁଇଜଣ ରକ୍ତ ଜୁଡୁବୁଡୁ ଅବସ୍ଥାରେ ରାସ୍ତା ପାର୍ଶ୍ବରେ ଛିଟିକି ପଡ଼ିଥିଲେ। ସ୍ଥାନୀୟ ଲୋକେ ଦୁହିଁଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ କାନପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ନେଇ ପ୍ରାଥମିକ ଚିକିତ୍ସା କରିଥିଲେ। ଚିକିତ୍ସା ପରେ ଡାକ୍ତର ସେଠାରେ ଦୁଇ ଜଣଙ୍କୁ ମୃତ ଘୋଷଣା କରିଥିଲେ।

ଏ ସମ୍ପର୍କରେ ସୂଚନା ପାଇ କାନପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଭାଙ୍ଗି ଯାଇଥିବା ବାଇକ ସହିତ ମୃତଦେହକୁ ଜବତ କରି ତଦନ୍ତ ଜାରି ରଖିଛି ବୋଲି ଥାନା ଅଧିକାରୀ ତପନ କୁମାର ନାୟକ ସୂଚନା ଦେଇଛନ୍ତି।