ଅଭିନବ ଉପାୟରେ ଏଟିଏମ୍‌ରୁ ଚୋରି; ଉତ୍ତରପ୍ରଦେଶର ୨ ଯୁବକ ଗିରଫ, ୧୨ ଏଟିଏମ୍‌ କାର୍ଡ ଜବତ

ବୌଦ୍ଧ : ବଦଳିଛି ଏଟିଏମ୍‌ ଲୁଟେରାଙ୍କ ଲୁଟ୍‌ ଶୈଳୀ। ବଦଳିଛି ଲୁଟେରାଙ୍କ ଟାର୍ଗେଟ। ଏଟିଏମ୍‌ ତାଡ଼ି ଚୋରି କରିବା କି ଅନଭିଜ୍ଞ ଲୋକଙ୍କୁ ଟଙ୍କା କାଢ଼ିବାରେ ସହାୟତା କରିବା ବାହାନାରେ ଲୁଟ୍‌ କରିବା ଶୈଳୀ ପୁରୁଣା ହେଲାଣି। ଲୁଟେରାମାନେ ଏବେ ନୂତନ ଜ୍ଞାନ କୌଶଳ ଅବଲମ୍ବନ କରି ଟଙ୍କା ଲୁଟୁଛନ୍ତି। ନିଜ ଆକାଉଣ୍ଟରୁ ଟଙ୍କା ଉଠାଇ କୌଶଳ କରି ଟ୍ରାଞ୍ଜାକ୍ସନ ଫେଲ୍‌ କରାଉଛନ୍ତି। ପରେ ବ୍ୟାଙ୍କରେ ଅଭିଯୋଗ କରି ସେହି ଟଙ୍କା ଫେରି ପାଉଛନ୍ତି। ଏଭଳି କାରବାର କରୁଥିବା ବେଳେ ବୌଦ୍ଧ ପୁଲିସ ଉତ୍ତରପ୍ରଦେଶର ୨ ଜଣ ଯୁବକଙ୍କୁ ଗିରଫ କରିଛି। ସେମାନଙ୍କ ପାଖରୁ ବିଭିନ୍ନ ବ୍ୟାଙ୍କର ଏଟିଏମ୍‌ କାର୍ଡ ଜବତ କରିଛି। ସେମାନଙ୍କୁ ଶୁକ୍ରବାର କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ କହିଛି।

ପୁଲିସ ସୂଚନା ଅନୁସାରେ, ବୌଦ୍ଧ ସହରରେ ଥିବା ବିଭିନ୍ନ ଏଟିଏମ୍‌ କାଉଣ୍ଟର ସମ୍ମୁଖରେ ୨ ଜଣ ଯୁବକ ସନ୍ଦେହଜନକ ଭାବରେ ବୁଲୁଥିବା ପୁଲିସ ନିକଟକୁ ଖବର ଆସିଥିଲା। ଏପରିକି ସେମାନଙ୍କ ଫଟୋ ମଧ୍ୟ ପୁଲିସ ପାଖରେ ପହଞ୍ଚିଥିଲା। ସେମାନଙ୍କୁ ଧରିବା ପାଇଁ ଆଇଆଇସି ତପସ୍ବିନୀ କହଁର ଏକ ଟିମ୍‌ ଗଠନ କରିଥିଲେ। ସହରର ସମସ୍ତ ଏଟିଏମ୍‌ କାଉଣ୍ଟର ନିକଟରେ ସାଦା ପୋଷାକରେ ପୁଲିସ ମୁତୟନ କରାଯାଇଥିଲା। ବୁଧବାର ସକାଳ ୮ଟାରେ ବୁଟୁପାଲି ଷ୍ଟେଟ ବ୍ୟାଙ୍କର ଏଡିବି ଶାଖାରେ ଥିବା ଏଟିଏମ୍‌ କାଉଣ୍ଟର ସମ୍ମୁଖରେ ସେହି ଯୁବକ ଦ୍ବୟଙ୍କୁ ମୁତୟନ ଥିବା ପୁଲିସ କର୍ମଚାରୀ ଚିହ୍ନଟ କରିଥିଲେ। ଜଣେ ଯୁବକ କାଉଣ୍ଟର ଭିତରକୁ ପଶିଥିବା ବ‌େଳେ ଅନ୍ୟ ଜଣେ ବାହାରେ ରହି ଲୋକଙ୍କ ଗତିବିଧିକୁ ନିରୀକ୍ଷଣ କରୁଥିଲା। ପୁଲିସ କର୍ମଚାରୀ ଏକା ଥିବାରୁ ଅନ୍ୟ କାଉଣ୍ଟର ଜଗିଥିବା ସହକର୍ମୀଙ୍କୁ ଫୋନ୍‌ରେ ସୂଚନା ଦେଇଥିଲେ। ଏହି ସମୟରେ ସନ୍ଦେହ କରି ୨ ଯୁବକ ଫେରାର ହେବା ଉଦ୍ୟମ କରିଥିଲେ। ପୁଲିସ କର୍ମଚାରୀ ଜଣକ ପାଟି କରି ସ୍ଥାନୀୟ ଲୋକଙ୍କ ସହାୟତାରେ ୨ ଯୁବକଙ୍କୁ କାବୁ କରିଥିଲେ। ଯୁବକ ଦ୍ବୟ ଉତ୍ତରପ୍ରଦେଶ କାନପୁର ଅଞ୍ଚଳର ବିକାଶ ସିଂହ (୨୧) ଓ ଗୌରବ ସିଂହ(୨୦) ବୋଲି ଜଣାଯାଇଛି।

