ଛତ୍ରପୁର/ଗଞ୍ଜାମ : ଗଞ୍ଜାମ ଜିଲ୍ଲା ଗଞ୍ଜାମ ବ୍ଲକ୍‌ କରଡ଼ା ପଞ୍ଚାୟତ ନୀଳାଦ୍ରିପୁର ଗ୍ରାମରେ ଅଲେଖ ଧର୍ମ ଗ୍ରହଣ କରିବାକୁ ବାଧ୍ୟ କରି ୨ଜଣ ଯୁବକ ଗାଁରେ ଆତଙ୍କରାଜ୍ ଖେଳାଇଛନ୍ତି। ରୋହିତ ଗୌଡ଼ ଓ କୃଷ୍ଣ ଗୌଡ଼ ନାମକ ଦୁଇ ଜଣ ଯୁବକ ପ୍ରଥମେ ଗ୍ରାମବାସୀଙ୍କୁ ଏଥିପାଇଁ ପ୍ରବର୍ତ୍ତାଇଥିଲେ। ତେବେ ଧର୍ମ ଗ୍ରହଣ ନକରିବାକୁ ଗ୍ରାମବାସୀ ରାଜି ନହେବାରୁ ସେମାନେ ଗତକାଲି ଖଣ୍ଡା ଏବଂ କାତି ଧରି ଗାଁରେ ଆତଙ୍କ ସୃଷ୍ଟି କରିଥିଲେ। ସେମାନଙ୍କ ଆକ୍ରମଣରେ ଗ୍ରାମର ସୀମା ବେହେରା, ଭେଙ୍କେଟ୍ ରେଡ୍ଡୀ, ଶୈଳ ବେହେରାଙ୍କ ସମେତ ୪ ଜଣ ଆହତ ହୋଇଥିବା ଅଭିଯୋଗ ହୋଇଛି।

Advertisment

ଏହି ଘଟଣାକୁ ନେଇ ଆଜି ଗାଁରେ ସାରାଦିନ ଉତ୍ତେଜନା ଲାଗି ରହିଥିଲା। ଗାଁ ନିକଟ ରାମଚଣ୍ଡି ପୀଠକୁ ଯିବା ରାସ୍ତାରେ ଥିବା ଆଶ୍ରମର ବାବାଙ୍କ ପ୍ରରୋଚନାରେ ଏଭଳି ବିଶୃଙ୍ଖଳା ଘଟାଯାଉଥିବା ଗ୍ରାମବାସୀ ଅଭିଯୋଗ କରିଥିଲେ। ଆଉ ଉକ୍ତ ଅଲେଖ ଆଶ୍ରମର ଅଲେଖ ବାବା ଓରଫ୍‌ ମୋଚିରାମ ଜେନାଙ୍କୁ ଗ୍ରାମବାସୀ ଘେରାଉ କରିଥିଲେ। ତାଙ୍କୁ ଗାଁକୁ ଆଣି ଚାନ୍ଦିନୀ ଉପରେ ବସାଇବା ସହ ପୁଲିସ ଓ ତହସିଲଦାରଙ୍କୁ ସୂଚନା ଦେଇଥିଲେ। ବାବାଙ୍କ ପ୍ରରୋଚନାରେ ଦୁଇ ଯୁବକ ଗତକାଲି ଆତଙ୍କ ସୃଷ୍ଟି କରିଥିବା ଅଭିଯୋଗ କରିବା ସହ ବେଆଇନ ଭାବେ ଗଢ଼ି ଉଠିଥିବା ଆଶ୍ରମକୁ ତୁରନ୍ତ ଉଚ୍ଛେଦ କରିବାକୁ ଦାବି କରିଛନ୍ତି ।