ପାଳଲହଡ଼ା : ଅନୁଗୁଳ ଜିଲ୍ଲା ପାଳଲହଡ଼ା ବ୍ଲକ୍‌ କରଡ଼ାପାଳ ପଞ୍ଚାୟତ ପୁଟୁକାମଲ ଗାଁରେ ଆଜି ବଜ୍ରପାତରେ ଦୁଇ ଚାଷୀଙ୍କ ମୃତ୍ୟୁ ଘଟିଛି। ମୃତ ଚାଷୀ ଦୁଇଜଣ ହେଉଛନ୍ତି ସହରଗୁରୁଜାଙ୍ଗ ଗାଁର ମଦନ ମୋହନ ସାହୁ (୪୫) ଓ ଧନୁ‌ ଦେହୁରୀ(୫୦)। ସୂଚନା ଅନୁଯାୟୀ, ମଦନ ଓ ଧନୁ ପୁଟୁକାମଲ ଗାଁରେ ଥିବା ନିଜ ଜମିରେ ଜେସିବି ଦ୍ବାରା ମାଟି ଖୋଳୁଥିଲେ। ଆଜି ଦିନ ପ୍ରାୟ ୩ଟା ବେଳେ ଘଡ଼ଘଡ଼ି ସହ ବର୍ଷା ହୋଇଥିଲା। ଏହାପରେ ମଦନ ଓ ଧନୁ ନିକଟରେ ଥିବା ଏକ ଗଛ ତଳେ ଆଶ୍ରୟ ନେଇଥିଲେ। ଏତିକିବେଳେ ବଜ୍ରପାତ ହେବାରୁ ଦୁହେଁ ଗୁରୁତର ଆହତ ହୋଇ ପଡ଼ିଯାଇଥିଲେ। ଉଭୟଙ୍କୁ ଆମ୍ବୁଲାନ୍‌ସରେ ପାଳଲହଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।