ବାଲିଅନ୍ତା: ପୂର୍ତ୍ତ ବିଭାଗ ଅଧୀନ ପୁରୁଣା ଜଗନ୍ନାଥ ରାସ୍ତାର ଗଡ଼ କଣ୍ଟୁଣିଆସ୍ଥିତ ସୁଦର୍ଶନ ଦେବଙ୍କ ଦାରୁପୀଠ ନିକଟରେ ଆଜି ସଂଧ୍ୟାରେ ଦ୍ରୁତଗାମୀ କାର ଧକ୍କାରେ ଦୁଇଜଣ ଯୁବକ ଗୁରୁତର ଆହତ ହୋଇଛନ୍ତି। ଯୁବକ ଦ୍ବୟ ହେଲେ ଜିତେନ୍ଦ୍ର କୁମାର ଦାସ(୪୮) ଏବଂ ସୋମନାଥ କରଣ(୨୯) । ଜିତେନ୍ଦ୍ରଙ୍କ ଗୋଡ଼ ଭାଙ୍ଗି ଯାଇଥିବା ବେଳେ ଶରୀରରେ ଗଭୀର ଆଘାତ ଲାଗିଛି। ଏବେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ସଂକଟାପନ୍ନ ଅଛି। ସ୍ଥାନୀୟ ଲୋକ ୧୦୮ ଆମ୍ବୁଲାନ୍ସ ଡକାଇ ଉଭୟ ଜିତେନ୍ଦ୍ର ଏବଂ ସୋମନାଥଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲକୁ ପଠାଇଥିଲେ। ଏନେଇ ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ଦେଖାଦେଇଥିଲା। ଖବର ପାଇ ବାଳକାଟି ଫାଣ୍ଡି ଅଧିକାରୀ ଦୁର୍ଘଟଣାଗ୍ରସ୍ତ କାର ଓ ବାଇକକୁ ଥାନାକୁ ନେଇଥିଲେ।
ସୂଚନା ଅନୁସାରେ କାରରେ କାକଟପୁର ଅଞ୍ଚଳର ଜଣେ ପୂର୍ବତନ ମନ୍ତ୍ରୀ ଟଙ୍କପାଣି ବ୍ରିଜ ଅଭିମୁଖେ ଯାଉଥିଲେ। ସେହିପରି ଜିତେନ୍ଦ୍ର ଓ ସୋମନାଥ ପଲସର ବାଇକରେ ବାଳକାଟି ସ୍ଥିତ ଦୁଲ୍ଲାଦେବୀ ମନ୍ଦିରରେ ହେଉଥିବା ବିବାହ କାର୍ଯ୍ୟରେ ଯୋଗ ଦେବାକୁ ଯାଉଥିଲେ। ହେଲେ କାର ଚାଳକ ନିୟନ୍ତ୍ରୟ ହରାଇ ଦାରୁପୀଠ ନିକଟରେ ବିପରୀତ ଦିଗରୁ ଆସୁଥିବା ବାଇକକୁ ଧକ୍କା ଦେଇଥିଲା। ଫଳରେ ଜିତେନ୍ଦ୍ର ଓ ସୋମନାଥ ବାଇକରୁ ଛିଟିକିପଡ଼ି ଗୁରୁତର ହୋଇପଡ଼ିଥିଲେ। ଦୁର୍ଘଟଣା ପରେ ମନ୍ତ୍ରୀ ଅନ୍ୟ ଏକ କାରରେ ପଳାଇ ଯାଇଥିଲେ। ଏନେଇ ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ଦେଖା ଦେଇଥିଲା। ଅନୁରୂପ ଭାବେ ପୂର୍ବାହ୍ନରେ କୌଶଲ୍ୟାଗଙ୍ଗ ଫାଣ୍ଡି ଅଧୀନ ଭୁବନେଶ୍ବର ପୁରୀ ଜାତୀୟ ରାଜପଥର ଗୁଡ଼ିଆ ପୋଖରୀ ଛକ ସାଇମନ୍ଦିର ନିକଟରେ ଟ୍ରକ, କାର ଓ ବାଇକ ମଧ୍ୟରେ ଘଟିଥିବା ଏକ ସିରିଜ ଦୁର୍ଘଟଣାରେ ବାଇକ ଆରୋହୀ ଗୁରୁତର ଆହତ ହୋଇଥିଲେ। ଆହତ ଆରୋହୀଙ୍କ ପରିଚୟ ଏଯାଏ ମିଳି ନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/2a39fb04-413a-4e68-a1a6-416a12748dde.jpg)