କୋଏଲ ନଦୀରେ ପୁଣି ଅଘଟଣ; ଗାଧୋଇବାକୁ ଯାଇ ବୁଡ଼ିଗଲେ ୨ ଯୁବକ, ଜଣେ ମୃତ ଓ ଅନ୍ୟ ଜଣେ ଗୁରୁତର

ତେଟରକେଲା ଘାଟରେ ପିକନିକ ହେଉଛି କାଳ, ବାରମ୍ବାର ଘଟୁଛି ଦୁର୍ଘଟଣା

ରାଉରକେଲା: ଅସାବଧାନତା ଯୋଗୁଁ ଜୀବନ ଯାଉଛି। ଅଧିକ ଖୁସି କରିବା ସମୟରେ ଆଜିକାଲିର ଯୁବପିଢ଼ି ଜୀବନକୁ ବାଜି ଲଗାଇ ଦେଉଛନ୍ତି। ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ଥାନା ଅନ୍ତଗର୍ତ କୋଏଲ ନଦୀରେ ପୁଣି ଆଜି ଏଭଳି ଅଭାବନୀୟ ଘଟଣା ଘଟିଛି। ତେଟରକେଲା ଘାଟରେ ପିକ୍‌ନିକ କରୁଥିବା ବେଳେ ୨ ଜଣ ସାଙ୍ଗ ପାଣିରେ ବୁଡ଼ି ଯାଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତଦେହ ଉଦ୍ଧାର ହୋଇଥିବା ବେଳେ ଅନ୍ୟ ଜଣକୁ ଗୁରୁତର ଅବସ୍ଥାରେ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ ରାଉରକେଲା ଟିମ୍ବର କଲୋନିରୁ ଆଜି ସକାଳୁ ୯ ଜଣ ସାଙ୍ଗ କୋଏଲ ନଦୀର ‌ତେଟରକେଲା ଘାଟକୁ ପିକନିକ କରିବାକୁ ଯାଇଥିଲେ। ଏମାନେ ସମସ୍ତେ ପିକନିକ ସ୍ଥଳୀକୁ ‌ପହଂଚିବା ପରେ ମଜାମସ୍ତି କରିଥିଲେ। ଅପରାହ୍ନ ସାଢ଼େ ୨ଟାରେ ଭୋଜି ଖାଇଥିଲେ। ଏହା ପରେ ସେମାନେ ସମସ୍ତେ ଗାଧୋଇବାକୁ ପାଣିରେ ପଶିଥିଲେ। ଗାଧୋଇବା ସମୟରେ ୨ ଜଣ ସାଙ୍ଗ ନିଖୋଜ ହୋଇଯାଇଥିଲେ। ବିକି ଶର୍ମା (୧୭) ଓ ଦୀପକ ଖଣ୍ଡୁଆଳ (୨୨) ପାଣିରେ ବୁଡ଼ି ଯାଇଥିଲେ। ୯ ଜଣଙ୍କ ମଧ୍ୟରୁ ଜଣେ ପହଁରି ଜାଣିଥିଲେ। ସେ ଦୀପକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ। କିନ୍ତୁ ବିକିଙ୍କୁ ଉଦ୍ଧାର କରାଯାଇ ପାରି ନଥିଲା। ଅଧ ଘଣ୍ଟା ପରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳକୁ ପହଁଚି ବିକିର ମୃତଦେହ ଉଦ୍ଧାର କରିଛି।

ସୂଚନାଯୋଗ୍ୟ ଗତ ଡିସେମ୍ବର ମାସ ୨୦ ତାରିଖରେ ରାଉରକେଲା ସେକ୍ଟର-୫ସ୍ଥିତ ଦୀପିକା ଇଂରାଜୀ ମାଧ୍ୟମ ସ୍କୁଲର ୧୦ମ ଶ୍ରେଣୀର ୯ ଜଣ ଛାତ୍ର ବଣଭୋଜି କରିବାକୁ କୋଏଲ ନଦୀର ଜାମସେରା ଘାଟକୁ ଯାଇଥିଲେ। ଗାଧୋଉଥିବା ସହ ପ୍ଲାଷ୍ଟିକ୍‌ ‌ବୋତଲ୍‌ ଫିଙ୍ଗାଫିଙ୍ଗି ଖେଳୁଥିବାବେଳେ ଭୁବେଶ ପ୍ରସାଦ, କୌଶିକ, ସୁଜନ ଓ କୌଶିକ ବୁଡି ଯାଇଥିଲେ। ସ୍ଥାନୀୟ କେର୍କେଟା ଗାଁର ସୁରେନ୍ଦ୍ର କଚ୍ଛପ ଜଣେ ଛାତ୍ରଙ୍କୁ ଉଦ୍ଧାର କରିଥିବାବେଳେ ଭୁବେଶ, କୌଶିକ, ସୁଜନ୍‌ ବୁଡି ନିଖୋଜ ହୋଇଯାଇଥିଲେ। ଅଗ୍ନିଶମ କର୍ମଚାରୀ ଖୋଜାଖୋଜି କରିବାର ଘଣ୍ଟାକ ପରେ ଭୁବେଶ, ସୁଜନଙ୍କ ଶବ ଉଦ୍ଧାର କରିଥି‌ଲେ। ପରଦିନରେ କୌଶିକର ଶବ ଉଦ୍ଧାର ମିଳିଥିଲା।

ସେହିପରି ଗତ ନଭେମ୍ବର ମାସରେ ମୋବାଇଲ ମରାମତି କରୁଥିବା ରାଉରକେଲାର ୫ ଜଣ ସାଙ୍ଗ ତେଟରକେଲା ଘାଟକୁ ପିକନିକ କରିବାକୁ ଯାଇଥିଲେ। ସେହିଦିନ ମଧ୍ୟ ଜଣେ ଯୁବକଙ୍କ ପାଣିରେ ବୁଡ଼ିଯିବାରୁ ମୃତ୍ୟୁ ହୋଇଥିଲା।

ସମ୍ବନ୍ଧିତ ଖବର