ଗୋପ : ମାତ୍ର ୫ ଶହ ଟଙ୍କା ଭତ୍ତାପାଇଁ ପରିଣତ ବୟସରେ ଦୁଇଜଣ ବୃଦ୍ଧ ପ୍ରଚଣ୍ଡ ଖରା ଓ ଗୁଳୁଗୁଳିରେ ୫ କିମିରୁ ଅଧିକ ବାଟ ଚାଲିଛନ୍ତି। ଏତେ କଷ୍ଟ ସତ୍ତ୍ବେ ବି ଦୁଇ ବୃଦ୍ଧ ଭତ୍ତା ପାଇବାରୁ ବଞ୍ଚିତ ହୋଇଛନ୍ତି। ଜମାଖାତାକୁ ଟଙ୍କା ଆସି ନଥିବାରୁ ବ୍ୟାଙ୍କରୁ ନିରାଶ ହୋଇ ଫେରିବାକୁ ପଡ଼ିଛି। ଦୁଇ ବୃଦ୍ଧ ହେଉଛନ୍ତି, ଗୋପ ବ୍ଲକ୍‌ ଅଧୀନ ବନାଖଣ୍ଡି ପଞ୍ଚାୟତ ବଡ଼ଗୁଣ୍ଡି ଗାଁର ବିମ୍ବାଧର ସ୍ୱାଇଁ (୮୪) ଓ ନେତ୍ରାନନ୍ଦ ମଲ୍ଲ (୮୨)। ପରିଣତ ବୟସରେ ଦୁଇ ବୃଦ୍ଧ ୫ କିମି ଚାଲିବା ଓ ଭତ୍ତା ନ ପାଇ ପୁଣି ପ୍ରଚଣ୍ଡ ଖରାରେ ଘରକୁ ଫେରିବା, ସରକାରଙ୍କ ଭତ୍ତା ଯୋଜନାକୁ ଉପହାସ କରୁଛି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଭତ୍ତା ଯୋଜନାର ବ୍ୟବସ୍ଥା ଉପରେ ଏହା ଅଙ୍ଗୁଳି ଉଠାଇଛି।

Advertisment

ବଡ଼ଗୁଣ୍ଡି ଗ୍ରାମର ବିମ୍ବାଧର ଓ ନେତ୍ରାନନ୍ଦଙ୍କ କହିବା ମୁତାବକ, ସେମାନେ ଦୁଇ ମାସ ହେଲା ଭତ୍ତା ପାଇନାହାନ୍ତି। ମଧୁବାବୁ ପେନ୍‌ସନ୍‌ ଯୋଜନାରେ ଭତ୍ତା ପାଇଁ ବାରମ୍ବାର ବ୍ଲକ୍‌ କାର୍ଯ୍ୟାଳୟଠାରୁ ବ୍ୟାଙ୍କ ପର୍ଯ୍ୟନ୍ତ ଦୌଡ଼ିଲେଣି। ଗତକାଲି ତାଙ୍କ ବ୍ୟାଙ୍କ ଖାତାକୁ ଭତ୍ତା ଟଙ୍କା ଆସିଛି ବୋଲି ଶୁଣି ପ୍ରଚଣ୍ଡ ଖରା ‌ସତ୍ତ୍ବେ ଉଭୟ ବଡ଼ଗୁଣ୍ଡିରୁ ପ୍ରାୟ ୫ କିମିରୁ ଅଧିକ ବାଟ ଚାଲିଚାଲି ଆସି କୋଣାର୍କସ୍ଥିତ ଷ୍ଟେଟ୍‌ ବ୍ୟାଙ୍କ ଶାଖାରେ ପହଞ୍ଚିଥିଲେ। ପାଖରେ ଟଙ୍କା ନ ଥିବାରୁ ଗାଡ଼ି କରିବା ସମ୍ଭବପର ନ ଥିଲା। ବ୍ୟାଙ୍କ ଯାଇ ବୁଝିବାରେ ତାଙ୍କ ଜମାଖାତାକୁ କୌଣସି ଟଙ୍କା ଆସି ନଥିବା ଜାଣିବାକୁ ପାଇଥିଲେ। ଏତେ ଖରାରେ ଆସି ଟଙ୍କା ନ ପାଇବାରୁ ଭଲ ଭାବେ ଖାତା ଦେଖ ବୋଲି ନେହୁରା ହୋଇଥିଲେ। ତଥାପି ଜମା ଖାତାକୁ ଟଙ୍କା ଆସି ନଥିବା ଜାଣିବା ପରେ ଦୁଇଜଣ ନିରାଶ ହୋଇ ଫେରିଥିଲେ।

publive-image

ଖାଲି ବିମ୍ବାଧର ଓ ନେତ୍ରାନନ୍ଦ ନୁହନ୍ତି, ଗୋପ ବ୍ଲକ୍‌ରେ ଏଭଳି ଅନେକ ବୃଦ୍ଧ ରହିଛନ୍ତି, ଯେଉଁମାନେ ପରିଣତ ବୟସରେ ବି ଭତ୍ତା ପାଇଁ ବାରଦୁଆର ହେଉଛନ୍ତି। ପ୍ରଶାସନ ସେମାନଙ୍କୁ ପଞ୍ଚାୟତ କାର୍ଯ୍ୟାଳୟଠାରୁ ବ୍ଲକ୍‌ କାର୍ଯ୍ୟାଳୟ, ବ୍ୟାଙ୍କ ଆଦି ଦୌଡ଼ାଉଛନ୍ତି। ଏ ସଂପର୍କରେ ବ୍ଲକ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ ହେଉଥିଲେ ବି କୌଣସି ସୁଫଳ ମିଳୁନି। ଦିବ୍ୟାଙ୍ଗମାନେ ସମଦଶା ଭୋଗୁଛନ୍ତି।

ଏ ସମ୍ପର୍କରେ ଗୋପ ବିଡିଓ ଦିପ୍ତୀରାଣୀ ଦାସ କହିଛନ୍ତି, ମୋ ପାଖରେ ଏ ସଂପର୍କିତ ଅଭିଯୋଗ ପହଞ୍ଚିନି। ଯଦି ଘଟଣା ସତ ହୋଇଥାଏ, ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି।