ହରଭଙ୍ଗା : ମହାନଦୀ ବନ୍ୟପ୍ରାଣୀ ବନାଞ୍ଚଳ ନୟାଗଡ଼ ଡିଭିଜନର ବୌଦ୍ଧ ଜିଲ୍ଲା କୁଶଙ୍ଗ ରେଞ୍ଜ ଅନ୍ତର୍ଗତ ପଦ୍ମତୋଳା ଅଭୟାରଣ୍ୟରେ ନିଆଁ ଲଗାଉଥିବା ଅଭିଯୋଗରେ ୨ ଜଣ ଯୁବକ ଗିରଫ ହୋଇଛନ୍ତି। ସେ ଦୁହେଁ ହେଲେ ସ୍ଥାନୀୟ ଘୁମୁରିପଡ଼ା ଗାଁର ମୋହନ ଦେହୁରୀ(୪୦ବର୍ଷ) ଓ ଫକିର ନାଏକ(୨୮ବର୍ଷ)। ଉଭୟଙ୍କୁ ରେଞ୍ଜ କର୍ମଚାରୀମାନେ ଗିରଫ କରି ବୌଦ୍ଧ କୋର୍ଟ ଚାଲାଣ କରିଛନ୍ତି।
ପ୍ରକାଶ ଯେ, ବର୍ତ୍ତମାନ ବିଭିନ୍ନ ଜଙ୍ଗଲରେ କିଛି ଅସାମାଜିକ ତତ୍ତ୍ୱ ଜାଣିଶୁଣି ଶିକାର ଉଦ୍ଦେଶ୍ୟରେ ନିଆଁ ଲଗାଇ ଦେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି କୁଶଙ୍ଗ ବନ୍ୟପ୍ରାଣୀ ରେଞ୍ଜର କର୍ମଚାରୀ ଓ ୱାଚରମାନେ ଜଙ୍ଗଲରେ ପଇଁତରା ମାରୁଥିଲେ। ଏହି ସମୟରେ ଗୁରୁବାର ଘୁମୁରିପଡ଼ା ଗ୍ରାମର ମୋହନ ଏବଂ ଫକିରଙ୍କୁ ଅଭୟାରଣ୍ୟ ମଧ୍ୟରେ ନିଆଁ ଲାଗିଥିବା ସ୍ଥାନର ନିକଟବର୍ତ୍ତୀ ଅଞ୍ଚଳରେ ସନ୍ଦେହଜନକ ଭାବେ ପାଇ ଅଟକ ରଖି ପଚରା ଉଚରା କରିଥିଲେ। ସେମାନେ ନିସିଦ୍ଧାଞ୍ଚଳ କୋର୍ ଏରିଆକୁ କାହିଁକି ଆସିଥିଲେ ବୋଲି ପ୍ରଶ୍ନ କରିବାରୁ ସେମାନେ ସନ୍ତୋଷଜନକ ଉତ୍ତର ଦେଇ ନପାରିବାରୁ ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ବୋଲି ରେଞ୍ଜ ଅଧିକାରୀ ପ୍ରଦୀପ ଭୁତିଆ କହିଛନ୍ତି।