ରାଉରକେଲା/ଗୁରୁଣ୍ଡିଆ: ସାଙ୍ଗମାନଙ୍କ ସହିତ ଜଳପ୍ରପାତକୁ ଯାଇ ମଜାମସ୍ତି କରିବା ୨ ଜଣ ଯୁବକଙ୍କୁ ମହଙ୍ଗା ପଡ଼ିଛି । ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ଲୋସ ପଂଚାୟତ ନିକଟସ୍ଥ ବାଦଲଗିରି ଜଳପ୍ରପାତରେ ଆଜି ୨ ଜଣ ଯୁବକ ନିଖୋଜ ହୋଇଯାଇଛନ୍ତି । ନିଖୋଜ ଯୁବକ ଦ୍ୱୟ ହେଲେ ସ୍ୱରୂପ ମହାନ୍ତି (୨୨) ଓ ଅନିମେଶ ସିହ୍ନା (୨୨) ।
ସୂଚନା ଅନୁସାରେ ରାଉରକେଲାର କୋଏଲ ନଗର ଅଂଚଳରୁ ଆଜି ପୂର୍ବାହ୍ନରେ ସ୍ୱରୂପ ଓ ଅନିମେଶଙ୍କ ସମେତ ୮ ଜଣ ଯୁବକ ଗୁରୁଣ୍ଡିଆ ଥାନା ଅନ୍ତର୍ଗତ ବନୈକେଳାରୁ ସୋଲ ଗ୍ରାମ୍ୟ ଉନ୍ନୟନ ରାସ୍ତା ସପଲତାରୁ ୩ କିଲୋମିଟର ଦୂରରେ ଥିବା ଜଳପ୍ରପାତ ଅଭିମୁଖେ ବାହାରିଥିଲେ । ପ୍ରତିଯୋଗିତା ମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଏହି ଯୁବକମାନେ ୪ଟି ସ୍କୁଟିରେ ଯାଇଥିଲେ । ଆଜି ରବିବାର ଥିବାରୁ ଖୁବ ମଜାମସ୍ତି କରିବାକୁ ଭାବିଥିଲେ ।
ତେବେ ଦିନ ୧୨ଟା ବେଳକୁ ଜଳପ୍ରପାତର ୩ନମ୍ବର କୁଣ୍ଡରେ ୩ ଜଣ ବନ୍ଧୁ ଗାଧୋଉଥିବା ବେଳେ ଅନ୍ୟ ୫ ଜଣ ବନ୍ଧୁ ସେହି ପାଖରେ ବସିଥିଲେ । କିନ୍ତୁ ହଠାତ ୩ ଜଣ ନିଖୋଜ ହୋଇଯିବା ପରେ ଅନ୍ୟ ୫ ଜଣ ବନ୍ଧୁ ବିପୁଳ ଉଦ୍ୟମ କରି ଜଣକୁ ଉଦ୍ଧାର କରିଥିଲେ । ହେଲେ ଅନିମେଶ ଓ ସ୍ୱରୂପଙ୍କୁ ସେମାନେ ପାଇ ନଥିଲେ ।
ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି ଯେ, ନିଖୋଜ ସ୍ୱରୂପ ଓ ଅନିମେଶଙ୍କୁ ଜାତୀୟ ସ୍ତରର ବଡ଼ କଂପାନିରେ ନିଯୁକ୍ତି ପାଇଁ ପତ୍ର ଆସିଥିଲା । ଅନ୍ୟ ୬ ଜଣ ବନ୍ଧୁଙ୍କର ଚାକିରି ପାଇଁ କ୍ୟାମ୍ପସରେ ଚୟନ ହୋଇଥିଲା । ଏହି ଖୁସିରେ ସମସ୍ତେ ଆଜି ଜଳପ୍ରପାତକୁ ଯାଇଥିଲେ । ନିଖୋଜ ସଂପର୍କିତ ସୂଚନା ମିଳିବା ପରେ ଗୁରୁଣ୍ଡିଆ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ରିପୋର୍ଟ ଲେଖାଯିବା ବେଳକୁ ନିଖୋଜ ଯୁବକ ଦ୍ୱୟଙ୍କର କୌଣସି ପତ୍ତା ମିଳିପାରି ନାହିଁ ।