କୋଭିଡ ହସ୍‌ପିଟାଲରୁ ଖସି ପଳାଉଥିବା ରୋଗୀଙ୍କୁ ଧରିବା ମହଙ୍ଗା ପଡ଼ିଲା, ସାହାଯ୍ୟର ହାତ ବଢ଼ାଇ ସଂଗରୋଧରେ ୨ ଯୁବକ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରସ୍ଥିତ ଏକ କୋଭିଡ୍‌-୧୯ ହସ୍‌ପିଟାଲରୁ ଖସି ପଳାଉଥିବା ଜଣେ କରୋନା ସଂକ୍ରମିତ ରୋଗୀଙ୍କୁ ଧରିବା ୨ ଜଣ ଯୁବକଙ୍କ ପାଇଁ କାଳ ହୋଇଛି। କରୋନା ପଜିଟିଭ୍‌ ଚିହ୍ନଟ ଜଣେ ୭୭ ବର୍ଷିଅ ବୃଦ୍ଧଙ୍କୁ ଧରିବା ଯୋଗୁଁ ଭୁବନେଶ୍ୱର ମହାନଗର ନିଗମ ଅନ୍ତର୍ଗତ ଭରତପୁର ଅଂଚଳର ୨ ଜଣ ଯୁବକଙ୍କୁ ସଂଗରୋଧ କେନ୍ଦ୍ରରେ ରହିବାକୁ ପଡ଼ିଛି।

ସୂଚନା ଅନୁସାରେ ଆଜି ଭଦ୍ରକ ଅଂଚଳରୁ ଏକ ପରିବାର ଲୋକ ଜଣେ ବୃଦ୍ଧଙ୍କ ଚିକିତ୍ସା ପାଇଁ ଭୁବନେଶ୍ୱରସ୍ଥିତ ଅଖିଳ ଭାରତୀୟ ଆର୍ୟୁବିଜ୍ଞାନ ସଂସ୍ଥାନ (ଏମ୍‌ସ)କୁ ଆଣିଥିଲେ। ବୃଦ୍ଧ ବ୍ୟକ୍ତି ଜଣକ ଥଣ୍ଡା ସହିତ ଜ୍ୱରରେ ପୀଡ଼ିତ ଥିବାରୁ ଏମ୍‌ସର ଡାକ୍ତର ସ୍ୱାବ ନମୁନା ପରୀକ୍ଷା କରିବାକୁ ପରାମର୍ଶ ଦେଇଥିଲେ। ରିପୋର୍ଟ ଆସିବା ପରେ ବୃଦ୍ଧ ଜଣକ କରୋନା ପଜିଟିଭ ଥିବା ଜଣାପଡ଼ିଥିଲା। ଏହା ପରେ ବୃଦ୍ଧଙ୍କୁ ଆଜି ଅପରାହ୍ନ ପ୍ରାୟ ୪ଟାରେ ସମ୍‌ କୋଭିଡ୍‌-୧୯ ହସ୍‌ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା।

ତେବେ ସମ୍‌ କୋଭିଡ୍‌ ହସ୍‌ପିଟାଲରେ ବୃଦ୍ଧଙ୍କୁ ଭର୍ତ୍ତି କରିବା ପାଇଁ ପ୍ରକ୍ରିୟା ଚାଲିଥିବା ବେଳେ ବୃଦ୍ଧ ଜଣକ ସେଠାରୁ ଚାଲି ଚାଲି କିଛି ଦୂର ଚାଲି ଚାଲି ଯାଉଥିଲେ। ତାଙ୍କ ପଛରେ ଜଣେ ସୁପରଭାଇଜର ଓ ଅନ୍ୟ ଜଣେ ଆଟେଣ୍ଡାଣ୍ଟ ଯାଇ ଥିଲେ। କିନ୍ତୁ ସେମାନଙ୍କୁ ମଧ୍ୟ ଜଣା ନ ଥିଲା ଯେ, ବୃଦ୍ଧ ଜଣକ ହସ୍‌ପିଟାଲରୁ ଖସି ଚାଲି ଯାଉଛନ୍ତି। ଉଭୟ ଭାବିଥିଲେ ଯେ, ବୃଦ୍ଧ ଜଣକ ସାଧାରଣ ଭାବେ ଚାଲୁଛନ୍ତି। ତା’ପରେ ବୃଦ୍ଧ ଜଣକ ସେଠାରୁ ପଳାଇଥିଲେ ବୋ‌ଲି ସେମାନେ କହିଥିଲେ।

ଏହି ସମୟରେ କୋଭିଡ୍‌ ହସ୍‌ପିଟାଲରୁ ଜଣେ ରୋଗୀ ପଳାଇଛି ବୋଲି ଖବର ଖେଳି ଯାଇଥିଲା। ସେତେବେଳକୁ ବୃଦ୍ଧ ଜଣକ ଚାଲି ଚାଲି ନିକଟସ୍ଥ ପରିବା ମାର୍କେଟ ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲେ। ମାର୍କେଟରେ କିଛି ଲୋକ ଏକଥା ଜାଣିବା ପରେ ଭରତପୁର ଅଞ୍ଚଳର ୨ ଜଣ ଯୁବକ ବୃଦ୍ଧଙ୍କୁ ଧରି ପକାଇଥିଲେ। କିଛି ସମୟ ପରେ ହସ୍‌ପିଟାଲର ଏକ ଆମ୍ବୁଲାନ୍‌ସ ଘଟଣାସ୍ଥଳରେ ପହଞ୍ଚି ବୃଦ୍ଧଙ୍କୁ ଆଣିଥିଲା। ମାତ୍ର କରୋନା ରୋଗୀଙ୍କୁ ଧରିଥିବା ହେତୁ ଦୁଇ ଯୁବକଙ୍କ ସଂକ୍ରମଣ ଆଶଙ୍କା ସୃଷ୍ଟି ହୋଇଥିଲା। ଶେଷରେ ଦୁଇ ଯୁବକଙ୍କୁ ବିଏମ୍‌ସିର ଏକ ସଂଗରୋଧ କେନ୍ଦ୍ରକୁ ନିଆଯାଇଥିଲା।

ସମ୍ବନ୍ଧିତ ଖବର