ଝାରସୁଗୁଡା/ ବ୍ରଜରାଜନଗର/ଧନକଉଡ଼ା : ଦୁଇଟି ସ୍ଥାନରେ ସମାନଧରଣର ଘଟଣା ଘଟିଛି। ଚୋରି ଘଟଣାରେ ୨ଜଣଙ୍କୁ ଲୋକମାନେ ପିଟିପିଟି ମାରିଦେଇଛନ୍ତି। ଥାନାରେ ଅଭିଯୋଗ ନକରି ଆଇନକୁ କିଭଳି ହାତକୁ ନେଲେ ତାହାକୁ ନେଇ ପ୍ରଶ୍ନ ଉଠିଛି। ଏହାକୁ ନେଇ ସମ୍ପୃକ୍ତ ଅଞ୍ଚଳରେ ବି ଉତ୍ତେଜନା ପ୍ରକାଶ ପାଇଛି।
ଗୋଟିଏ ଘଟଣା ଘଟିଛି ଝାରସୁଗୁଡ଼ା ସହରରେ। ସହରରେ ଥିବା ଓଡ଼ିଶୀ ଜୁଏଲର୍ସର ଜଣେ କର୍ମଚାରୀଙ୍କୁ ଚୋରି ଅଭିଯୋଗରେ ଘରେ ବନ୍ଦୀ କରି ନିସ୍ତୁକ ମାଡ଼ମାରି ହତ୍ୟା କରାଯାଇଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ମୃତକ ସୁରେଶ ପାଣ୍ଡେ (୪୬) । ସୁରେଶଙ୍କ ଘର ବୌଦ୍ଧ ଜିଲ୍ଲା ଅନ୍ତର୍ଗତ ମନମୁଣ୍ଡାରେ। ଅଭିଯୋଗ ଅନୁସାରେ, ଏହି ଜୁଏଲାରିରେ କାମ କରୁଥିଲେ ସୁରେଶ। କିଛି ସୁନା ଅଳଙ୍କାର ହେରଫେର କରିବା ଅଭିଯୋଗରେ ଦୋକାନ ମାଲିକ ତାଙ୍କୁ ଘରେ ବାନ୍ଧି ରଖିଥିଲେ। ଗତ ୭ ତାରିଖରେ ଦୋକାନ ମାଲିକ ତାଙ୍କ ପରିବାରକୁ ଫୋନ୍ କରି ସୁରେଶଙ୍କ ଦୁର୍ଘଟଣା ହୋଇଥିବା କହିଥିଲେ। ବାପାମା’ ଝାରସୁଗୁଡ଼ା ଆସି ପୁଅ ସମ୍ପର୍କରେ ପଚାରିବାରୁ ଦୋକାନ ମାଲିକ ତାଙ୍କ ଘରର ଉପର ମହଲାକୁ ନେଇ ଯାଇଥିଲେ। ସେଠାରେ ସୁରେଶ ମୁର୍ମୂଷୁ ଅବସ୍ଥାରେ ପଡ଼ିଥିଲେ। ‘ସେ ଦୋକାନରୁ ସୁନାଗହଣା ହେରଫେର୍ କରିଛି। ସୁନା ଓ ଟଙ୍କା ଫେରାଇବା ପର୍ଯ୍ୟନ୍ତ ସମସ୍ତେ ବନ୍ଦୀ ରହିବ’, ବୋଲି କହି ସୁରେଶଙ୍କୁ ନିସ୍ତୁକ ମାଡ଼ ମାରିଥିଲେ ଦୋକାନ ମାଲିକ। ସୁରେଶଙ୍କ ବାପାମା’ ଯେତେ କାକୁତିମିନତି ହେଲେ ମଧ୍ୟ ଶୁଣିନଥିଲେ। ଓଲଟା ତାଙ୍କ ବାପା ମା’ଙ୍କୁ ପିଟିଥିଲେ। ଏପଟେ ଦୁଇଦିନ ଖିଆପିଆ କରି ନଥିବାରୁ ସୁରେଶଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡ଼ିବାରେ ଲାଗିଥିଲା। ଏହି ଖବର ପାଇ ସୁରେଶଙ୍କ ଭିଣୋଇ ବୌଦ୍ଧରୁ ଆସି ଝାରସୁଗୁଡ଼ା ପୁଲିସକୁ ସବୁ କଥା ଜଣାଇଥିଲେ। ସେ ସୁରେଶଙ୍କ ବାପାମା’ଙ୍କୁ ଛାଡ଼ିଦେବାକୁ ଅନୁରୋଧ କରିଥିଲେ। ଝାରସୁଗୁଡ଼ା ପୁଲିସ ତାଙ୍କୁ ନାଲିଆଖି ଦେଖାଇ ଘଉଡ଼ାଇ ଦେଇଥିଲା।
ବାପାମା’ଙ୍କୁ ବି ଅଟକ ରଖି ମାଡ଼ ମାରିଲେ
ମାମଲା ରଫାଦଫା କରିବାକୁ ରାଜନୈତିକ ଚାପ!