ଗତ ଦୁଇଦିନ ହେଲା ସହରର ଏକ ଦାମୀ ହୋଟେଲରେ ସେମାନେ ରହୁଥିଲେ। ସେମାନଙ୍କ ପାଖରୁ ବିଭିନ୍ନ ବ୍ୟାଙ୍କର ୧୨ଟି ଏଟିଏମ୍‌ କାର୍ଡ, ମୋବାଇଲ ଓ ଦେଢ଼ ହଜାର ଟଙ୍କା ଜବତ ହୋଇଛି। ତଦନ୍ତ ବେ‌ଳେ ଆଶ୍ଚର୍ଯ୍ୟଜନକ ତଥ୍ୟ ପୁଲିସ ଜାଣି ପାରିଛି। ଯୁବକଦ୍ବୟ ଏକ ରାକେଟର ଦରମା ପାଉଥିବା କର୍ମଚାରୀ। ମାଷ୍ଟରମାଇଣ୍ଡ କାନପୁରରେ ରହିଛି। ସେମାନଙ୍କ ପାଖରେ ଥିବା ଏଟିଏମ୍‌ କାର୍ଡ ନିଜର ଓ ନିଜ ପରିଚିତ ଲୋକଙ୍କର। ସେମାନେ ବ୍ୟାଙ୍କର ଏଟିଏମ୍‌କୁ ବ୍ୟବହାର ନକରି ଫ୍ରାଞ୍ଚାଇଜ ଥିବା ଏଟିଏମ୍‌ରୁ ହିଁ ଟଙ୍କା ଉଠାଉଛନ୍ତି। ଯେଉଁ ବ୍ୟାଙ୍କର ଏଟିଏମ୍‌କୁ ଟାର୍ଗେଟ କରୁଥିଲେ ଭିନ୍ନ ବ୍ୟାଙ୍କର ଆକାଉଣ୍ଟରୁ ଟଙ୍କା ଉଠାଉଥିଲେ। କାର୍ଡ ଲଗାଇ ଟଙ୍କା ଉଠାଇବା ବେଳେ ମେସିନରେ ଟଙ୍କା ବାହାରିବା ପୂର୍ବରୁ ଟଙ୍କା ଆସୁଥିବା ଟ୍ରେ’କୁ ଠେଲି ଧରି ଟଙ୍କା ଟାଣି ବାହାର କରନ୍ତି। ଟ୍ରେ ବାହାରକୁ ଆସି ନଥିବାରୁ ଟ୍ରାଞ୍ଜାକ୍ସନ ଫେଲ ଥିବା ସ୍ଲିପ୍‌ ବାହାରିଥାଏ। ସେହି ସ୍ଲିପ୍‌ର ଫଟୋ ତାଙ୍କ ମାଲିକ ନିକଟକୁ ପଠାନ୍ତି। ଟଙ୍କା ଉଠାଇବା ପରେ ମାଲିକର ସୂଚନା ଅନୁସାରେ ଅନ୍ୟ ଆକାଉଣ୍ଟରେ ଜମା କରନ୍ତି। ମାଲିକ ଟ୍ରାଞ୍ଜାକ୍‌ସନ ଫେଲ ଥାଇ ମଧ୍ୟ ଆକାଉଣ୍ଟରୁ ଟଙ୍କା କଟିଥିବା ଅଭିଯୋଗ କରି ବ୍ୟାଙ୍କରୁ ଟଙ୍କା ଆଦାୟ କରିଥାଏ। ଏଭଳି ଭାବରେ ବୌଦ୍ଧ ସହରରୁ ୩୦ ହଜାର ଟଙ୍କା ଉଠାଇଥିବା ଜଣାଯାଇଛି। ନିଜ ଅଞ୍ଚଳରେ ଏହି କାରବାର କଲେ ଏଟିଏମ୍‌ରେ ଥିବା ସିସି କ୍ୟାମେରାରେ ଧରାପଡ଼ିବା ଭୟରେ ଓଡ଼ିଶାରେ ଏଭଳି କରୁଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର