ନୟାଗଡ଼/ଦଶପଲ୍ଲା : ଦେଶବିରୋଧୀ କାର୍ଯ୍ୟକଳାପରେ ଲିପ୍ତ ଥିବା ଅଭିଯୋଗରେ ଏସ୍‌ଟିଏଫ୍‌ ଟିମ୍‌ ନୟାଗଡ଼ର ଦୁଇ ଯୁବକଙ୍କୁ ଗିରଫ କରିଛି। ଗିରଫ ଦୁଇଜଣ ହେଲେ, ଇଟାମାଟି ଥାନା ଅଧୀନ ବଡ଼ପଣ୍ଡୁସର ଗ୍ରାମର ପଠାଣିସାମନ୍ତ ଲେଙ୍କା(୩୫) ଓ ଦଶପଲ୍ଲାର ସରୋଜ କୁମାର ନାୟକ ଓରଫ୍‌ ଅମିତ୍‌(୨୬)।

Advertisment

ନୟାଗଡ଼ ଜିଲ୍ଲାର ଏହି ଦୁଇ ଯୁବକଙ୍କ ଗିରଫ ଜିଲ୍ଲାରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ବଡ଼ପଣ୍ଡୁସର ଗ୍ରାମର କିଛି ବ୍ୟକ୍ତିଙ୍କ ନିକଟରୁ ମିଳିଥିବା ସୂଚନା ଅନୁଯାୟୀ, ପଠାଣିସ‌ାମନ୍ତ ଲେଙ୍କା ଆଇଟିଆଇ ଶିକ୍ଷକତା ସହିତ ଗ୍ରାମରେ ଟ୍ୟୁସନ୍‌ ମଧ୍ୟ କରୁଥିଲେ। ସବୁବେଳେ ଚୁପ୍‌ଚାପ୍‌ ରୁହନ୍ତି। ତାଙ୍କ ବିଷୟରେ କାହା ପାଖରେ ବିଶେଷ କିଛି ଖବର ନଥାଏ। ତେବେ, ଗତ ମାର୍ଚ୍ଚ ମାସରେ କୋଲକାତା ପୁଲିସର ଏକ ଟିମ୍‌ ଇଟାମାଟି ପୁଲିସ ସହାୟତରେ ତାଙ୍କ ଘରେ ଚଢ଼ଉ କରିଥିଲେ। ସେବେଠାରୁ ଗ୍ରାମବାସୀଙ୍କର ମନରେ ସନ୍ଦେହ ଉପୁଜିଥିଲା। ପଠାଣିସାମନ୍ତଙ୍କ ଗିରଫ ଖବର ଜଣାପଡ଼ିବା ପରେ, ତାଙ୍କ ପତ୍ନୀ ଓ ବିଧବା ମା’ ଘରଛାଡ଼ି କେଉଁଆଡ଼େ ଚାଲିଯାଇଛନ୍ତି। ତାଙ୍କ ଘରେ ତାଲା ପଡ଼ିଥିବା ଦେଖିବାକୁ ମିଳିଛି।

ସେହିଭଳି ଦଶପଲ୍ଲା ସାକେଣୀର ସରୋଜଙ୍କ କଲେଜ ପଢ଼ା ଶେଷ ହେବାପରେ ସେ ପ୍ରାୟ ୫/୬ ବର୍ଷ ହେବ ନୟାଗଡ଼ରେ ଭଡ଼ାରେ ରହୁଥିଲେ। ପଠାଣିସାମନ୍ତ ଯେଉଁ ଆଇଟିଆଇ କଲେଜରେ କାର୍ଯ୍ୟ କରୁଥିଲେ, ସରୋଜ ସେହି ପାଖରେ ହିଁ ଭଡ଼ାରେ ରହୁଥିଲେ। ସରୋଜ କ୍ବଚିତ୍‌ ଗାଁକୁ ଯାଇଥା’ନ୍ତି। କିଛିମାସ ତଳେ ଘରକୁ ଯାଇଥିବା ବେଳେ ଏକ ଆଇଚର୍‌ ଗାଡ଼ିରେ ଏସି, କୁଲର୍‌ଠାରୁ ପାୱାର୍‌ଟିଲର୍‌, ଡ୍ରୋନ୍‌ କ୍ୟାମେରା ଭଳି ବିଭିନ୍ନ ଉପକରଣ ନେଇଯାଇଥିଲେ। ସରୋଜଙ୍କ ବ‌ାପା ଜଣେ ଚାଷୀ ହୋଇଥିବା ବେଳେ, ସେ ଏତେ ଦାମୀ ସାମଗ୍ରୀ ସବୁ କେଉଁଠୁ ଆଣିଲେ ବୋଲି ଗ୍ରାମବାସୀଙ୍କର ମଧ୍ୟ ସନ୍ଦେହ ହୋଇଥିଲା। ଆଜି ଏସ୍‌ଟିଏଫ୍‌ ସ‌ରୋଜଙ୍କୁ ଗିରଫ କରିବା ପରେ, ତାଙ୍କ ପରିବାର ମଧ୍ୟ ଘରେ ତାଲା ପକାଇ କେଉଁଆଡ଼େ ଫେରାର୍‌ ହୋଇଯାଇଥିବା ଜଣାପଡ଼ିଛି।