ମହାକାଳପଡ଼ା : କେନ୍ଦ୍ରାପଡ଼ାର ମହାକାଳପଡ଼ା ବ୍ଲକ୍ ଅନ୍ତର୍ଗତ ଜଅଁରା ଗ୍ରାମରେ ୨ ଦିନରେ ଦୁଇ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ ଖେଳି ଯାଇଛି।
ମିଳିଥିବା ସୂଚନା ଅନୁସାରେ, ସୂଚନା ଥାଉ କି, ଗତକାଲି ମହାକାଳପଡ଼ା ପଞ୍ଚାୟତ ଜଅଁରା ଗ୍ରାମର ପ୍ରଦୀପ ସାହୁଙ୍କ ପୁଅ ପ୍ରଶାନ୍ତ(୨୪)ଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ତାଙ୍କ ଘରୁ ମିଳିଥିଲା। ପାରିପାର୍ଶ୍ବିକ ସ୍ଥିତିକୁ ଅନୁଧ୍ୟାନ କଲେ କେହି ତାଙ୍କୁ ହତ୍ୟା କରି ଟାଙ୍ଗି ଦେଇଥିବା ଅନୁମାନ କରାଯାଉଛି। ଏ ନେଇ ମହାକାଳପଡ଼ା ପୁଲିସ ଗତକାଲି ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ବେଳେ ପୁଲିସ ପ୍ରଶାନ୍ତଙ୍କ ପକେଟ୍ରୁ ଏକ ଚିଠି ଜବତ କରିଥିଲା। ସେଥିରେ ଲେଖାଥିଲା ‘ଅଶୋକକୁ ମୁଁ ହି ମାରିଛି, ତାର ମୃତ୍ୟୁ ପାଇଁ ଆଉ କେହି ଦାୟୀ ନୁହନ୍ତି। ଏହି ଚିଠିକୁ ଆୟୁଧ କରି ପୁଲିସ ଅନୁସନ୍ଧାନକୁ ଆଗକୁ ବଢାଇଥିଲା।
ଆଜି ସକାଳୁ ପ୍ରଶାନ୍ତଙ୍କ ଘରଠାରୁ ଅନତି ଦୂରରେ ଥିବା ଏକ ପୋଖରୀରୁ ଆଶୋକ ପରିଡ଼ା(୪୭) ଶବ ମିଳିଥିଲା। ଏଥିରୁ ପ୍ରଶାନ୍ତଙ୍କ ମୃତ୍ୟୁ ପୂର୍ବରୁ ହିଁ ଅଶୋକଙ୍କ ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି। ଅଶୋକଙ୍କ ମୃତଦେହ ମିଳିବା ପରେ ଏସ୍ପି ନିତିଶେଖର, ଏସଡ଼ିପିଓ ରାଜୀବ ଲୋଚନ ପଣ୍ତା ପ୍ରମୁଖ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି। ଘଟଣାସ୍ଥଳରୁ ଅଶୋକଙ୍କ ମୋବାଇଲ ଫୋନ୍ ଜବତ କରାଯାଇଛି। ଏସ୍ପି କହିଛନ୍ତି, ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣା ଉପରୁ ପର୍ଦ୍ଦା ହଟିବ। ଅନ୍ୟପକ୍ଷରେ ଅଶୋକଙ୍କ ମୃତ୍ୟୁକୁ ନେଇ ଅନ୍ୟ ପୁଲିସ ଏକ ହତ୍ୟା ମାମଲା ରୁଜୁ କରିଛି।