ଦ୍ବିତୀୟ ଘଟଣାରେ ଗୋଡ଼ାଇ ଗୋଡ଼ାଇ ପିଟିଲେ
ସୁରେଶଙ୍କ ଅବସ୍ଥା ଖରାପ ଆଡ଼କୁ ଗତି କରୁଥିବା ଦେଖି ୧୦ ତାରିଖ ଦିନ ଝାରସୁଗୁଡ଼ା ପୁଲିସ ତରବରିଆ ଭାବରେ ଝାରସୁଗୁଡ଼ା ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଇଥିଲେ। କିନ୍ତୁ, ସ୍ବାସ୍ଥ୍ୟ ଅବସ୍ଥାରେ ସୁଧାର ନଆସିବାରୁ ଡାକ୍ତର ତାଙ୍କୁ ବୁର୍ଲା ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ। ବୁର୍ଲା ଭିମ୍ସାରର ଡାକ୍ତର ଶରୀରରେ ପ୍ରବଳ ମାଡ଼ ଯୋଗୁଁ ବୃକକ୍ରେ ରକ୍ତ ଜମାଟ ବାନ୍ଧି ତାଙ୍କର ହୃଦ୍ଘାତ ହୋଇଥିବା କହିବା ସହିତ ଆଇସିୟୁରେ ଭର୍ତ୍ତି କରିଥିଲେ। ଆଜି ଦୋକାନ ମାଲିକ କେସ୍ ଉଠାଇଲେ ସୁରେଶଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରିବେ ବୋଲି ତାଙ୍କ ବାପାମା’ଙ୍କୁ କହିଥିଲେ। କିନ୍ତୁ, ଚିକିତ୍ସାଧୀନ ଅବସ୍ଥାରେ ରବିବାର ଅପରାହ୍ନରେ ସୁରେଶଙ୍କ ମୃତ୍ୟୁ ଘଟିଥିଲା।
ଏହାପରେ ଦୋକାନ ମାଲିକଙ୍କ କିଛି ଘନିଷ୍ଠ ତଥା ଶାସକ ଦଳର କିଛି ଲୋକ ଓ ଝାରସୁଗୁଡ଼ାର କିଛି ବରିଷ୍ଠ ପୁଲିସ ଅଧିକାରୀ ନିଜକୁ ବଞ୍ଚାଇବାକୁ ଯାଇ ସୁରେଶଙ୍କ ବାପାମା’ଙ୍କୁ ପଇସାର ପ୍ରଲୋଭନ ଦେଖାଉଛନ୍ତି। ମାମଲା ରଫାଦଫା କରିଦେବାକୁ ଧମକ ଚମକ ମଧ୍ୟ ଦେଉଥିବା ଅଭିଯୋଗରେ ଦର୍ଶାଯାଇଛି। ଏଠାରେ ପ୍ରଶ୍ନ ଉଠୁଛି, ଯଦି ସୁରେଶ ଚୋରି କରିଥିଲେ ଦୋକାନ ମାଲିକ ଥାନାକୁ ନନେଇ ନିଜେ କେମିତି ଆଇନ ହାତକୁ ନେଲେ?
ଏ ନେଇ ଆଇଆଇସି ସାବିତ୍ରୀ ବଳ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ‘ ଅସୁସ୍ଥ ଯୁବକର ମା’ଙ୍କ ବୟାନ ଅନୁଯାୟୀ ଦୋକାନୀଙ୍କ ନାମରେ ଏକ ମାମଲା ରୁଜୁ କରାଯାଇଛି।’ ଆଇନ ଅନୁଯାୟୀ ନିଶ୍ଚୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।
ଅନ୍ୟପକ୍ଷରେ, ସମ୍ବଲପୁର ଜିଲ୍ଲା ବୁର୍ଲା ଥାନା ଚିପିଲିମା ଫାଣ୍ଡି ପାପଡ଼େରା ଗ୍ରାମରେ ଲୋକଙ୍କ ମାଡ଼ରେ ରାଜେଶ ଓରାମ (୨୬ବର୍ଷ) ନାମକ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, ଶନିବାର ରାତିରେ ଗାଁର କିଛି ଲୋକଙ୍କ ଘରେ ଚୋରି ହୋଇଥିଲା। ରବିବାର ସକାଳେ ରାଜେଶ ଜଣକ ଘରୁ ଚୋରି କରୁଥିବା ସମୟରେ ଜଣେ ମହିଳାଙ୍କ ହାବୁଡ଼ରେ ପଡ଼ିଥିଲେ। ଘଟଣାସ୍ଥଳରେ ସଂପୃକ୍ତ ମହିଳା ଓ ରାଜେଶଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏହିସମୟରେ ରାଜେଶଙ୍କ ଆକ୍ରମଣରେ ମହିଳାଙ୍କ ମୁଣ୍ଡ ଫାଟି ଯାଇଥିଲା। ଏହା ଜଣାପଡ଼ିବା ପରେ ଗାଁରେ ଉତ୍ତେଜନା ପ୍ରକାଶ ପାଇଥିଲା। ପଡ଼ାର କିଛି ଲୋକ ରାଜେଶଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ। ଫଳରେ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ହୋଇଥିଲା।
ଖବର ପାଇ ବୁର୍ଲା ଏସ୍ଡିପିଓ ସତ୍ୟବ୍ରତ ଦାସ, ବୁର୍ଲା ଥାନା ଅଧିକାରୀ କମଳ ପଣ୍ଡା ଓ ଚିପିଲିମା ଫାଣ୍ଡି ଅଧିକାରୀ ତପନ ପଧାନ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଘଟଣାର ତଦନ୍ତ କରୁଛନ୍ତି। ଏ ନେଇ ଥାନାରେ ଏକ ମାମଲା ରୁଜୁ କରି ପୁଲିସ ସନ୍ଦେହରେ କିଛି ଲୋକଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି। ଏହି ଦୁଇଟି ଘଟଣାକୁ ନେଇ ଉତ୍ତେଜନା ଲାଗିରହିଛି।